ବ୍ରଡକାଷ୍ଟରଙ୍କୁ TRAIଙ୍କ ଚେତାବନୀ, ଚାନେଲ ମୂଲ୍ୟ ବଢ଼ାଇଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
22/10/2021 at 8:27 PM

ନୂଆଦିଲ୍ଲୀ ୨୨।୧୦: କିଛି ବ୍ରଡକାଷ୍ଟର ଟେଲିଭିଜନ ଚାନେଲଙ୍କ ଅ-ଲା-କାର୍ଟେ ମୂଲ୍ୟ ନିର୍ଦ୍ଧାରଣ ଲାଗି ପାଇଥିବା ସ୍ୱାଧୀନତାର ଦୂରୁପଯୋଗ କରୁଛନ୍ତି। ଏପରି ଟେଲିଭିଜନର ପ୍ରସାରକଙ୍କ ଉପରେ କଡା ନଜର ରଖା ଯିବ ବୋଲି ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟିଆରଏଆଇ) ଶୁକ୍ରବାର ସତର୍କ କରାଇଦେଇଛନ୍ତି। ଆସନ୍ତା ଡିସେମ୍ବରରୁ ଦେଶରେ ଟେଲିଭିଜନ ଚାନେଲ ଶୁଳ୍କ ବୃଦ୍ଧି ନେଇ ଚର୍ଚ୍ଚାରେ ଟ୍ରାଇ ଏହି ସତର୍କତା ଜାରିକରିଛନ୍ତି।

କୌଣସି ଟେଲିଭିଜନ ଚାନେଲଙ୍କ ନାମ ନ ନେଇ ଗ୍ରାହକ ଓ ଏହି କ୍ଷେତ୍ରର ବ୍ୟାପକ ହୀତକୁ ଦୃଷ୍ଟିରେ ରଖି କାର୍ଯ୍ୟାନୁଷ୍ଠାନ କରିବାରେ ଟ୍ରାଇ ପଛଘୁଞ୍ଚା ଦେବେ ନାହିଁ ବୋଲି ଚେତାଇ ଦେଇଛନ୍ତି। କିଛି ପ୍ରମୁଖ ପ୍ରସାରକ ନୂଆ ଟାରିଫ ଡ୍ରାଇଭର ଓ ଲୋକପ୍ରୀୟ ଚାନେଲଙ୍କ ମୂଲ୍ୟ ବୃଦ୍ଧି ଲାଗି କରିଥିବା ଘୋଷଣାରୁ ସେମାନଙ୍କ ଉଦ୍ଦେଶ୍ୟ ଜଣାପଡି ଯାଉଛି ବୋଲି ଟିଆରଏଆଇ କହିଛନ୍ତି। ସେମାନଙ୍କ ଘୋଷିତ ଡ୍ରାଇଭର ଚାନେଲରେ ସାଧାରଣ ମନୋରଞ୍ଜନ ଚାନେଲ (ଜେଇସି) ଓ ଖେଳ ଚାନେଲମାନେ ଅଛନ୍ତି।

ଏପରି ଚାନେଲମାନେ ମୂଲ୍ୟବୃଦ୍ଧି ଲାଗି ଭ୍ରମ ସୃଷ୍ଟି କରୁଛନ୍ତି। ଏନଟିଓ ୨.୦ ଲାଗି ସେମାନେ ମୂଲ୍ୟ ବୃଦ୍ଧି କରିବାକୁ ବାଧ୍ୟ ହେଉଥିବା କହୁଛନ୍ତି। ଏଣୁ ଯଦି କେହି ଉପଭୋକ୍ତା ଲୋକପ୍ରିୟ ଜିଇସି ଚାନେଲ ଅଥବା ଖେଳ ଚାନେଲ ବାଛୁଛନ୍ତି ସେମାନଙ୍କୁ ଅତିରିକ୍ତ ୧୦୦ ଟଙ୍କା ପୈଠ କରିବାକୁ ଦାବି କରୁଛନ୍ତି। ତେବେ ଏହା ଅଭିସନ୍ଧି ମୂଳକ ଓ ଲାଭଖୋର ମନବୃତ୍ତି ବୋଲି ଟ୍ରାଇ କହିଛନ୍ତି। ଯଦି ଟାରିଫରେ କୌଣସି ପରିବର୍ତ୍ତନ କରାଯାଏ ତେବେ ଟ୍ରାଇ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ କରିବେ ବୋଲି ସତର୍କ କରାଇଛନ୍ତି।