ଲୁହା ପୋଲ ପରେ ଟ୍ରେନ୍ ଇଞ୍ଜିନ୍ ଚୋରି, ସୁଡ଼ଙ୍ଗ କରି କାଟି ନେଲେ ଚୋର, କବାଡ଼ିଆ ଦୋକାନରୁ ମିଳିଲା ବସ୍ତା ବସ୍ତା ଲୁହା ଖଣ୍ଡ

Published By : Prameya-News7 Bureau | November 25, 2022 IST

ପାଟନା: ବିହାରରୁ ଟ୍ରେନ୍ ଇଞ୍ଜିନ ଚୋରି । ସୁଡ଼ଙ୍ଗ କରି ଟନ୍ ଟନ୍ ଓଜନର ଇଞ୍ଜିନକୁ ଚୋରି କରିନେଇଛନ୍ତି ଚୋର । ପରେ ଏହାକୁ ଖଣ୍ଡ ଖଣ୍ଡ କରି କବାଡ଼ିଆ ଦୋକାନରେ ବିକ୍ରି କରି ଦେଇଛନ୍ତି । ପୋଲିସ ଦୋକାନରେ ଛାନବିନ୍ କରିବା ପରେ ସାମ୍ନାକୁ ଆସିଛି ସତ । ଏଭଳି ଘଟଣା ଘଟିଛି ବିହାର ବେଗୁସରାଇ ଜିଲ୍ଲାରେ । ଟ୍ରେନ୍ ଇଞ୍ଜିନକୁ ଚୋରି କରିବା ପରେ ମିଜାଫରପୁରର ଏକ କବାଡ଼ିଆ ଦୋକାନରେ ଚୋର ବିକ୍ରି କରିଥିଲେ ।   

ରୋହତାସ ଜିଲ୍ଲାରେ ଲୁହା ପୋଲ ଚୋରି ହେଲା ଭଳି ଏଥର ଟ୍ରେନ୍ ଇଞ୍ଜିନ ଚୋରି ହୋଇଛି । ୫ଶହ ଟନ୍‌ର ଲୁହା ପୋଲକୁ ଚୋର ବିକ୍ରି କରିଦେଇଥିଲେ । ଏବେ ଟ୍ରେନ୍ ଇଞ୍ଜିନକୁ ଚୋରି କରିନେଇଛନ୍ତି । ବିହାରର ବେଗୁସରାଇରେ ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ସୁଡ଼ଙ୍ଗ କରି ପୂରା ଟ୍ରେନ୍ ଇଞ୍ଜିନକୁ ଉଠାଇ ନେଇଛନ୍ତି । ଗତ ସପ୍ତାହରେ ଏହି ଘଟଣା ଘଟିଥିଲା । ଗରହାର ରେଲଓ୍ବେ ୟାର୍ଡରୁ ଚୋରଙ୍କ ଗ୍ୟାଙ୍ଗ ଇଞ୍ଜିନକୁ ଚୋରି କରିନେଇଛନ୍ତି । ଏନେଇ ଅଭିଯୋଗ ପରେ ପୋଲିସ ଖୋଜାଖୋଜି ଆରମ୍ଭ କରିଥିଲେ । ପରେ ମିଜାଫରପୁରର ଏକ କବାଡ଼ିଆ ଦୋକାନରେ ଛାନବିନ୍ କରି ଟ୍ରେନ୍ ଇଞ୍ଜିନର କିଛି ଅଂଶ ଜବତ୍ କରିଛି ପୋଲିସ । ଏହି ଘଟଣାରେ ୩ଜଣକୁ ପୋଲିସ ହେପାଜତ ରଖି ପଚରାଉଚରା କରୁଛି ।

ବରିଷ୍ଠ ପୋଲିସ ଅଧିକାରୀ କହିବା ଅନୁଯାୟୀ, ରେଲଓ୍ବେ ୟାର୍ଡରେ ପାଖରେ ଏକ ସୁଡ଼ଙ୍ଗ ଦେଖିବାକୁ ମିଳିଛି । ତେବେ ଏହି ସୁଡ଼ଙ୍ଗ ମାଧ୍ୟମରେ ଚୋର, ଇଞ୍ଜିନକୁ କାଟି ନେଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । କବାଡ଼ିଆ ଦୋକାନରେ ଛାନବିନ୍ କରିବା ପରେ ୧୩ ବସ୍ତା ଇଞ୍ଜନର ଛୋଟ ଛୋଟ ଅଂଶ ଜବତ କରିଛି ପୋଲିସ ।

ଏହା ପୂର୍ବରୁ ଉତ୍ତର ପୂର୍ବ ଅରରିଆ ଜିଲ୍ଲାର ସୀତାଧାର ନଦୀରେ ଥିବା ଏକ ଲୁହା ପୋଲ ଚୋରି ହୋଇଥିଲା । ୪୫ବର୍ଷ ତଳର ୫ଶହ ଟନ୍ ଓଜନ ଷ୍ଟିଲ୍ ପୋଲକୁ ଚୋରି କରି ନେଇଥିଲେ ଚୋର  । ଏଥିରେ ଜଳସେଚନ ବିଭାଗର ଅଧିକାରୀ ସାମିଲ ଥିବା ଅଭିଯୋଗ ହୋଇଥିଲା । ଏଥିରେ ୮ଜଣକୁ ପୋଲିସ ଗରିଫ କରିଥିଲା ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.