ବାଲାଘାଟ ଲାଞ୍ଜିରେ ଖସି ପଡିଲା ପ୍ରଶିକ୍ଷଣ ବିମାନ, ପାଇଲଟ ଓ କୋ-ପାଇଲଟଙ୍କ ମୃତ୍ୟୁ
18/03/2023 at 7:29 PM

ଗୋନ୍ଦିଆ ୧୮।୩: ମହାରାଷ୍ଟ୍ର ବାଲାଘଟ ଜିଲ୍ଲାରୁ ଏକ ବଡ଼ ଖବର ଆସିଛି। ଏଠାକାର ଲାଞ୍ଜି ଥାନା ଅନ୍ତର୍ଗତ ଲୋଡାଗୀ ଅଞ୍ଚଳରେ ଏକ ଟ୍ରେନି ପ୍ଲେନ କ୍ରାସ୍ ହୋଇଯାଇଛି। ଦୁର୍ଘଟଣାରେ ବିମାନର ପାଇଲଟ ଓ ସହ ପାଇଲଟଙ୍କ ମୃତ୍ୟୁ ହୋଇଛି। ବିମାନଟି ମହାରାଷ୍ଟ୍ର ବିରସି ବିମାନ ବନ୍ଦରରୁ ମଧ୍ୟାହ୍ନ ୨ଟା ବେଳେ ଉଡିଥିଲା। ଏହାର କିଛି ସମୟ ପରେ ବିମାନ ଦୁର୍ଘଟଣା ଘଟିଛି। ବିମାନଟି ବାଲାଘାଟର ଲାଞ୍ଜି ଓ କିରନାପୁର ଥାନାର ଭକ୍କୁଟୋଲା ପାହାଡ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡିଛି।

ଦୁର୍ଘଟଣାରେ ମହିଳା ଟ୍ରେନି ପାଇଲଟ ରୁକଶଙ୍କା ଓ ଇନଷ୍ଟ୍ରକ୍ଟର ମୋହିତଙ୍କର ମୃତ୍ୟୁ ହୋଇଛି। ଗୋନ୍ଦିଆ ଏଟିସିଙ୍କ ଏଜିଏମ କମଲେଶ ମେଶ୍ରାମ ଦୁର୍ଘଟଣା ଓ ମୃତକଙ୍କ ନାମ ପୁଷ୍ଟି କରିଛନ୍ତି। କିଛି ଦିନ ପୂର୍ବେ ମଧ୍ୟପ୍ରଦେଶ ମୁରୈନାରେ ପ୍ରଶିକ୍ଷଣ ଅଭ୍ୟାସ କାଳରେ ବାୟୁସେନାର ୨ ଯୁଦ୍ଧ ବିମାନ ସୁଖୋଇ ଏସୟୁ-୩୦ ଓ ମିରାଜ ୨୦୦୦ ଦୁର୍ଘଟଣା ଗ୍ରସ୍ତ ହୋଇ ଜଳି ଯାଇଥିଲେ। ସୁଖୋଇରେ ୨ ଜଣ ପାଇଲଟ ଥିବା ବେଳେ ମିରେଜରେ ଜଣେ ପାଇଲଟ ଥିଲେ।