ବିହାର ରେଳ ଇଞ୍ଜିନ ଚୋରି ମାମଲା: ଇଞ୍ଜିନ ନୁହେଁ, ଯନ୍ତ୍ରାଂଶ ଚୋରି ହୋଇଛି କହିଲେ ଅଧିକାରୀ, ୭ ଗିରଫ

Published By : Prameya-News7 Bureau | November 26, 2022 IST

ମୁଜଫରପୁର ୨୬।୧୧: ବିହାର ବେଗୁସରାୟ ଜିଲ୍ଲା ବରୌନୀ ରେଳବାଇ ୟାର୍ଡରୁ ରେଳ ଇଞ୍ଜିନ ଚୋରି ଘଟଣାର ସ୍ପଷ୍ଟିକରଣ ଦେଇଛନ୍ତି ରେଳବାଇ ଅଧିକାରୀ। କହିଛନ୍ତି ରେଳ ଇଞ୍ଜିନ ନୁହେଁ ଚୋର ଡିଜେଲ ଲୋକମେଟିଭର ଯନ୍ତ୍ରାଂଶ ଚୋରାଇ ନେଇଥିଲେ। ମାମଲାରେ ଏପର୍ଯ୍ୟନ୍ତ ୭ ଜଣ ଗିରଫ ହୋଇଥିବା ବେଳେ ୯୫ ପ୍ରତିଶତ ଯନ୍ତ୍ରାଂଶ ଜବତ ହୋଇଛି।

ପୂର୍ବ-ମଧ୍ୟ ରେଳବାଇ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ (ସିପିଆରଓ) ବୀରେନ୍ଦ୍ର କୁମାର ଏ ବାବଦେ ଶନିବାର ଗଣମାଧ୍ୟମକୁ ସୂଚିତ କରିଛନ୍ତି। ସେ କହିଛନ୍ତି ଯେ ଚୋରମାନେ ରେଳବାଇ ୟାର୍ଡରୁ ଇଞ୍ଜିନ ଚୋରାଇ ନେଇଥିବାର କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ତେବେ ରେଳ ଇେଞ୍ଜିନ ଚୋରାଇ ନେବା କୌଣସି ମଣିଷ ପକ୍ଷେ ସମ୍ଭବ ନୁହେଁ । ତେବେ ଚୋରମାନେ ସେଡରେ ରଖା ଯାଇଥିବା ଡିଜେଲ ଲୋକମେଟିଭ ଇଞ୍ଜିନରୁ କେବୁଲ ଏବଂ ଓଜନଦାର ସାମଗ୍ରୀ ଚୋରାଇ ନେଇଥିଲେ। ଏହି ଚୋରି ମାମଲାରେ ଏପର୍ଯ୍ୟନ୍ତ ୭ ଜଣଙ୍କୁ ପୋଲିସ ଗିରଫ କରିଛି।

ସେ କହିଛନ୍ତି ଯେ ଚୋରମାନେ ମୁଖ୍ୟତଃ ଡିଜେଲ ଇଞ୍ଜିନର ଟ୍ରାକ୍ସନ ମୋଟରରୁ ମହଙ୍ଗା ତମ୍ବା କେବୁଲ ଚୋରାଇ ନେଇଥିଲେ। ଜୋନରେ ରେଳ ଖଣ୍ଡର ବିଦ୍ୟୁତକରଣ ଯୋଗୁ ଅନୁପଯୋଗୀ ହୋଇପଡିଥିବା ପୁରୁଣା ଡିଜେଲ ଇଞ୍ଜିନଗୁଡିକୁ ସେଡରେ ରଖା ଯାଇଛି। ଏହି ଇଞ୍ଜିନଗୁଡିକୁ ସ୍ପେୟାର ଭାବେ ରଖାଯାଇଥିଲା। କାରଣ ୯୦ ପ୍ରତିଶତ ରେଳ ଖଣ୍ଡର ବିଦ୍ୟୁତକରଣ ଇତିମଧ୍ୟରେ ଶେଷ ହୋଇଛି। ଏଣୁ ଏହି ଇଞ୍ଜିନଗୁଡିକର ଖୁବ୍ କ୍ୱଚିତ ଉପଯୋଗ ହେଉଥିଲା।

{"id":714067,"width":889,"height":585,"sizeSlug":"full","linkDestination":"none"}

ତେବେ ଚୋରମାନେ ରେଳ ଇଞ୍ଜିନର କେବୁଲ ଏବଂ ଓଜନଦାର ଜିନିଷ ଚୋରାଇ ନେଇଥିଲେ। ହେଲେ ପୁରା ଇଞ୍ଜିନ ଚୋରାଇ ନେବାର ଖବର ମିଛ ବୋଲି ରେଳବାଇ ଅଧିକାରୀ କହିଛନ୍ତି। ତେବେ ରେଲୱେ ସେଡରେ କେତୋଟି ଇଞ୍ଜିନ ଛିଡା ହୋଇ ରହିଛି ସେବାବଦେ ସିପିଆରଓ ବିସ୍ତୃତ ସୂଚନା ଦେଇ ନାହାନ୍ତି। ସେହିପରି ଏହି ରେଳବାଇ ସାମଗ୍ରୀ ଚୋରି ନିମନ୍ତେ ଚୋରମାନେ କୌଣସି ସୁଡଙ୍ଗ ଖୋଳି ନଥିଲେ କି ସୁଡଙ୍ଗ ରାସ୍ତାରେ ସେମାନେ ଚୋରି କରି ନାହାନ୍ତି। ହେଲେ ଗଣମାଧ୍ୟମରେ ଚୋର ସୁଡ଼ଙ୍ଗ କରି ୟାର୍ଡୁରୁ ଇଞ୍ଜିନ ଚୋରାଇ ନେଇଥିବାର ଭ୍ରମାତ୍ମକ ଖବର ପ୍ରକାଶ ପାଇଥିବା ସିପିଆରଓ କହିଛନ୍ତି।

ତେବେ ଚୋରମାନେ ପାଚେରି ଡେଇଁ ନଚେତ ପାଚେରୀ ତଳେ ସୁଡଙ୍ଗ କରି ରେଲୱେ ୟାର୍ଡକୁ ପଶିଥିବାର ଆଶଙ୍କା କରାଯାଉଛି। ଏ ବାବଦେ ଖୁବ୍ ଶୀଘ୍ର ଆହୁରି ଗିରଫଦାରୀ ହୋଇପାରେ ବୋଲି ସିପିଆରଓ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ ସପ୍ତାହରେ ମରାମତି ନିମନ୍ତେ ଗରହରା ୟାର୍ଡକୁ ଯାଇଥିବା ଡିଜେଲ ରେଳ ଇଞ୍ଜିନ ଚୋରି ହୋଇଯାଇଥିବା ନେଇ ବରୌନୀ ଥାନାରେ ଲିଖିତ ଏତଲା ଦିଆଯାଇଥିଲା। ମାମଲାରେ ଯାଞ୍ଚ ବେଳେ ୩ ଜଣଙ୍କୁ ଗିରଫ କରାଯାଇଥିବା ବରିଷ୍ଠ ଆରପିଏଫ ଅଧିକାରୀ  ସୂଚିତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.