ଯୁଦ୍ଧ ଭୂମି ପାଲଟିଲା ପଶ୍ଚିମବଙ୍ଗ: ଟିଏମ୍ସି-ବିଜେପି କର୍ମୀଙ୍କ ମଧ୍ୟରେ ହିଂସା, ସ୍ଥିତି ନିୟନ୍ତ୍ରଣ ପାଇଁ ବହୁ ସଂଖ୍ୟାରେ ପୁଲିସ ମୁତୟନ
3/12/2022 at 6:36 PM

କୋଲକାତା: ଦୁଇ ରାଜନୈତିକ ଦଳର ଯୁଦ୍ଧ ଭୂମି ପାଲଟିଛି ପଶ୍ଚିମବଙ୍ଗ। ଟିଏମ୍ସି-ବେଜେପି ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଛି। କେବେ କେବେ ଏହି ଫାଇଟ୍ ହିଂସା ରୂପ ନେବା ସହିତ ଧନଜୀବନ ହାନୀ ହେଉଛି। ଆଜି ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ମୁହାଁମୁହିଁ ହୋଇଛନ୍ତି ବିଜେପି-ଟିଏମ୍ସି। ଜିଲ୍ଲାର ହୋତୁଗଞ୍ଜ ଅଞ୍ଚଳରେ ବିଜେପି ଓ ଟିଏମ୍ସି କର୍ମୀମାନେ ହିଂସା ଦେଖିବାକୁ ମିଳିଛି।
ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ ଡାଇମାଣ୍ଡ ହାରବର ଠାରେ ରାଲି କରୁଥିଲେ। ଏହି ସମୟରେ ହିଂସା ସୃଷ୍ଟି ହୋଇଥିଲା। ଘଟଣାରେ ଟିଏମ୍ସି ଅଫିସରେ ଭଙ୍ଗାରୁଜା ହେବା ସହିତ ମଟରସାଇକେଲ୍ରେ ନିଆଁ ଲଗାଇ ଦିଆଯାଇଛି।
ହିଂସାରେ ଘଟଣା ସ୍ଥଳରେ ଉତ୍ତେଜନାପୂର୍ଣ୍ଣ ରହିଛି। ସ୍ଥିତି ନିୟନ୍ତ୍ରଣ ରଖି ଶାନ୍ତି ପ୍ରତିଷ୍ଠା ପାଇଁ ଉକ୍ତ ଅଞ୍ଚଳରେ ବହୁ ସଂଖ୍ୟାରେ ରାପିଡ୍ ଆକ୍ସନ ଫୋର୍ସ(RAF) ମୁତୟନ କରାଯାଇଛି। ଏନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏହା ପୂର୍ବରୁ ଶୁକ୍ରବାର ବିଳମ୍ବିତ ରାତିରେ ପଶ୍ଚିମବଙ୍ଗ ପୁର୍ବ ମେଦିନିପୁର ଜିଲ୍ଲାରେ ଭୂପତିନଗର ଟିଏମ୍ସି ବୁଥ ଅଧ୍ୟକ୍ଷଙ୍କ ଘରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଥିଲେ। ଯାହାକୁ ନେଇ ବିଜେପି ଟିଏମ୍ସିକୁ ଦାୟୀ କରିଥିବା ବେଳେ ଟିଏମ୍ସି ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ ।
ତେବେ ଘଟଣାରେ ମୃତକଙ୍କ ପରିଚୟ ଜଣାପଡ଼ି ନଥିବା ବେଳେ ବିସ୍ଫୋରଣର କାରଣ ବି ଅସ୍ପଷ୍ଟ ରହିଛି । ତେବେ ଘରେ ଅଧାତିଆରି ବୋମା ଥିବାରୁ ତାହା ବିସ୍ଫୋରଣ କରିଥିବା ବୋଲି ସନ୍ଦେହ କରାଯାଉଛି।