ଆମେରିକାରେ ମାଡୁଥିବା ଟ୍ରିପଲ E’ ଭାଇରସ୍ କ’ଣ ? କେମିତି ରହିବେ ସତର୍କ

Published By : Prameya-News7 Bureau | September 01, 2024 IST

ଆମେରିକା ୧/୯: ମଶା କାମୁଡିଲେ ଡେଙ୍ଗୁ, ମ୍ୟାଲେରିଆ,ଚିକନଗୁନିଆ ହୁଏ। ଏକଥା ଆମ ସମସ୍ତଙ୍କୁ ଜଣା ।ଏବେ ଆମେରିକାରେ ମଶା କାମୁଡାରୁ ବ୍ୟାପୁଛି ଏକ ନୂଆ ରୋଗ ।  ଯାହାକୁ କୁହାଯାଉଛି ଟ୍ରିପଲ ଇ ଭାଇରସ । ଏହି ରୋଗ ମଶା କାମୁଡାରୁ ବ୍ୟାପେ  ।ଚଳିତ ବର୍ଷ ପ୍ରଥମ ମୁଣ୍ଡ ନେଇଛି ଏହି ଘାତକ ଭାଇରସ । ୫କେସ୍‌ ଚିହ୍ନଟ ହେଲାଣି । ଆମେରିକାର ଅନେକ ଅଞ୍ଚଳକୁ କାବୁ କଲାଣି ଏହି ମାରାତ୍ମକ ଭାଇରସ । ସଂକ୍ରମିତ ଅଞ୍ଚଳର ଆଖପାଖ ଅଞ୍ଚଳକୁ ମଧ୍ୟ ଆଲର୍ଟରେ ରଖିଛି ପ୍ରଶାସନ । ସଂଧ୍ୟା ୬ଟା ପରେ ବାହାରକୁ ନବାହାରିବାକୁ ଲୋକଙ୍କୁ ଅପିଲ କରିଛି ପ୍ରଶାସନ ।ନିଆଁ ପରି ଏ ଭାଇରସ ମାଡୁଥିବାରୁ ଦେଶରେ ଉପୁଜିଲାଣି ଲକ୍‌ଡାଉନ୍‌ ସ୍ଥିତି । 

‘Triple E’ ଭାଇରସ କ’ଣ ?

ମଶା ମାଧ୍ୟମରେ ବ୍ୟାପୁଥିବା ଏ ରୋଗକୁ ଇଷ୍ଟର୍ଣ୍ଣ ଇକ୍ବାଇନ ଏନସେଫାଲାଇଟିସ(eastern equine encephalitis)  ଭାଇରସ କୁହାଯାଉଛି । ସଂକ୍ଷେପରେ ‘Triple E’ ନାଁରେ ଜଣାଶୁଣା । ୮୬ ବର୍ଷର ପୁରୁଣା ଏହି ମାରାତ୍ମକ ରୋଗ ୧୯୩୮ରେ ଉତ୍ତର ଆମେରିକାର ନ୍ୟୁ ଇଂଲଣ୍ଡ ସହର ମାସାଚୁସେଟ୍ସରେ ଏକ ଘୋଡାଠାରେ ଚିହ୍ନଟ ହୋଇଥିଲା । ସେହିଦିନରୁ ଆଜିଯାଏ ଭାଇରସ ଯୋଗୁ ୧୧୮ ଜଣ ସଂକ୍ରମିତ ହୋଇଛନ୍ତି। ୬୪ ଜଣଙ୍କ ଜୀବନ ଗଲାଣି । 

ରୋଗର ଲକ୍ଷଣ

ଭାଇରସରେ ଆକ୍ରାନ୍ତ ହେଲେ ୧୦ ଦିନ ପରେ ରୋଗର ଲକ୍ଷଣ ଜଣାପଡେ । ସାଧାରଣ ଜର କିମ୍ବା ଭାଇରାଲ ଜର ସହ ଏହାର ଅନେକ ସାମଞ୍ଜସ୍ୟ ରହିଛି । ଯେମିତିକି  ଥଣ୍ଡା ଲାଗିବା,ଜର ହେବା,ଆଣ୍ଠୁ ଦରଜ, ମାଂସପେଶୀରେ କଷ୍ଟ ଅନୁଭବ, ଭୁଲିଯିବା,ଡାଇରିଆ ଓ ବାନ୍ତି ଲାଗିବା ପରି ଲକ୍ଷଣ ଦେଖାଯାଏ । 

କେମିତି ବ୍ୟାପେ  ‘Triple E’ ଭାଇରସ

ସଂକ୍ରମିତ ମଶା କାମୁଡିଲେ ଏହି ରୋଗ ହୋଇଥାଏ । ୟୁଏସଏରେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ  କହିବା କଥା ଏହି ରୋଗ ହେଲେ ପ୍ରାୟ ୩୦ ପ୍ରତିଶତ ଲୋକଙ୍କ ବ୍ରେନ ସ୍ବେଲିଂ ହୋଇଥାଏ । ଅର୍ଥାତ ଭାଇରସ ସିଧା ମଣିଷର ନର୍ଭ ସିଷ୍ଟମକୁ ଅକାମି କରିଦିଏ । ମସ୍ତିଷ୍କ ଯନ୍ତ୍ରଣାକୁ ବଢାଇ ଦିଏ । ଆଉ ଶେଷରେ ଜୀବନ ବି ନେଇଯାଏ । 

ମଶା ଦାଉରୁ କିପରି ପାଇବେ ରକ୍ଷା ?

ଏହି ମାରାତ୍ମକ ମଶା ଦାଉରୁ ବର୍ତ୍ତିବାକୁ ଅନେକ ସତର୍କମୂଳକ ପଦକ୍ଷେପ ନେବା ଜରୁରୀ । ମଶା ଘଉଡଇବାକୁ କ୍ରିମ ଲଗାଇବା । ସଂକ୍ରମିତ ସ୍ଥାନଠାରୁ ଦୂରେଇ ରହିବା । ସଂଧ୍ୟା ସମୟରେ ମଶାଙ୍କ ପ୍ରାର୍ଦୁଭାବ ଅଧିକ ଥିବାରୁ ଘରେ ରହିବା । ଅପରିଷ୍କାର ସ୍ଥାନଠାରୁ ଦୁରେଇ ରହିବା । ଘର ପାଖରେ ଜମା ହୋଇଥିବା ଜଳ ନିଷ୍କାସନ କରିବା ।ରାତିରେ ଶୋଇବା ସମୟରେ ମଶାରୀ ବ୍ୟବହାର କରିବା । କଟନର ଫୁଲ ଡ୍ରେସ ପିନ୍ଧିବା । ବାହାରକୁ ଯିବା ସମୟରେ ସ୍ପ୍ପ୍ର ବ୍ୟବହାର କରିବା । ଏସବୁ ନିୟମ ମାନିଲେ ଆମେ ନିଜ ଜୀବନକୁ ସୁରକ୍ଷିତ ରଖିପାରିବା । 

‘Triple E’ ଭାଇରସକୁ ମାତ୍‌ ଦେବାକୁ ଅନେକ ପଦକ୍ଷେପ ନେଉଛନ୍ତି ଆମେରିକା ସରକାର । ଲୋକଙ୍କୁ ସଚେତନ କରିବାକୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ଅନେକ ସ୍ଥାନରେ ଲକ୍‌ଡାଉନ କରାଯାଇଛି । ସଂଧ୍ୟା ସମୟରେ ମଶାଙ୍କ ପ୍ରାଦୁର୍ଭାବ ଅଧିକ ଥିବାରୁ ଲୋକଙ୍କୁ ଘରେ ରହିବାକୁ ଅନୁରୋଧ କରିଛି ପ୍ରଶାସନ ।

 

 

 

 

 

 

 

 

 

  • America
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.