ମେଣ୍ଟ କରିବୁ ନାହିଁ, ୨୦୨୪ ଲୋକସଭା ନିର୍ବାଚନ ଏକା ଲଢ଼ିବୁ; ମମତାଙ୍କ ଘୋଷଣା ପରେ ବଢ଼ିଲା ବିରୋଧୀଙ୍କ ଚିନ୍ତା

Published By : Prameya-News7 Bureau | March 02, 2023 IST

କୋଲକାତା: ମେଘାଳୟ ବିଧାନସଭା ନିର୍ବାଚନରେ ୫ ଟି ଆସନ ଜିତିବା ପରେ ଦମ୍ଭ ଦେଖାଇଛି ଟିମ୍‌ସି। ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ଦଳ କାହା ସହ ମେଣ୍ଟ କରିବ ନାହିଁ ବରଂ ଏକା ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଛନ୍ତି ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ। ଟିଏମ୍‌ସିର ମେଣ୍ଟ ସିଧା ଜନତାଙ୍କ ସହ ହେବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି।

ସେ କହିଛନ୍ତି “ ୨୦୨୪ ଲୋକସଭା ନିର୍ବାଚନ ଲୋକଙ୍କ ସମର୍ଥନରେ ଲଢ଼ାଯିବ। ମୋର ବିଶ୍ୱାସ ରହିଛି ଯେ ଯେଉଁମାନେ ବିଜେପିକୁ ହରାଇବାକୁ ଚାହୁଁଛନ୍ତି ସେମାନେ ଟିଏମ୍‌ସିକୁ ଭୋଟ୍ ଦେବେ।” ଲୋକମାନେ ତାଙ୍କ ସାଙ୍ଗରେ ଅଛନ୍ତି। ୨୦୨୪ ନିର୍ବାଚନରେ ବି ସେମିତି ରହିବେ ବୋଲି ମମତା ଆଶା ବ୍ୟକ୍ତ କରିଛନ୍ତି।

ଏପଟେ ମମତାଙ୍କର ଏକାକୀ ଯୁଦ୍ଧଂ ଦେହୀ ଡାକରା ବିରୋଧୀ ମେଣ୍ଟକୁ ଶକ୍ତ ଝଟ୍‌କା ଲାଗିଛି। ମୋଦୀ ସରକାରଙ୍କୁ ହରାଇବା ପାଇଁ ଦେଶରେ ବିରୋଧୀ ଏକାଠି ହେଉଥିବା ବେଳେ ଟିଏମ୍‌ସି କାହା ସହ ମେଣ୍ଟ କରିବ ନାହିଁ ବୋଲି ଘୋଷଣା କରିବା ବିରୋଧୀ ଦଳଗୁଡ଼ିକର ଚିନ୍ତା ବଢାଇଛି।

ସୂଚନା ଥାଉକି ସାଗରଦିଘୀ ଉପନିର୍ବାଚନରେ ଟିଏମ୍‌ସିକୁ ଶକ୍ତା ଝଟ୍‌କା ଲାଗିଛି। ଏଠାରେ ଦଳ ପରାସ୍ତ ହୋଇଥିବା ବେଳେ କଂଗ୍ରେସ ବାଜି ମାରିଛି। କଂଗ୍ରେସ ନେତା ବାୟରନ ବିଶ୍ୱାସ ଟିଏମ୍‌ସି ପ୍ରାର୍ଥୀଙ୍କୁ ୨୨,୯୮୦ ଭୋଟରେ ପରାସ୍ତ କରି ନିର୍ବାଚନ ଜିତିଛନ୍ତି। ନିର୍ବାଚନ ହାରିବା କଂଗ୍ରେସକୁ ସମାଲୋଚନା କରି ୨୦୨୪ ନିର୍ବାଚନ ଏକା ଲଢ଼ିବାକୁ ଘୋଷଣା କରିଛନ୍ତି ମମତା।

ଅନ୍ୟପଟେ ଏହି ବିଜୟ ସହ ପଶ୍ଚିମବଙ୍ଗରେ କଂଗ୍ରେସ ଖାତା ଖୋଲିଛି। ଏହା ପୂର୍ବରୁ ୨୦୨୧ ବିଧାସନଭା ନିର୍ବାଚନରେ କଂଗ୍ରେସ ଓ ସିପିଏମ୍ ଏଠାରେ ଗୋଟିଏ ବି ଆସନ ଜିତିପାରି ନଥିଲେ। ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଏପରି ଘଟଣା ଘଟିଥିଲା। ହେଲେ ଆଜି ଉପନିର୍ବାଚନ ଜିତିବା ପରେ ପଶ୍ଚିମବଙ୍ଗ ବିଧାନସଭାକୁ କଂଗ୍ରେସର ଜଣେ ବିଧାୟକ ପହଞ୍ଚିଛନ୍ତି।

ନିର୍ବାଚନ ନେଇ ମମତା କହିଛନ୍ତି ଯେ କଂଗ୍ରେସ ଓ ବାମଦଳ ମେଣ୍ଟ ସମ୍ପୂର୍ଣ୍ଣ ଅନୈତିକ। ବିଜେପି ସିପିଏମ୍ ଓ କଂଗ୍ରେସ ନିଜ ନିଜ ମଧ୍ୟରେ ଭୋଟ ଟ୍ରନ୍ସଫର କରୁଛନ୍ତି ବୋଲି ମମତା ଅଭିଯୋଗ କରିଛନ୍ତି। ସେ କହିଛନ୍ତି “ କଂଗ୍ରେସ ଓ ସିପିଏମ୍‌କୁ ଆଉ ଶୁଣାଯିବାର ଆବଶ୍ୟକତା ନାହିଁ। ଯେଉଁମାନେ ବିଜେପି ସହ ଅଛନ୍ତି ତୃଣମୁଳ ସେମାନଙ୍କ ସହ ଯୋଗ ଦେବ ନାହିଁ। ସେ ନିର୍ବାଚନ ଜିତିଥିଲେ ବି ନୈତିକତା ଦୃଷ୍ଟିରେ ସେ ପରାଜିତ ହୋଇଛନ୍ତି।”

ମମତା କଂଗ୍ରେସକୁ ଟାର୍ଗେଟ୍ କରି ଆହୁରି କହିଛନ୍ତି  “ ସବୁଠାରୁ ମଜା କଥା ହେଲା କଂଗ୍ରେ ନେତା ନିଜେ ସ୍ୱୀକାର କରିଛନ୍ତି ଯେ ବିଜେପି ଓ ସିପିଏମ୍ ତାଙ୍କୁ ସହଯୋଗ କରିଛନ୍ତି। ସତ କହିଥିବାରୁ ତାଙ୍କୁ ଧନ୍ୟବାଦ। ମମତା ବାନାର୍ଜୀଙ୍କୁ ହରାଇବାକୁ ସେମାନଙ୍କୁ ଶେଷରେ ବିଜେପିର ସହଯୋଗ ନେବାକୁ ପଡ଼ିଲା।”  

ସୂଚନା ଥାଉକି, ଗତକାଲି(ମାର୍ଚ୍ଚ ୧) ତାମିଲାନଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନଙ୍କ ନିଜ ଜନ୍ମଦିନରେ ଚେନ୍ନାଇରେ ଏକ ରାଲି କରିଥିଲେ। ଏହି ରାଲିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ସପା ନେତା ଅଖିଳେଶ ଯାଦବଙ୍କ ସମେତ ଅନେକ ନେତା ରାଲିରେ ଯୋଗ ଦେଇଥିଲେ। ଏହି ଅବସରରେ ବିଜେପି ବିରୋଧୀରେ ସବୁ ନେତା ଏକଜୁଟ ହେବା କଥା କହିଥିଲେ। ଏବେ ମମତା ମେଣ୍ଟରୁ ମୁହଁ ମୋଡ଼ି ନେବା ବିରୋଧୀ ମେଣ୍ଟକୁ ଅଡ଼ୁଆରେ ପକାଇପାରେ ବୋଲି କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.