ପୁଣି ଭୂମିକମ୍ପ: ତୀବ୍ର ଝଟ୍କାରେ ଥରିଲା ରାଜଧାନୀ ଦିଲ୍ଲୀ, କେନ୍ଦ୍ରସ୍ଥଳ ଆଫଗାନିସ୍ତାନରେ
5/08/2023 at 10:28 PM

ନୂଆଦିଲ୍ଲୀ: ଶନିବାର ବିଳମ୍ବିତ ସନ୍ଧ୍ୟାରେ ଦିଲ୍ଲୀ-ଏନସିଆରରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୫.୮ ରହିଛି। ରାତି ୯.୩୪ ମିନିଟ୍ରେ ଭୂମିକମ୍ପ ହୋଇଥିବା ବେଳେ ଆଫଗାନିସ୍ତାନର ହିନ୍ଦୁକୁଷରେ ଏହାର କେନ୍ଦ୍ରବିନ୍ଦୁ ଥିଲା ବୋଲି ଜଣାପଡ଼ିଛି।
ଏହି ଭୂମିକମ୍ପରେ ଏପର୍ଯ୍ୟନ୍ତ କୌଣସି ଧନଜୀବନ ହାନୀ ନେଇ ଖବର ଆସି ନାହିଁ। ତେବେ ୫.୮ ତୀବ୍ରତାର ଭୂମିକମ୍ପକୁ ମଧ୍ୟମ ତୀବ୍ରତାର ଭୂମିକମ୍ପ ବୋଲି ବିବେଚନା କରାଯାଏ। ତେବେ କମ୍ପନ ଅନୁଭୂତ ହେବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଥିଲା।
ହିନ୍ଦୁକୁଷରେ ଭୂମିକମ୍ପର କେନ୍ଦ୍ର ସ୍ଥଳ ଥିବାରୁ ଆଫଗାନିସ୍ତାନ, ପାକିସ୍ତାନ ଓ ଭାରତର ଜାମ୍ମୁ କାଶ୍ମୀର ସମେତ ଦିଲ୍ଲୀ ଏନ୍ସିଆର୍ରେ ମଧ୍ୟ କମ୍ପନ ଅନୁଭୂତ ହୋଇଛି। ଜାମ୍ମୁ-କାଶ୍ମୀରରେ ଅନେକ ଥର ଭୂମିକମ୍ପ ହେଉଥିବା ବେଳେ ଦିଲ୍ଲୀ-ଏନସିଆରରେ ଅନେକ ସମୟରେ ଭୂମିକମ୍ପରେ ଥରୁଛି।
ଶନିବାର ସାଢ଼େ ୮ଟା ସମୟରେ ମଧ୍ୟ ଜାମ୍ମୁ-କାଶ୍ମୀରରେ ଭୂମିକମ୍ପ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ରିପୋର୍ଟ ଅନୁସାରେ ଆଜି ସକାଳ ୮:୩୬ ଏହି ଭୂମିକମ୍ପ ହୋଇଥିଲା। ଗୁଲମର୍ଗଠାରୁ ପ୍ରାୟ ୧୮୪ କିଲୋମିଟର ଦୂରରେ ଓ ପୃଥିବୀ ପୃଷ୍ଠରୁ ୧୨୯ କିଲୋମିଟର ତଳେ ଏହି ଭୂମି କମ୍ପର କେନ୍ଦ୍ରସ୍ଥଳ ଥିଲା ବୋଲି ଏନ୍ସିଏସ୍ କହିଛି। ଭୂମିକମ୍ପରେ କୌଣସି କ୍ଷୟତି ହୋଇ ନାହିଁ। ସରକାରୀ ସୂଚନା ଅନୁସାରେ, ଚଳିତ ବର୍ଷ ଜୁନ ମାସ ଠାରୁ ୧୨ଟି ଭୂମିକମ୍ପ ଅଲଗା ଅଲଗା ତୀବ୍ରତାର ହୋଇଛି।
ନିକଟରେ ତୁର୍କୀଏ ଓ ସିରିଆରେ ମହାବିନାଶକାରୀ ଭୂମିକମ୍ପ ହୋଇଥିଲା। ଏଥିରେ ୪୬ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ବୈଜ୍ଞାନିକମାନେ ଭାରତରେ ମଧ୍ୟ ଏଭଳି ଅବସ୍ଥା ହେବା ନେଇ ଚେତାବନୀ ଦେଇଥିଲେ। ହାଇଦ୍ରାବାଦ ସ୍ଥିତ ନ୍ୟାସନାଲ ଜିଓଗ୍ରାଫିକଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍(ଏନଜିଆରଆଇ) ର ମୁଖ୍ୟ ସିସ୍ମୋଲୋଜି ବୈଜ୍ଞାନିକ ଡଃ ଏନ ପୂର୍ଣ୍ଣଚନ୍ଦ ରାଓ କହିିଥିଲେ ଭାରତରେ ଭୂମିକମ୍ପର ସବୁଠୁ ଅଧିକ ପ୍ରଭାବ ଉତ୍ତରାଖଣ୍ଡ।

ଉତ୍ତରାଖଣ୍ଡରେ ନିମ୍ନ ଭୂପୃଷ୍ଠରେ ଶିଳାରେ ବହୁତ କମ୍ପନ ଆସୁଛି। ଏହା ଆଗାମୀ ସମୟରେ କୌଣସି ବଡ ଭୂକମ୍ପର କାରଣ ହୋଇପାରେ। ତେବେ ଡାକ୍ତର ରାଓ କହିଥିଲେ ଯେ ଭୂକମ୍ପର ତାରିଖ ଏବଂ ସମୟର ଭବିଷ୍ୟତବାଣୀ କରାଯାଇ ପାରିବ ନାହିଁ। ମାତ୍ର ଏହା ବହୁତ ଘାତକ ହୋଇପାରେ। ଉତ୍ତରାଖଣ୍ଡକୁ ଦୃଷ୍ଟିରେ ରଖି ହିମାଳୟ କ୍ଷେତ୍ରରେ ୮୦ ପ୍ରତିଶତ ସେସ୍ମିକ ଷ୍ଟେସନ ସ୍ଥାପନ କରାଯାଇଛି। ଆମେ ବାସ୍ତବ ସମୟ ଉପରେ ନଜର ରଖୁଛୁ ବୋଲିଡ. ରାଓ କହିଥିଲେ।
ଭାରତରେ ବି ହେବ ତୁର୍କୀ ଓ ସିରିଆ ଭଳି ଭୟଙ୍କର ଭୂମିକମ୍ପ
ଆଇଆଇଟି କାନପୁରର ଭୂ-ବିଜ୍ଞାନ ପ୍ରଫେସର ଜାଭେଦ ମଲ୍ଲିକ୍ ଅତୀତରେ ଭାରତରେ ହୋଇଥିବା ଭୂମିକମ୍ପ ନେଇ ଦୀର୍ଘଦିନ ଧରି ଗବେଷଣା କରିଆସୁଛନ୍ତି। ଏ ଦିଗରେ ତାଙ୍କର ଗଭୀର ଜ୍ଞାନ ରହିଛି। ତୁର୍କୀ ସିରିଆରେ ଭୂମିକମ୍ପ ହେବା ପରେ ନିକଟରେ ଶ୍ରୀ ମଲ୍ଲିକ ଜାତିୟ ଗଣମାଧ୍ୟମକୁ ସୂଚନା ଦେଇ ଭାରତର ସ୍ଥିତ ସମ୍ପର୍କରେ ଅବଗତ କରାଇଥିଲେ। ସେ କହିଥିଲେ ଯେ ଖୁବ୍ଶୀଘ୍ର ଭାରତର କିଛି ଅଞ୍ଚଳେ ୭.୫ ତୀବ୍ରତାର ଭୂମିକମ୍ପ ହେବ। ଏସବୁ ଅଞ୍ଚଳ ତୁର୍କୀ ଓ ସିରିଆ ଭଳି ପରିସ୍ଥିତି ହେବ ବୋଲି ମିଲ୍ଲିକ କହିଥିଲେ।
ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ସାକ୍ଷାତକାର ଦେଇ ମଲ୍ଲିକ କହିଥିଲେ ” ହିମାଳୟ ପାହାଡ଼ ଗର୍ଭରେ କିମ୍ବା ଆଣ୍ଡାମାନେ ନିକୋବାର ଦ୍ୱୀପପୁଞ୍ଜର ଗହ୍ୱରରେ ଭୂମିକମ୍ପର କେନ୍ଦ୍ର ସ୍ଥଳ ହୋଇପାରେ। ତେଣୁ ସତର୍କ ରହିବା ଖୁବ୍ ଆବଶ୍ୟକ। ଭୟଙ୍କର ଭୂମିକମ୍ପକୁ ଆଖି ଆଗରେ ରଖି ସବୁ ସ୍ତରରେ ସତର୍କତା ଅବଲମ୍ବନ କରାଯିବା ଉଚିତ୍।”
ପ୍ରଫେସର ମଲ୍ଲିକ ଦୀର୍ଘଦିନ ଧରି ଭାରତର ଭୂମିକମ୍ପପ୍ରବଣ ସ୍ଥାନଗୁଡ଼ିକ ଉପରେ ଅଧ୍ୟୟନ କରିଆସୁଛନ୍ତି। ଭାରତର କଛ, ଆଣ୍ଡାମାନ, ଉତ୍ତରାଖଣ୍ଡରେ ସେ ତାଙ୍କର ଗବେଷଣା ଜାରି ରଖିଛନ୍ତି। ଏନେଇ ସେ କହିଛନ୍ତି ଯେ ଭୂମିକମ୍ପ ବିପଦରେ ଭାରତକୁ ୫ଟି ଜୋନ୍ରେ ବିଭକ୍ତ କରାଯାଇଛି। ସେଥିମଧ୍ୟରୁ ଜୋନ୍-୫ ସର୍ବାଧିକ ବିପଦପ୍ରବଣ ଘେରରେ ରହିଛି ।
ଜୋନ୍-୫ରେ ଗୁଜରାଟର କଛ, ଆଣ୍ଡାମାନ ଓ ନିକୋବାର ଏବଂ ହିମାଳୟ ଅଞ୍ଚଳ ରହିଛି। ସେହିପରି ଜୋନ-୪ରେ ଉତ୍ତର ଭାରତର ହିମାଳୟଅଞ୍ଚଳ ତେରାଇ,ଉତ୍ତର ପ୍ରଦେଶର ବହରାଇଚ୍, ଲଖିମପରୁ, ପିଲିଭିତ, ଗାଜିଆବାଦ, ରୋର୍କୀ, ନୈନିତାଲ ରହିଛି। ଜୋନ୍-୩ରେ କାନପୁର, ଲକ୍ଷ୍ନୌ, ପ୍ରୟାଗରାଜ, ବାରଣସୀ, ସୋନଭଦ୍ର ଇତ୍ୟାଦି ରହିଛି।
ତେବେ ଭାରତର ଏହିସବୁ ଅଞ୍ଚଳରେ କାହିଁକି ଭୂମିକମ୍ପ ହେବ ବୋଲି ପ୍ରଶ୍ନ କରିବାରୁ ଶ୍ରୀ ମଲ୍ଲିକ କହିଛନ୍ତି ଯେ ଏହିସବୁ ଅଞ୍ଚଳରେ ଟେକ୍ଟନିକ ପ୍ଲେଟ୍ ପରସ୍ପର ସହ ଧକ୍କା ହେବ। ଏଥିପାଇଁ ଭୟଙ୍କର ଭୂମିକମ୍ପ ଝଟ୍କା ଅନୁଭୂତ ହେବ। ତେଣୁ ଏବେଠୁ ସତର୍କ ରହିବା ନିହାତି ଆବଶ୍ୟକ ବୋଲି ମଲ୍ଲିକ କହିଥିଲେ।