ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ବିଶ୍ବନାଥ’ର ଟ୍ରେଲର ଲୋକାର୍ପିତ

Published By : Prameya-News7 Bureau | February 24, 2022 IST

ଭୁବନେଶ୍ବର ୨୪/୦୨ : ବହୁ ପ୍ରତିକ୍ଷିତ ବ୍ୟୟ ବହୁଳ ଓଡ଼ିଆ ଚଳଚ୍ଚିତ୍ର ‘ବିଶ୍ବନାଥ’ର ପ୍ରଥମ ଟ୍ରେଲର ମୁକ୍ତିଲାଭ କରିଛି। ଭୁବନେଶ୍ବରରେ ଥିବା ଏକ ତାରକା ହୋଟେଲ ପରିସରରେ ଆୟୋଜିତ ଏକ ରଙ୍ଗାରଙ୍ଗ ପରିବେଶରେ ପ୍ରଯୋଜକ ଶଙ୍କର ଗୌଡ, ନିର୍ଦ୍ଦେଶକ ବବଲି କିରଣ, ଅଭିନେତା ରାଇମୋହନ, ସମ୍ବିତ, ଅଭିନେତ୍ରୀ ସମ୍ଭାବନା ଓ ଚଳଚ୍ଚିତ୍ରର କ୍ରିଏଟିଭ ହେଡ ପଣୟ ଜେଠୀଙ୍କ ସହ ଏହି ଲୋକାର୍ପଣ ଉତ୍ସବରେ ଅନ୍ୟ କଳାକାର, ଟେକନିସିଆନ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ। ବିଶ୍ବନାଥର ଟ୍ରେଲର ଦେଖିବା ପରେ ଉପସ୍ଥିତି ଅତିଥି ଦର୍ଶକ ବେଶ ଉତ୍ସାହିତ ହୋଇଥିଲେ।

ଏହି ଚଳଚ୍ଚିତ୍ରରେ ରାଇମୋହନ, ପୃଥ୍ୱୀରାଜ, ଚୌଧୁରି ବିକାସ ଦାସଙ୍କ ସହିତ ସ୍ବର୍ଗତ ମିହିର ଦାସ ଏକାଠି ଦେଖିବାକୁ ମିଳିବେ। ପୁଣି ସ୍ବର୍ଗତ ସଲିଲ ମିତ୍ରଙ୍କ ସହ ଅଭିନେତ୍ରୀ ପ୍ରତିଭା ପଣ୍ଡା, ମନୀଷା ମିଶ୍ର, ନୂପୁର ଘୋଷ, ପିଣ୍ଟୁ ନନ୍ଦ, ଭବାନୀ, ବିଶ୍ବ, ପବନ ଏବଂ ଚଳଚ୍ଚିତ୍ରରେ ଥିବା ଆଇଟମ ଗୀତ ଦୃଶ୍ୟରେ ଅଭିନେତ୍ରୀ ଅନନ୍ୟା ଅଛନ୍ତି। ମହୁରତ ଓ ସୁଟିଂଫ୍ଲୋରରେ ଥିବାବେଳେ ଚର୍ଚ୍ଚାରେ ଥିବା ଏହି ଚଳଚ୍ଚିତ୍ରର ଟ୍ରେଲର ଏବେ ରିଲିଜ ହୋଇଛି । ଏଥିରେ ନାୟକ ଭାବେ ସମ୍ବିତ ଓ ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ସମ୍ଭାବନା । ଏ ଦୁଇଜଣଙ୍କ ସହ ‘ବିଶ୍ବନାଥ’ ଚଳଚ୍ଚିତ୍ର ମାଧ୍ୟମରେ ପ୍ରଥମ ଥର ପାଇଁ ବଡ଼ ପରଦାକୁ ଆସୁଛନ୍ତି ଅଭିନେତ୍ରୀ ସଙ୍ଗୀତା । ଏଚଏମଟି ନିବେଦିତ ଓ ଶଙ୍କର ଗୌଡ଼ଙ୍କ ପ୍ରଯୋଜିତ ଏଇ ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ତେଲୁଗୁ ସିନେ ଜଗତର ପରିଚିତ ନିର୍ଦ୍ଦେଶକ ବବଲି କିରଣ । ଏଥିରେ ସଂଳାପ ରଚନା କରିଛନ୍ତି ରଜନୀ ରଞ୍ଜନ। ନିକଟରେ ଚଳଚ୍ଚିତ୍ର ସହ ଯଡ଼ିତ ପ୍ରଯୋଜକ, ନିର୍ଦ୍ଦେଶକ ଓ ଅଭିନେତା, ଅଭିନେତ୍ରୀ ଏକାଠି ହୋଇ ଏକ ରଙ୍ଗାରଙ୍ଗ ପରିବେଶରେ ଏହାର ଟ୍ରେଲର ଲୋକାର୍ପଣ କରିଛନ୍ତି। ଏହି ଚଳଚ୍ଚିତ୍ରଟି ଖୁବଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ଏହାର କ୍ରିଏଟିଭ ହେଡ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.