ପାଣି ଜାହାଜ ଆହୁଲାରେ ବସି ୩୨୦୦ କିଲୋମିଟର ଯାତ୍ରା, ୧୧ ଦିନ ପରେ ୩ ଜଣ ମିଳିଲେ ଏପରି ଅବସ୍ଥାରେ
2/12/2022 at 3:53 PM

ଲାସ୍ ପାଲମାସ ୨।୧୨: ସ୍ପେନରୁ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଖବର ଆସୁଛି। ଲାସ୍ ପାଲମାସ ବନ୍ଦରରୁ କୋଷ୍ଟ ଗାର୍ଡ ଦେଶକୁ ଅବୈଧ ରୂପେ ଅନୁପ୍ରବେଶ ଲାଗି ୩ ଜଣଙ୍କୁ ଗିରଫ କରିଛି। ସେମାନେ ଦୀର୍ଘ ୧୧ ଦିନ କାଳ ପାଣି ଜାହାଜର ଆହୁଲାରେ ବସି ୩ହଜାର ୨୦୦ କିଲୋମିଟର ଅତିକ୍ରମ କରି କେନରୀ ଦ୍ୱୀପକୁ ଆସିଛନ୍ତି। ଖାଦ୍ୟ ପେୟ ଅଭାବ ଯୋଗୁ ଗୁରୁତର ଅସୁସ୍ଥ ୩ ଜଣଙ୍କୁ ଗିରଫ ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସେମାନଙ୍କ ଠାରେ ଡିହାଇଡ୍ରେସନ ଓ ହାଇପୋଥର୍ମିଆ ଲକ୍ଷଣ ଦେଖି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ସବୁଠୁ ଯାହା ଆଶ୍ଚର୍ଯ୍ୟଜନକ ତାହା ହେଉଛି ବିନା ଟିକେଟ୍ରେ ଯାତ୍ରା ଲାଗି ସେମାନେ ବିପଦକୁ ମଧ୍ୟ ଖାତିର କରିନଥିଲେ। ସେମାନେ ଏକ ଟ୍ୟାଙ୍କର ଜାହାଜ ଏଲିଥିନ-୨ର ଆହୁଲାରେ ବସି ଯାତ୍ରା କରିଛନ୍ତି। ଜାହାଜର ଏହି ଅଂଶଟି ସମୁଦ୍ରରେ ପାଣି ସଂସ୍ପର୍ଶରେ ରହିଥାଏ। ଏପରି ସ୍ଥଳେ ବିପଦକୁ ବରଣ କରି ସମୁଦ୍ରରେ ୧୧ ଦିନ କାଳଧରି ୩ ହଜାର ୨୦୦ କିଲୋମିଟର କିପରି ଯାତ୍ରା କଲେ ତାହା ହିଁ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି।

ସୋସିଆଲ ମିଡିଆରେ ଏବେ ସେମାନଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ୩ ଜଣଙ୍କୁ ଜାହାଜର ଆହୁଲାରେ ବସିଥିବାର ଦେଖାଯାଉଛି। ଏପରି ଯାତ୍ରା ବାସ୍ତବିକ ବିପଦଜନକ। ତେବେ ଲୋକଙ୍କ ଏପରି ଯାତ୍ରା ଏବେ ନୂଆ କଥା ହୋଇ ନାହିଁ। ଗତବର୍ଷ ଜଣେ ୧୪ ବର୍ଷ ବୟଷ୍କ ନାଇଜେରୀୟ ବାଳକକୁ ଜାହାଜର ଆହୁଲାରେ ୨ ସପ୍ତାହ ଧରି ଜୀବିତ ଯାତ୍ରା କରୁଥିବାର ଦେଖାଯାଇଥିଲା। ସେତେବେଳେ ସ୍ପେନର ଏଲପେସ୍ ସମ୍ବାଦପତ୍ର ବାଳକର ସାକ୍ଷାତକାର ପ୍ରକାଶନ କରିଥିଲେ।
ଉଲ୍ଲେଖଯୋଗ୍ୟ ୟେ ଆଫ୍ରିକା ପଶ୍ଚିମାଞ୍ଚଳରୁ କେନେରୀ ଦ୍ୱୀପକୁ ଆସୁଥିବା ଲୋକଙ୍କ ସଂଖ୍ୟା ବେଳକୁ ବେଳ ବଢିବାରେ ଲାଗିଛି। ଅନେକ ଲୋକ ଏହିପରି ବିପଦଜନକ ଯାତ୍ରା କରି କେନରୀ ଦ୍ୱୀପ ପହଞ୍ଚିଛନ୍ତି। ତେବେ ପ୍ରଥମ ଥର ୧୧ ଦିନ ଧରି ବିନା ଖାଦ୍ୟପାନୀୟରେ ବିପଦଜନକ ଆହୁଲାରେ ବସି ୩୨୦୦ କିଲୋମିଟର ଅତିକ୍ରମ କରିଥିବା ୩ ଜଣ ସମସ୍ତଙ୍କୁ ଚକିତ କରିଛି। ସେମାନେ ନଖାଇ ନ ପିଇ କିପରି ବଞ୍ଚିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି।