କରାଚୀ ୨୯।୫: ପାକିସ୍ତାନ ବଲୁଚିସ୍ତାନରେ ଏକ ଯାତ୍ରୀବାହୀ ବସ୍ ଖାଇକୁ ଖସିପଡିଛି। ଫଳରେ ମହିଳା ଓ ଶିଶୁଙ୍କ ସହିତ ଅନୁନ୍ୟ ୨୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨୨ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ବଲୁଚିସ୍ତାନ ରାଜଧାନୀ କ୍ୱେଟାରୁ ୭୦୦ କିଲୋମିଟର ଦୂର ବାସୁକ ସହର ନିକଟରେ ଘଟିଛି। ଆସିଷ୍ଟାଣ୍ଟ କମିଶନର ଇସ୍ମାଇଲ ମେଙ୍ଗଲ ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଅନ୍ୟ ୨୨ ଜଣଙ୍କୁ ହସ୍ପିଟାଲ ପଠାଯାଇଥିବା ବେଳେ ସେଠାରେ ମୃତ୍ୟୁ ହୋଇଛି।
ମେଙ୍ଗଲ କହିଛନ୍ତି ଯେ ଦୁର୍ଘଟଣାର କାରଣ ଜଣାପଡି ନଥିଲେ ହେଁ ରାସ୍ତାର ମୋଡରେ ଟାୟାର ଫାଟିଯିବାରୁ ବସ୍ ରାସ୍ତାରୁ ଖାଇକୁ ଖସିଥିବା ଆଶଙ୍କା କରାଯାଉଛି। ତେବେ ରିପୋର୍ଟରେ କୁହାଯାଇଛି ଯେ ଦ୍ରୁତ ବେଗ ଦୁର୍ଘଟଣାର ମୁଖ୍ୟ କାରଣ। ହେଲେ ଜିଓ ନ୍ୟୁଜ ଅଧିକାରୀଙ୍କ ସୂତ୍ରରୁ ଟାୟାର ଫାଟିବା ଯୋଗୁ ବସ୍ ଦୁର୍ଘଟଣା ହୋଇଥିବା କହିଛି। ସବୁ ମୃତାହତଙ୍କୁ ଉଦ୍ଧାର କରି ବସିମା ସିଭିଲ ହସ୍ପିଟାଲ ପଠାଯାଇଛି। ପାକିସ୍ତାନରେ ସଡ଼କ ଦୁର୍ଘଟଣା ଏକ ସାଧାରଣ କଥା। କାରଣ ଦେଶରେ ଯାତାୟାତ ନିୟମ ଓ ସୁରକ୍ଷା ମାନକ ପାଳନ ହୁଏନି।
ଏହା ପୂର୍ବରୁ ପଞ୍ଜାବର ଖୁସାବ ଜିଲ୍ଲାରେ ମେ ୧୮ ତାରିଖ ଦିନ ଏକ ଟ୍ରକ ଖାଇକୁ ଖସିବାରୁ ଗୋଟିଏ ପରିବାରର ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ଅନ୍ୟ ୯ ଜଣ ଆହତ ହୋଇଥିଲେ। ସେହିପରି ମେ ୩ ତାରିଖ ଦିନ ଗିଲଗିଟ୍ ବାଲଟିସ୍ତାନ ଏକ ଯାତ୍ରୀବାହୀ ବସ୍ ଖାଇକୁ ଖସିପଡିବାରୁ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୧ ଜଣ ଆହତ ହୋଇଥିଲେ।