କୁହୁଡି ଯୋଗୁ ରାଜଧାନୀ ଓ ଦୂରନ୍ତ ଏକ୍ସପ୍ରେସ୍ ସମେତ ଅନେକ ଟ୍ରେନ୍ ବିଳମ୍ବ, ଯାତ୍ରୀ ହନ୍ତସନ୍ତ
7/01/2023 at 2:08 PM

ନୂଆଦିଲ୍ଲୀ ୭।୧: ଊତ୍ତର ଭାରତରେ ଏବେ ଭୀଷଣ ଥଣ୍ଡା ପଡିଛି। ଥଣ୍ଡା ସାଙ୍ଗକୁ କୁହୁଡି ଏବେ ଜନଜୀବନକୁ ପ୍ରଭାବିତ କରିଛି। ସଡକରେ ଗାଡିମାନଙ୍କ ବେଗ କୁହୁଡି ଯୋଗୁ ଧିମା ହୋଇଥିବା ବେଳେ ରେଳ ମଧ୍ୟ ବିଳମ୍ବରେ ଚାଲୁଛି। ଘନ କୁହୁଡିର ସିଧା ପ୍ରଭାବ ଏବେ ରେଳ ଯାତ୍ରା ଉପରେ ପଡୁଛି। ଦୃଶ୍ୟତା (ଭିଜିବିଲିଟି) କମ୍ ହେଉଥିବାରୁ ଟ୍ରେନର ବେଗରେ ଲଗାମ ଲାଗିଯାଇଛି। ଫଳରେ ରାଜଧାନୀ ଓ ଦୂରନ୍ତ ଏକ୍ସପ୍ରେସ୍ ସମେତ ଅନେକ ଟ୍ରେନ ଏବେ ବିଳମ୍ବରେ ଚାଲୁଥିବା ବେଳେ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି।
ଗୋଟିଏ ପଟେ ଟ୍ରେନ କୁହୁଡି ଯୋଗୁ ବିଳମ୍ବିତ ଚାଲୁଥିବା ବେଳେ ଭୀଷଣ ଶୀତ ଲହରୀରେ ଟ୍ରେନକୁ ଷ୍ଟେସନରେ ଅପେକ୍ଷା କରିବା ଯାତ୍ରୀଙ୍କ ଲାଗି କଷ୍ଟକର ହୋଇପଡିଛି। ଦିଲ୍ଲୀ-ହାୱଡା ରେଳ ରୁଟରେ ସବୁଠୁ ବ୍ୟସ୍ତତମ ଷ୍ଟେସନ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ରେଳ ଜଙ୍କସନ ଦେଇ ଯାଉଥିବା ୧୨୨୬୦ ବିକାନେର-ସିୟାଲଦହ ଦୂରନ୍ତ ଏକ୍ସପ୍ରେସ ନିର୍ଦ୍ଧାରିତ ସମୟରୁ ୬ଘଣ୍ଟା ୩୦ ମିନିଟ୍ ବିଳମ୍ବରେ ଚାଲୁଛି।

ସେହିପରି ନୂଆଦିଲ୍ଲୀ-ହାୱଡା ମଧ୍ୟରେ ଯାତ୍ରା କରୁଥିବା ୧୨୩୦୬ ନୂଆଦିଲ୍ଲୀ-ହାୱଡା ରାଜଧାନୀ ଏକ୍ସପ୍ରେସ୍ ନିୟମିତ ସମୟରୁ ୮ ଘଣ୍ଟା ବିଳମ୍ବରେ ଚାଲୁଥିବା ଜଣାପଡିଛି। ଏହା ଛଡା ଟ୍ରେନ ନମ୍ବର ୧୫୪୮୩ସିକ୍କିମ ମହାନନ୍ଦା ଏକ୍ସପ୍ରେସ୍ ୨ ଘଣ୍ଟା ଡେରିରେ ଚାଲୁଥିବା ବେଳେ ଗୌହାଟୀ ଯାଉଥିବା ଲୋକମାନ୍ୟ ତିଳକ ଏକ୍ସପ୍ରେସ୍ ୧ ଘଣ୍ଟା ବିଳମ୍ବରେ ଚାଲୁଛି। ଏହା ଛଡା ନୂଆଦିଲ୍ଲୀରୁ ଇସ୍ଲାମପୁର ଯାଉଥିବା ୨୦୮୦୨ମଗଧ ଏକ୍ପପ୍ରେସ୍ ୫ ଘଣ୍ଟା ବିଳମ୍ବରେ ଚାଲୁଛି।
ଏହାଛଡା ନୂଆଦିଲ୍ଲୀ-ପୁରୀ ୧୨୮୦୨ପୁରୁଷୋତ୍ତମ ଏକ୍ସପ୍ରେସ୍ ସାଢେ ୫ ଘଣ୍ଟା ବିଳମ୍ବରେ ଚାଲୁଥିବା ବେଳେ କାମାକ୍ଷା ଯାଉଥିବା ୧୫୬୫୭ ବ୍ରହ୍ମପୁତ୍ର ଏକ୍ସପ୍ରେସ୍ ୩ ଘଣ୍ଟା ବିଳମ୍ବରେ ଚାଲୁଛି। ମୁମ୍ବାଇ-ପାଟନା ସୁବିଧା ଏକ୍ସପ୍ରେସ୍ ୨ ଘଣ୍ଟା ବିଳମ୍ବରେ ଚାଲୁଛି। ଏଣୁ ଯାତ୍ରୀମାନେ ଘରୁ ବାହାରିବା ପୂର୍ବରୁ ଟ୍ରେନର ଷ୍ଟାଟସ୍ ପ୍ରଥମେ ଜାଣି ନିଅନ୍ତୁ ବୋଲି ପରାମର୍ଶ ଦିଆଯାଉଛି। ଭୀଷଣ ଥଣ୍ଡାରେ ଟ୍ରେନ ବିଳମ୍ବ ଯାତ୍ରୀଙ୍କ ସମସ୍ୟାକୁ ବହୁଗୁଣିତ କରୁଛି।