ଦେଶକୁ ଆଦିବାସୀ ରାଷ୍ଟ୍ରପତି ମିଳିବା ନେଇ ବଢୁଛି ଆଶା ! ଏହିମାନଙ୍କ ନାଁକୁ ନେଇ ହେଉଛି ଚର୍ଚ୍ଚା

Published By : Prameya-News7 Bureau | May 24, 2022 IST

ନୂଆଦିଲ୍ଲୀ ୨୪।୫: ଜୁଲାଇରେ ହେବ ଦେଶର ରାଷ୍ଟ୍ରପତି ନିର୍ବାଚନ। ଏଣୁ ରାଜନୈତିକ ଅଳିନ୍ଦରେ ଜୋରଧରିଲାଣି ଚର୍ଚା । ଶାସକ ବିଜେପି ରାଷ୍ଟ୍ରପତି ନିର୍ବାଚନ ଲାଗି ନୂଆ ମୁହଁ ସନ୍ଧାନରେ ଲାଗିପାଡିଛି। ଏବେକା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ଶେଷ ହେବ। ଏଣୁ ରାଷ୍ଟ୍ରପତି ନିର୍ବାଚନର ସମୀକରଣ ସହ ବିଜେପିର ନଜର ଏବେ ୨୦୨୪ ଲୋକସଭା ନିର୍ବାଚନ ଉପରେ । ଏଥିରୁ ଯାହା ଆକଳନ କରାଯାଉଛି ଏଥର ରାଷ୍ଟ୍ରପତି ପଦ ଲାଗି ବିଜେପି ଆଦିବାସୀ ପ୍ରାର୍ଥୀଙ୍କୁ ହିଁ ବିଚାର କରୁଛି। ଯଦି ଏହା ହୁଏ, ତେବେ  ଦେଶ ପ୍ରଥମ ଥର ଜଣେ ଆଦିବାସୀଙ୍କୁ ରାଷ୍ଟ୍ରପତି ଭାବେ ପାଇବ।

{"id":633472,"width":839,"height":493,"sizeSlug":"full","linkDestination":"none"}

ପଞ୍ଜାବ କେଶରୀର ଏକ ରିପୋର୍ଟ ଅନୁସାରେ ନିକଟରେ ବିଜେପି ଜାତୀୟ ସଭାପତି ଜେ.ପି.ନଡ୍ଡାଙ୍କ ବାସଭବନରେ ଏକ ବୈଠକ ହୋଇଥିଲା।  ଏଥିରେ ପ୍ରସଙ୍ଗ ନେଇ ଆଲୋଚନା ହୋଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଜୁଏଲ ଓରାମ, ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ଓ ଛତିଶଗଡ଼ ରାଜ୍ୟପାଳ ଅନୁସୂୟା ଉଇକେ ଆଦିଙ୍କ ନାମ ରାଷ୍ଟ୍ରପତି ପଦ ନିମନ୍ତେ ଚର୍ଚ୍ଚାରେ ରହିଛି। ଉଲ୍ଲେଖଯୋଗ୍ୟ ଯେ ଲୋକସଭାର ୫୪୩ ଆସନରୁ ୪୭ଟି ଏସଟି ବର୍ଗଙ୍କ ଲାଗି ସଂରକ୍ଷିତ। ଏହା ଛଡା ୬୨ ଲୋକସଭା ଆସନ ଉପରେ ଆଦିବାସୀଙ୍କ ପ୍ରଭାବ ରହିଛି। ଏଣୁ ଗୁଜରାଟ, ମଧ୍ୟପ୍ରଦେଶ ଓ ଛତିଶଗଡର ଆଦିବାସୀ ଭୋଟର ରାଷ୍ଟ୍ରପତି ନିର୍ବାଚନ ଲାଗି ନିର୍ଣ୍ଣାୟକ ହେବେ ବୋଲି କୁହାଯାଉଛି।

ଚଳିତବର୍ଷ ଗୁଜରାଟ ବିଧାସଭା ଲାଗି ନିର୍ବାଚନ ହେବ। ସେହିପରି ମଧ୍ୟପ୍ରଦେଶ ଓ ଛତିଶଗଡ ବିଧାନସଭା ଲାଗି ୨୦୨୩ରେ ନିର୍ବାଚନ ହେବାକୁ ଅଛି। ଏଥିରେ ନିଜ ଗଡ଼ ଗୁଜରାଟରେ ଆଦିବାସୀଙ୍କୁ ସାଧିବାରେ ବିଜେପି ଏପର୍ଯ୍ୟନ୍ତ ସଫଳ  ହୋଇ  ନାହିଁ । ଗୁଜରାଟରେ ୧୪ ପ୍ରତିଶତ ଆଦିବାସୀ ବସବାସ କରୁଥିବା ବେଳେ ୬୦ ଆସନରେ ସେମାନଙ୍କର ନିର୍ଣ୍ଣାୟକ ଭୂମିକା ରହୁଛି। ସେହିପରି ୮୧ ସଦସୀୟ ଝାଡଖଣ୍ଡ ବିଧାନସଭାରେ ଏସଟିଙ୍କ ଲାଗି ୨୮ ଆସନ ସଂରକ୍ଷିତ। ୨୦୧୪ ଲୋକସଭା ନିର୍ବାଚନରେ ଏଥିରୁ ବିଜେପି ୧୧ଟି ଆସନ ହାତେଇଥିବା ବେଳେ ୨୦୧୯ରେ ମାତ୍ର ୨ଟି ଆସନ ପାଇପାରିଥିଲା।

{"id":633473,"sizeSlug":"full","linkDestination":"none"}

ସେହିପରି ମଧ୍ୟପ୍ରଦେଶ ବିଧାନସଭାର ୨୩୦ ଆସନରୁ ୮୪ଟିରେ ଆଦିବାସୀ ବିଧାୟକଙ୍କ ନିର୍ଣ୍ଣାୟକ ଭୂମିକା  ରହୁଛି।  ୨୦୧୩ ବିଧାନସଭା ନିର୍ବାଚନରେ ବିଜେପି ଏଥିରୁ ୫୯ଟି ହାସଲ କରିପାରିଥିବା ବେଳେ ୨୦୧୮ ନିର୍ବାଚନରେ ୩୪ଟି ପାଇଛି। ଛତିଶଗଡ଼, ଓଡିଶା ଓ ମହାରାଷ୍ଟ୍ରରେ ମଧ୍ୟ ବିଜେପିର ଏହି ଏକ ପ୍ରକାର ସ୍ଥିତି।

ମହାରାଷ୍ଟ୍ରରେ ଲୋକସଭାର ୪ ଓ ବିଧାନସଭାର ୨୫ଟି ଆସନ ଏସଟିଙ୍କ ଲାଗି ଆରକ୍ଷିତ। ଏଣୁ ରାଷ୍ଟ୍ରପତି ନିର୍ବାଚନରେ ଏନସିପି ଓ ଶିବସେନା ଲାଗି ଏନଡିଏର ପ୍ରାର୍ଥୀଙ୍କୁ ବିରୋଧ କରିବା କଠିନ ହେବ। ସେହିପରି ଝାଡଖଣ୍ଡ ଲୋକସଭାର ୫ ଓ ବିଧାନସଭାର ୨୮ ସିଟ୍ ଏସଟିଙ୍କ ଲାଗି ସଂରକ୍ଷିତ। ଏଣୁ କଂଗ୍ରେସର ସହଯୋଗୀ ଝାମୁମୋ ଏନଡିଏ ପ୍ରାର୍ଥୀଙ୍କୁ ବିରୋଧ କରିପାରିବନି। ଏମିତିରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନଡିଏ ପ୍ରାର୍ଥୀଙ୍କୁ ନିର୍ବିବାଦରେ ସମର୍ଥନ କରିପାରନ୍ତି। ଏଣୁ ଏଥର ଦେଶକୁ ଜଣେ ଆଦିବାସୀ ରାଷ୍ଟ୍ରପତି ମିଳିବାକୁ ଯାଉଥିବା ସ୍ପଷ୍ଟ ଆକଳନ କରାଯାଉଛି।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.