ଥାଇଲାଣ୍ଡରେ ଲୋଭ ଦେଖାଇ ଫସାଗଲା, ଏବେ ମିଆଁମାରରେ ୩୦୦ ଭାରତୀୟଙ୍କୁ ବନ୍ଧକ ରଖାଯାଇ କରାଯାଉଛି ସାଇବର କ୍ରାଇମ୍

Published By : Prameya-News7 Bureau | September 20, 2022 IST

ଚେନ୍ନାଇ: ମିଆଁମାରର ମେଓ୍ଵାଡିରେ ୩୦୦ରୁ ଅଧିକ ଭାରତୀୟଙ୍କୁ ବନ୍ଧକ ରଖାଯିବା ଖବର ସାମ୍ନାକୁ ଆସିଛି। ସେମାନଙ୍କୁ ସାଇବର କ୍ରାଇମ୍ କରିବାକୁ ବାଧ୍ୟ କରାଯାଉଛି। ଅନ୍ୟ ଦେଶର ଲୋକଙ୍କୁ ମଧ୍ୟ ଏହି ରାକେଟ୍‌ରେ ବଳପୂର୍ବକ ନିୟୋଜିତ କରାଯାଉଛି। ଲୋକଙ୍କୁ  ପ୍ରଲୋଭିତ କରି ମ୍ୟାଓ୍ଵାଡି ଅଞ୍ଚଳରେ ବନ୍ଧକ ରଖାଯାଇଛି। ଏହି ଅଞ୍ଚଳ ମିଆଁମାର ସରକାରଙ୍କ ନିୟନ୍ତ୍ରଣରେ ନଥିବା ବେଳେ ସଶସ୍ତ୍ର ଅପରାଧୀ ଗ୍ୟାଙ୍ଗର ଦବଦବା ଏହି ଅଞ୍ଚଳରେ ରହିଛି। ନିଜ ପରିବାରକୁ ସନ୍ଦେଶ ପଠାଇଥିବା ଲୋକେ କହିଛନ୍ତି ଯେ, ଆମକୁ ବନ୍ଧକ ରଖିଥିବା ଲୋକଙ୍କ ମଧ୍ୟରେ ମାଲେସିଆଇ ଚୀନୀ ରହିଛନ୍ତି।

ଟାଇମ୍ସ ଅଫ ଇଣ୍ଡିଆର ଖବର ଅନୁସାରେ, ପୂରା ମାମଲା ସେହି ସମୟରେ ସାମ୍ନାକୁ ଆସିଥିଲା ଯେତେବେଳେ କିଛି ତାମିଲ ଲୋକ ନିଜକୁ ବଞ୍ଚାଇବା ପାଇଁ ଏକ ଏସଓଏସ ଭିଡିଓ ପଠାଇଥିଲେ। ଏଥିରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ବଞ୍ଚାଇବା ପାଇଁ ଅପିଲ୍ କରିଛନ୍ତି। ସେମାନେ କହିଛନ୍ତି ତାଙ୍କ ମାଲିକ ସେମାନଙ୍କୁ ଦିନରେ ୧୫ ଘଣ୍ଟାରୁ ଅଧିକ ସମୟ କାମ କରିବା ପାଇଁ ବାଧ୍ୟ କରୁଛନ୍ତି। ବେଆଇନ କାମ କରିବାକୁ ମନା କଲେ ସେମାନଙ୍କୁ ମାଡ ମରାଯିବା ସହ ବିଜୁଳି ଝଟକା ଦିଆଯାଉଛି। ୟାଙ୍ଗୁନରେ ଭାରତୀୟ ଦୂତାବାସ ଜୁଲାଇ ୫ରେ ଚାକିରି  ଲୋଭ ଦେଖାଇ ଲୋକଙ୍କ ବନ୍ଧକ ରଖିଥିବା ଲୋକଙ୍କ ବିରୋଧରେ ଚେତାବନୀ ଦେଇ ଆଡଭାଇଜରି ଜାରି କରିଥିଲା।

ସୋମବାର କରାଇକଲମେଡୁର ଜଣେ ମତ୍ସ୍ୟଜୀବୀ ରାଜା ସୁବ୍ରମଣ୍ୟମ(୬୦) ପୁଡୁଚେରୀ କେନ୍ଦ୍ର ଶାସିତରେ କରାଇକଲ୍‌ର ଜିଲ୍ଲାପାଳଙ୍କୁ ନିଜ ପୁଅକୁ ବଞ୍ଚାଇବାକୁ ଅପିଲ୍ କରିଛନ୍ତି। ସୁବ୍ରମଣ୍ୟମଙ୍କ ବଡ ପୁଅ ସୁଧାକର ନିଜ ଭାଇଙ୍କ କାହାଣୀ ବିଷୟରେ କହିଛନ୍ତି ଯେ, ସେ ପ୍ରଥମେ ଦୁବାଇରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାମ କରୁଥିଲେ। ଚଳିତ ବର୍ଷ ଆରମ୍ଭରେ ତାଙ୍କ ପ୍ରବନ୍ଧକ ଭାଇକୁ ପଦୋନ୍ନତି ଦେଇଥିଲେ ଏବଂ ଥାଇଲାଣ୍ଡ କାର୍ଯ୍ୟାଳୟରେ ଯୋଗ ଦେବାକୁ କହିଥିଲେ। ଏହା ପରେ ଥାଇଲାଣ୍ଡରୁ ଭାଇ ସହ ଅନ୍ୟ ଲୋକଙ୍କୁ ବେଆଇନ ଭାବେ ମିଆଁମାର ନିଆଯାଇଥିଲା।

ସୁରକ୍ଷା କାରଣରୁ ବର୍ତ୍ତମାନ ପୀଡିତଙ୍କ ନାମ ଗୋପନୀୟ ରଖାଯାଇଛି। କାମ କରିବାକୁ ମନା କଲେ ମାଡ ମରାଯାଉଛି। ଜଣେ କର୍ମଚାରୀ କାମ କରିବାକୁ ମନା କରିବାରୁ ଏମିତି ମାଡ ମରାଗଲା ଯେ, କର୍ମଚାରୀଙ୍କୁ ପାଞ୍ଚଟି ଷ୍ଟିଜ୍ ଲଗାଇବାକୁ ପଡିଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୦ରୁ ଅଧିକ ଭାରତୀୟଙ୍କୁ ଏମିତି ଅପରାଧୀଙ୍କ ହାବୁଡର ରକ୍ଷା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.