ଭୁବନେଶ୍ଵର: ମତ୍ସ୍ୟ ବିଭାଗର ଉପ ନିର୍ଦ୍ଦେଶକ ବସନ୍ତ ଦାସଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣାରେ ବିପୁଳ ସଂପତ୍ତି ଠାବ ହୋଇଛି। ସରକାରୀ ଟଙ୍କା ଉଠାଇ ପ୍ଲଟ୍, ସୁନା କିଣୁଥିଲେ। ବିଭାଗୀୟ ଆକାଉଣ୍ଟକୁ ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ। ଛୁଟିରେ ଥାଇ ନିଜ ଆକାଉଣ୍ଟକୁ ଟଙ୍କା ନେଇଥିବା ଭିଜିଲାନ୍ସ ତଦନ୍ତରୁ ଜଣା ପଡ଼ିଛି। ବସନ୍ତ ଦାସ ୧ କୋଟି ୫ ଲକ୍ଷ ସରକାରୀ ଟଙ୍କାକୁ ନିଜ ସେଭିଙ୍ଗ ଆକାଉଣ୍ଟକୁ ନେବା ଅଭିଯୋଗରେ ତାଙ୍କ ଘର ଅଫିସ ସମେତ ୫ ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ରେଡ୍ ହୋଇଛି ।
ବସନ୍ତଙ୍କ ର ୩ସହରରେ ୭ ପ୍ଲଟ୍ ଓ ଜମି ଠାବ ହୋଇଛି। ପୁରୀ ସହରରେ ତାଙ୍କ ନାଁରେ ରହିଛି ୨ଟି କୋଠା। ପୁରୀ ପିଳିପିଲାରେ ୩ ଏକରରୁ ଅଧିକ ଫାର୍ମ ହାଉସ, ପୁରୀ ଦାମୋଦରପୁରରେ ୬.୭୨ ଏକର ଜମିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି। ଭୁବନେଶ୍ଵରରେ ଗୋଟିଏ, ଭଦ୍ରକରେ ୨ଟି ପ୍ଲଟ୍ ଠାବ ହୋଇଛି। ବର୍ତ୍ତମାନ ସୁଦ୍ଧା ୨୫୦ ଗ୍ରାମ ସୁନା ମିଳିଛି। ବ୍ୟାଙ୍କ ଜମା, ବୀମା ନିବେଶରେ ଖୋଳତାଡ଼ ଚାଲିଛି।
Also read: AG ଭାବେ ଦାୟିତ୍ବ ନେଲେ ପିତାମ୍ବର ଆଚାର୍ଯ୍ୟ, ଆଇନ କ୍ଷେତ୍ରରେ ରହିଛି ଦୀର୍ଘଦିନର ଅଭିଜ୍ଞତା
ଆଜି ବସନ୍ତ ଦାସଙ୍କ କଟକ, ଭୁବନେଶ୍ବର, ପୁରୀ ଏବଂ ଭଦ୍ରକର ୫ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଛି । ଭୁବନେଶ୍ବର ମହତାବ ରୋଡରେ ଥିବା ଭଡ଼ାଘର, ପୁରୀ ତୋଟା ମହାବୀରରୋଡରେ ଥିବା ଘର, ପୁରୀ ଗୋରୁଆଳସ୍ଥିତ ଫାର୍ମ ହାଉସ, ଭଦ୍ରକ ନଇକଣଡିହି ସ୍ଥିତ ପୈତୃକ ଘର, କଟକ ସ୍ଥିତ ଅଫିସରେ ଚଢାଉ କରାଯାଇଛି । ୨୦୨୪-୨୫ ଆର୍ଥିକ ବର୍ଷରେ ମତ୍ସ୍ୟ ବିଭାଗ ଉପ ନିର୍ଦ୍ଦେଶକ ବସନ୍ତ କୁମାର ଦାସ ୧ କୋଟି ୫ ଲକ୍ଷ ଟଙ୍କା ସରକାରୀ ଅର୍ଥକୁ ପୁରୀରେ ଥିବା ନିଜ ଆକାଉଣ୍ଟକୁ ଟ୍ରାନସଫର କରିଥିଲେ । ଏନେଇ ଜିଲାନ୍ସରେ ଅଭିଯୋଗ ପରେ ଭିଜିଲାନ୍ସ ବସନ୍ତ ଦାସଙ୍କ ନାଁରେ ମାମଲା ରୁଜୁ କରିଥିଲା ।
ଆଜି ଚଢାଉ ବେଳେ ବସନ୍ତଙ୍କ ନାଁରେ ବିଭିନ୍ନ ବ୍ୟାଙ୍କରେ ଥିବା ପ୍ରାୟ ୧୫ ରୁ ଅଧିକ ଆକାଉଣ୍ଟ ଠାବ କରାଯାଇଛି । ଏହି ଆକାଉଣ୍ଟରେ କେତେ ଟଙ୍କା ରହିଛି ତାର ଖୋଳତାଡ କରୁଛି ଭିଜିଲାନ୍ସ । ତେବେ ବସନ୍ତଙ୍କୁ ଏକ ଠକେଇ ଅଭିଯୋଗରେ ଗତ ୧୫ ତାରିଖରୁ କଟକ ଚାଉଳିଆଗଞ୍ଜ ପୋଲିସ ଗିରଫ କରିଛି । ବସନ୍ତ କଟକର ଜଣେ ଲୋକଙ୍କଠାରୁ ୮ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା । ସେ ଏବେ ଜେଲରେ ଅଛନ୍ତି । ତେବେ ବସନ୍ତ ଠକିଥିବା ଟଙ୍କା କେଉଁଠି ବିନିଯୋଗ କରିଛନ୍ତି ତାର ବି ଖୋଳତାଡ ଚାଲିଛି । ବସନ୍ତଙ୍କ ଚାକିରୀ କାଳ ଆଉ ଦୁଇବର୍ଷ ଅଛି । ଆଜିର ଚଢାଉରେ ୫ ଜଣ ଡିଏସପି, ୪ ଜଣ ଆଇଆଇସି ଓ ୯ ଜଣ ଏସଆଇ ଓ ଏଏସଆଇ ଙ୍କ ସହ ଅନ୍ୟାନ୍ୟ ଭିଜିଲାନ୍ସ କର୍ମଚାରୀ ନିୟୋଜିତ ଥିଲେ ।