ଲକ୍‌ଡାଉନ୍ ୩.୦: ଟ୍ରେନ-ପ୍ଲେନ, ମେଟ୍ରୋ ବନ୍ଦ, ମଲ୍-ସିନେମା ହଲ୍ ଖୋଲିବାକୁ ଅନୁମତି ନାହିଁ

Published By : Prameya-News7 Bureau | May 01, 2020 IST

ନୂଆଦିଲ୍ଲୀ ୦୧।୦୫: ଦେଶରେ କ୍ରମାଗତ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଲକ୍‌ଡାଉନ୍ ଅବଧିକୁ ଆଉ ୧୪ ଦିନ ବଢାଇ ଦେଇଛନ୍ତି। ଦେଶରେ ଲକ୍‌ଡାଉନ୍‌ ମେ ୧୭ ପର୍ଯ୍ୟନ୍ତ ଜାରି ରହିବ। ଲକ୍‌ଡାଉନ୍ ପରେ ମଧ୍ୟ କ୍ରମାଗତ ବଢୁଥିବା ସଂକ୍ରମିତ କେସ୍‌କୁ ନଜରରେ ରଖି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ଦେଶରେ ଗ୍ରୀନ ଜୋନରେ ବସ୍‌ ଚଳାଚଳକୁ ଅନୁମତି ଦିଆଯାଇଥିଲେ ହେଁ ବିମାନ ଯାତ୍ରା, ଟ୍ରେନ, ମେଟ୍ରୋ ସେବା ପୂର୍ବପରି ବନ୍ଦ ରହିବ। କୌଣସି ପ୍ରକାରର ମଲ୍ ଓ ସିନେମା ହଲ୍‌ ଖୋଲିବାକୁ ଅନୁମତି ଦିଆଯାଇ ନାହିଁ।

ଗ୍ରୀନ ଜୋନରେ ସମସ୍ତ ବଡ ଆର୍ଥିକ ଗତିବିଧିକୁ ମଞ୍ଜୁର ଦିଆଯାଇଛି। ବସ୍ ଚାଲିବ ମାତ୍ର ବସର କ୍ଷମତା ୫୦ ପ୍ରତିଶତରୁ ଅଧିକ ହେବ ନାହିଁ। ଡିପୋରେ ମଧ୍ୟ ୫୦ ପ୍ରତିଶତରୁ ଅଧିକ କର୍ମଚାରୀ କାମ କରିବେ ନାହିଁ। ଅରେଞ୍ଜ ଜୋନରେ ବସ୍‌ ଚଳାଚଳ କରିବ ନାହିଁ। ମାତ୍ର ଅରେଞ୍ଜ ଜୋନରେ କ୍ୟାବ୍‌ ଚଳାଚଳକୁ ଅନୁମତି ମିଳିଛି। ଗୋଟିଏ ଓଲା , କ୍ୟାବରେ ଡ୍ରାଇଭର ସହିତ କେବଳ ଜଣଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଯାଇଛି। ଅରେଞ୍ଜ  ଜୋନରେ ଇଣ୍ଡଷ୍ଟ୍ରିୟାଲ ଗତିବିଧି ଆରମ୍ଭ ହେବ ଏବଂ କମ୍ପ୍ଲେକ୍ସ ମଧ୍ୟ ଖୋଲିବ। ରେଡ୍ ଜୋନରେ ସବୁ ବନ୍ଦ ରହିବ।

ଗ୍ରୀନଜୋନ  ଜିଲ୍ଲାଗୁଡିକରେ ଫ୍ୟାକ୍ଟ୍ରି, ଦୋକାନ, ଛୋଟ-ଛୋଟ ଉଦ୍ୟୋଗ ସମେତ ଟ୍ରାନ୍ସପୋର୍ଟ ଏବଂ ଅନ୍ୟ ସେବାକୁ ସର୍ତ୍ତ ସହିତ ପୂରା ଖୋଲିବାକୁ ଅନୁମତି ଦିଆଯାଇଛି।  ମାତ୍ର ସ୍କୁଲ, କଲେଜ, ହୋଟେଲ୍, ରେସ୍ତୋରାଁ ବନ୍ଦ ରହିବ।

ଲୋକଙ୍କ ସାର୍ବଜନୀନ ସ୍ଥଳରେ ବଡ ସଂଖ୍ୟା ଏକତ୍ର ହେବା ଉପରେ ମଧ୍ୟ ପ୍ରତିବନ୍ଧକ ଜାରି ରହିବ। ଲୋକଙ୍କୁ ସାମାଜିକ  ଦୂରତ୍ଵ ପାଳନ କରିବାକୁ ପଡିବ। ସାମୁହିକ ଆୟୋଜନ ଉପରେ ମଧ୍ୟ କଟକଣା ଜାରି ରହିବ। ସରକାରୀ ନିର୍ଦ୍ଦେଶ ମୁତାବକ ଜିମ୍ ଓ ସ୍ପୋର୍ଟ୍ସ କ୍ଲବ ମଧ୍ୟ ବନ୍ଦ ରହିବ। କୌଣସି ପ୍ରକାରର ରାଜନୈତିକ, ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟକ୍ରମ ଉପରେ ରୋକ୍ ଜାରି ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.