ମୋରବି ପୋଲ ଦୁର୍ଘଟଣା ଉପରେ ଟ୍ୱିଟକୁ ନେଇ ଟିଏମସି ମୁଖପାତ୍ର ଗିରଫ, ଜୟପୁରରୁ ଉଠାଇନେଲା ଗୁଜରାଟ ପୋଲିସ

Published By : Prameya-News7 Bureau | December 06, 2022 IST

ନୂଆଦିଲ୍ଲୀ: ତ୍ରୁଣମୂଳ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ଏବଂ ମମତା ବାନାର୍ଜୀଙ୍କ ଘନିଷ୍ଠ ସାକେତ ଗୋଖଲେଙ୍କୁ ଗୁଜରାଟ ପୋଲିସ ଗିରଫ କରିଛି । ଟିଏମସି ମୁଖପାତ୍ରଙ୍କ ଗିରଫଦାରୀ ନେଇ ଦଳର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଡେରେକ ଓ’ବ୍ରାୟନ ସୂଚନା ଦେଇଛନ୍ତି ।

ଟିଏମସି ସାଂସଦ ଟ୍ୱିଟ୍ କରି ସାକେତ ଗୋଖଲେ ସୋମବାର ନୂଆଦିଲ୍ଲୀରୁ ଜୟପୁର ପାଇଁ ରାତି ୯ଟାରେ ବିମାନ ଧରିଥିଲେ । ତେବେ ସେ ଜୟପୁରରେ ଓହ୍ଲାଇବା ପରେ ଗୁଜରାଟ ପୋଲିସ ତାଙ୍କୁ ଗିରଫ କରି ନେଇଥିଲା । ସାଂସଦ ଡେରେକ ଓ’ବ୍ରାୟନ କହିଛନ୍ତି ସୋମବାର ରାତିରେ ସାକେତ ନିଜ ମାଆଙ୍କୁ ଫୋନ କରି କହିଥିଲେ ଯେ ଗୁଜରାଟ ପୋଲିସ ତାଙ୍କୁ ଅହମଦାବାଦ ନେଇ ଯାଉଛି ଏବଂ ଆଜି ଅପରାହ୍ଣରେ ଅହମଦାବାଦରେ ପହଞ୍ଚିବେ । ପୋଲିସ ତାଙ୍କୁ ଦୁଇ ମିନିଟ୍ ଫୋନ କରିବାରୁ ଦେଇଥିଲା ଏବଂ ପରେ ଫୋନ ଏବଂ ସବୁ ସାମନା ଜବତ କରି ନେଇଥିଲେ । ଟିଏମସି ସାଂସଦ କହିଥିଲେ ଯେ ମୋରବି ପୋଲ ଛିଣ୍ଡିବା ଘଟଣାରେ ସାକେତଙ୍କ ଟ୍ୱିଟକୁ ନେଇ ଅହମଦାବାଦ ସାଇବର ସେଲ୍ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଟିଏମସି ସାଂସଦ କହିଛନ୍ତି ଯେ ଏହା ସବୁ ଟିଏମସି ଏବଂ ଅନ୍ୟ ବିରୋଧୀ ଦଳକୁ ଚପ୍ କରାଇବା ପାଇଁ କରାଯାଉଛି । ଭାରତୀୟ ଜନତା ପାର୍ଟି ରାଜନୈତିକ ଶତ୍ରୁତାକୁ ଭିନ୍ନ ସ୍ତରକୁ ନେଇ ଯାଉଛି ।

ତେବେ ଏହି ପୂରା ବିବାଦ ଟିଏମସି ମୁଖପାତ୍ର ସାକେତ ଗୋଖଲେଙ୍କ ସେହି ଅଭିଯୋଗରୁ ଆରମ୍ଭ ହୋଇଛି, ଯେଉଁଥିରେ ସେ ପିଏମ୍ ମୋଦୀଙ୍କୁ ଟାର୍ଗେଟ କରିଥିଲେ । ସାକେତ ଗୋଖଲେ ଆରଟିଆଇ ତଥ୍ୟକୁ ନେଇ ଦାବି କରିଥିଲେ ଯେ ମୋରବି ଯାତ୍ରା ସମୟରେ ପିଏମ୍ ମୋଦୀଙ୍କ ସ୍ୱାଗତ, ଇଭେଣ୍ଟ ମ୍ୟାନେଜମେଣ୍ଟ ଏବଂ ଫୋଟୋଗ୍ରାଫି ପାଇଁ ୫.୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା । ଟିଏମସି ମୁଖପାତ୍ର ଅଭିଯୋଗ ଆଣିଥିଲେ ଯେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିଜନଙ୍କୁ କେବଳ ୪ ଲକ୍ଷର କ୍ଷତିପୂରଣ ଦିଆଯାଇଥିଲା, ଯାହା ମୋଟ ଉପରେ ୫ କୋଟି ହେଉଛି । ସାକେତ ଗୋଖଲେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇଭେଣ୍ଟ ମ୍ୟାନେଜମେଣ୍ଟ ମୂଲ୍ୟ ୧୩୫ ଜଣଙ୍କ ପରିଜନକୁ ଦିଆଯାଇଥିବା ଅନୁକମ୍ପା ରାଶି ଠାରୁ ଅଧିକ ଥିଲା ।

ଟିଏମସି ମୁଖ୍ୟପାତ୍ର ସାକେତ ଗୋଖଲେଙ୍କ ଦାବିକୁ ପିଆଇବି ଫ୍ୟାକ୍ଟ ଚେକ୍ ଟିମ ମିଛ ବୋଲି କହିଥିଲା । ଏହିପରି କୌଣସି ଆରଟିଆଇର ଜବାବ ଦିଆଯାଇ ନଥିବା ପିଆଇବି କହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.