ଗୁରୁଗ୍ରାମ: ଚତୁର ୟୁଟ୍ୟୁବର ନାମରା କାଦିରଙ୍କୁ ଗିରଫ କରିଛି ଗୁରୁଗ୍ରାମ ପୋଲିସ୍। ପୋଲିସ୍ ଅଭିଯୁକ୍ତକୁ ଚାରି ଦିନିଆ ରିମାଣ୍ଡରେ ନେଇ ତଦନ୍ତ ଆରମ୍ଭ କରିଛି। ପୋଲିସର ତଦନ୍ତରୁ ଜଣା ପଡିଛି ଯେ, ନାମରା ପୂର୍ବରୁ ଜଣେ ବିବାହିତ ଏବଂ ତାଙ୍କର ଗୋଟିଏ ଶିଶୁ ରହିଛି। ନାମରାଙ୍କ ସ୍ଵାମୀ ବିରାଟ ବେନିଓ୍ଵାଲଙ୍କ ଗିରଫଦାରୀ ପାଇଁ ପୋଲିସର ଚଢାଉ ଜାରି ରହିଛି। ଏହି ଯୁବତୀ ବ୍ୟବସାୟୀଙ୍କୁ ହନିଟ୍ରାପରେ ଫସାଇ ଲକ୍ଷାଧିକ ଟଙ୍କାର ବେଆଇନ ଟଙ୍କା ଆଦାୟ କରିଥିବାର ଗୁରୁତର ଅଭିଯୋଗ ହୋଇଛି।
ନାମରା କାଦିର ଜଣେ ୟୁଟ୍ୟୁବର। ଯାହାଙ୍କ ଚାହାଣୀ ଏବଂ ଶୈଳୀ ଲୋକଙ୍କୁ ଏମିତି ଦିଓ୍ଵାନା କରିଥିଲା ଯେ, ତାଙ୍କ ନାମରେ ୟୁଟ୍ୟୁବରେ ୬ ଲକ୍ଷରୁ ଅଧିକ ଅନୁଗାମୀ ଅଛନ୍ତି। ଅନ୍ୟପଟେ ଇନଷ୍ଟାଗ୍ରାମରେ ବି ୨ ଲକ୍ଷରୁ ଅଧିକ ଅନୁଗାମୀ ଅଛନ୍ତି। ସେ ଉଭୟ ପ୍ଲାଟଫର୍ମରେ ବେଶ ଲୋକ ପ୍ରିୟ। ସେ ସ୍ଵାମୀଙ୍କ ସହ ମିଶି ଗୁରୁଗ୍ରାମର ଜଣେ ବ୍ୟବସାୟୀଙ୍କୁ ନିଜ ଜାଲରେ ଫସାଇଥିବା ଅଭିଯୋଗ ହୋଇଛି।
ନାମରା ଦୁଷ୍କର୍ମର ମିଥ୍ୟା ଅଭିଯୋଗ ଲଗାଇ ପୀଡିତଙ୍କଠୁ ୮୦ ଲକ୍ଷରୁ ଅଧିକ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି। ଏହା ପରେ ଗତ ନଭେମ୍ବର ୨୪ରେ ସେକ୍ଟର ୫୦ ଥାନାରେ ପୀଡିତ ବ୍ୟବସାୟୀ ଏଫଆଇଆର ଦେଇଥିଲେ। ଏହା ପରେ ପୋଲିସ୍ ଏତଲା ଆଧାରରେ ନାମରାଙ୍କୁ ଗିରଫ କରିଛି।
ବ୍ୟବସାୟୀ ନିଜ ଅଭିଯୋଗରେ କହିଛନ୍ତି, ସେ କାମ ପାଇଁ ନାମରା କାଦିର ନାମକ ଜଣେ ଯୁବତୀଙ୍କ ସହ ରେଡିସନ ହୋଟେଲ୍ ସୋହନା ରୋଡ୍ରେ ଭେଟିଥିଲି। ସେ ଜଣେ ୟୁଟ୍ୟୁବର ଥିଲେ। ତାଙ୍କ ଭିଡିଓ ମୁଁ ଦେଖିଥିଲି। ସେ ମୋତେ ବିରାଟ ବେନିଓ୍ଵାଲଙ୍କ ସହ ସାକ୍ଷାତ କରାଇଥିଲେ। ସେ ମଧ୍ୟ ଜଣେ ୟୁଟ୍ୟୁବର ଥିଲେ ଏବଂ ନାମରାଙ୍କ ଘନିଷ୍ଠ ବନ୍ଧୁ ଥିଲେ। ସେ ମୋତେ ତାଙ୍କ ଫର୍ମରେ କାମ କରିବାକୁ କହିଥିଲେ ଏବଂ ଅଗ୍ରୀମ ଦୁଇ ଲକ୍ଷ ଟଙ୍କା ମାଗିଥିଲେ।
ମୁଁ ସେହି ଦିନ ହିଁ ଦୁଇ ଲକ୍ଷ ଟଙ୍କା ଦେଇଥିଲି। କାରଣ ନାମରାଙ୍କୁ ପୂର୍ବରୁ ଚିହ୍ନି ଥିଲି। ପରେ ଯେବେ ତାଙ୍କ ପାଇଁ ବିଜ୍ଞାପନ କାମ ଆଣିଲି, ସେ ମୋତେ ଆହୁରି ବୁଝାଇଥିଲେ ଏବଂ ୫୦ ହଜାର ଟଙ୍କା ମାଗିଥିଲେ। ଉକ୍ତ ଅର୍ଥ ଆକାଉଣ୍ଟରେ ଦେଇଥିବା ବ୍ୟବସାୟୀ କହିଛନ୍ତି।
ପରେ ନାମରା ମୋର କାମ କଲେ ନାହିଁ। ନାମରା କହିଥିଲେ କାମ କେବଳ ବାହାନା ଥିଲା, ମୁଁ ତୁମକୁ ବହୁତ ପସନ୍ଦ କରେ ଏବଂ ତୁମକୁ ବିବାହ କରିବାକୁ ଚାହେଁ। ଭଉଣୀ ବାହାଘର ବେଳକୁ ସେ ମୋ ଟଙ୍କା ଫେରାଇ ଦେବ ବୋଲି ନାମରା କହିଥିଲେ। ସେ ବି ମୋତେ ବହୁତ ଭଲଲାଗିଥିଲା। ଆମେ ଦୁହେଁ ଏକାଠି ବୁଲିବାକୁ ଲାଗିଲୁ। ବିରାଟ ସର୍ବଦା ତାଙ୍କ ସହ ରହୁଥିଲା। ଦିନେ ଆମେ କ୍ଲବକୁ ପାର୍ଟି କରିବାକୁ ଯାଇଥିଲୁ, ସେଠାରେ ନାମରା ଏବଂ ବିରାଟ ଜବରଦସ୍ତି ମୋତେ ମଦ ପିଆଇଥିଲେ।
ଆମେ ତିନି ଜଣ ହୋଟେଲ୍ରେ ଗୋଟିଏ ରୁମ୍ ବୁକ୍ କରିଥିଲୁ ଏବଂ ଶୋଇ ପଡିଲୁ। ସକାଳେ ଉଠିବା ମାତ୍ରେ ନାମରା ମୋତେ ମୋର କାର୍ଡ, ଆଇଓ୍ଵାଚ୍ ମାଗିବା ସହ ବ୍ଲାକମେଲିଂ କରିବା ଆରମ୍ଭ କରିଥିଲା। ମୁଁ ଟଙ୍କା ଦେବାକୁ ମନା କଲେ ଦୁଷ୍କର୍ମ ଅଭିଯୋଗ ଆଣିବେ ବୋଲି ଧମକ ଦେଇଥିଲେ। ମୁଁ ଡରି ଯାଇଥିଲି ଏବଂ ଅନୁରୋଧ କରିଥିଲି ଆମ ଭିତରେ କିଛି ଭୁଲ୍ ହୋଇ ନାହିଁ। ମୋ ବିରୋଧରେ କିଛି କେସ୍ ଦେବେ ନାହିଁ।ଏହି ଘଟଣା ପରଠୁ ଉଭୟ ପତି-ପତ୍ନୀ ମୋ ନିକଟରୁ ଏ ପର୍ଯ୍ୟନ୍ତ ୭୦ ରୁ ୮୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସାମଗ୍ରୀ ଏବଂ ନଗଦ ନେଇ ସାରିଛନ୍ତି।