ପୂରିଲା କଣ୍ଟ, ମାର୍ଚ୍ଚ ପହିଲାରୁ ଟ୍ରାଫିକ୍ ନିୟମ ହେବ କଡାକଡି

Published By : Prameya-News7 Bureau | February 27, 2020 IST

ଭୁବନେଶ୍ବର ୨୭।୨: ଟ୍ରାଫିକ୍ ନିୟମ କୋହଳ ହେବାର ଛଅ ମାସର କଣ୍ଟ ପୁରିଛି । ମାର୍ଚ୍ଚ ୧ ତାରିଖରୁ ଜୋରଦାର ଚଢାଉ କରାଯିବ । ନୂଆ ମୋଟର ଯାନ ଆଇନ ଅନୁଯାୟୀ ଜରିମନା ଆଦାୟକୁ କଡାକଡି କରାଯିବ । ରାଜ୍ୟରେ ସଡକ ଦୁର୍ଘଟଣା ୫୦ ପ୍ରତିଶତକୁ କମାଇବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରାୟ ଲୋକ କାଗଜପତ୍ର ଠିକ୍ କରି ସାରିଲେଣି । ଆଉ ଆରଟିଓ ଅଫିସରେ ସେଭଳି ଭିଡ ହେଉନାହିଁ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ପହିଲାରୁ ଦେଶବ୍ୟାପୀ ନୂଆ ମୋଟର ଯାନ ଆଇନ ଲାଗୁ ହୋଇଥିଲା । ନୂଆ ଆଇନ ଲାଗୁ ହେବା ପରେ ଚଢାଉ ଜୋରଦାର କରାଯାଇଥିଲା । ତେବେ ଗାଡି ଚାଳକଙ୍କ ଗାଡି କାଗଜପତ୍ର ଠିକ୍ ନଥିବାରୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଇଥିଲା । ଯାହା ଫଳରେ ନିୟମକୁ ତିନି ମାସ ପର୍ଯ୍ୟନ୍ତ କୋହଳ କରାଯାଇଥିଲା । ପୁର୍ନବାର ଆଉ ଦୁଇ ମାସ ପର୍ଯ୍ୟନ୍ତ ନିୟମ କୋହଳ କରାଯାଇଥିଲା । ତେବେ ଏହି କଣ୍ଟ ପୂରୁଥିବାରୁ ଆସନ୍ତା ମାର୍ଚ୍ଚ ୧ ତାରିଖରୁ ନିୟମ କଡାକଡି କରାଯିବ ବୋଲି ପରିବହ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ତେବେ ନୂଆ ମୋଟର ଯାନ ଆଇନ ଅନୁସାରେ ୧୦ଟି ଦିଗକୁ ଗୁରୁତ୍ବ ଦିଆଯାଇଛି । ଦ୍ରୁତ ଗତିରେ ଗାଡି ଚଲାଇବା, ଟ୍ରାଫିକ ସିଗ୍ନାଲ୍ ନମାନିବା, ମଦ ପିଇ ଗାଡି ଚଳାଇବା, ରଙ୍ଗରୁଟ୍ ରେ ଗାଡ଼ି ଚଲାଇବା, ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥା ହେବାକୁ ବିଲକୁଲ ମାଫ୍ କରାଯିବନାହିଁ । ସେହିପରି ବିପଦପୂର୍ଣ୍ଣ ଭାବେ ଗାଡ଼ି ଚଳାଇବା, ଦୁଇଚକିଆ ଗାଡିରେ ତିନିଜଣ ବସିବା, ହେଲମେଟ୍ ନପିନ୍ଧିବା, ସିଟ୍ ବେଲ୍ଟ ନବାନ୍ଧିବା ସାଙ୍ଗକୁ ଗାଡିରେ ଓଭଲଲୋଡିଂ ମାଲ ପରିବହନ କରୁଥିବା ଚାଳକଙ୍କଠାରୁ ଆଦାୟ ହେବ ମୋଟା ଅଙ୍କର ଫାଇନ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.