ଛତିଶଗଡ଼ ମହାସମୁନ୍ଦ ଜିଲ୍ଲାରେ ଅଘଟଣ; ଇଟାଭାଟି ଉପରେ ଶୋଇଥିବା ବେଳେ ୫ ମୃତ
15/03/2023 at 12:04 PM

ରାୟପୁର: ଛତିଶଗଡ଼ ମହାସମୁନ୍ଦ ଜିଲ୍ଲାରେ ଅଭାବନୀୟ ଘଟଣା । ଇଟା ତିଆରି ଫ୍ୟାକ୍ଟ୍ରିରେ ଅଣନିଶ୍ବାସୀ ହୋଇ ୫ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ସେହିପରି ଅନ୍ୟ ଜଣେ ଶ୍ରମିକ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
ସ୍ଥାନୀୟ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଗାଢଫୁଲଝର ଗାଁରେ ଇଟାଭାଟି ଉପରେ ୬ଜଣ ଶ୍ରମିକ ଶୋଇଥିଲା । ଏମାନଙ୍କ ମଧ୍ୟରୁ ୫ଜଣ ଭାଟି ଧୁଆଁରେ ଅଣନିଶ୍ବାସୀ ହୋଇ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି ।
ପୋଲିସର ସୂଚନା ମୁତାବକ, ମଙ୍ଗଳବାର ରାତିରେ ୫ଜଣ ଶ୍ରମିକ ଇଟା ତିଆରି କରିବା ସମୟରେ ଶୋଇପଡ଼ିଥିଲେ । ବୁଧବାର ସକାଳୁ ତାଙ୍କୁ ଅନ୍ୟ ଶ୍ରମିକ ମାନେ ଉଠାଇଥିଲେ ମଧ୍ୟ ସେମାନଙ୍କ ଉଠିନଥିଲେ । ପରେ ଶ୍ରମିକ ମାନେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ୫ ଶ୍ରମିକଙ୍କ ମୃତଦେହ ଜବତ କରିବା ସହିତ ଜଣେ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଇଟାଭାଟିରେ ଅଣନିଶ୍ବାସୀ ହେବା ଯୋଗୁ ସେମାନଙ୍କର ମୃତ୍ୟୁ ହୋଇଛି ବୋଲି ପୋଲିସ ସନ୍ଦେହ କରୁଛି । ଜଣେ ବରିଷ୍ଠ ଅଧିକାରୀଙ୍କ ନେତୃତ୍ବରେ ପୋଲିସ ଯାଞ୍ଚ ଆରମ୍ଭ କରିବା ସହିତ ମୃତକଙ୍କୁ ଚିହ୍ନଟ କରି ପରିବାର ଲୋକଙ୍କୁ ଖବର ଦେଇଛି ।