ଆଜିଠାରୁ କଡା କଡି ହେଲା ଟ୍ରାଫିକ ନିୟମ
1/03/2020 at 7:55 PM

ଭୁବନେଶ୍ୱର /କଟକ- ୦୧।୦୩- ଦୁଇ ଦୁଇଥର କଣ୍ଟ ସରିବା ପରେ ଆଜିଠାରୁ ପୁଣି ଆରମ୍ଭ ହୋଇଛି ଧରପଗଡ଼, କଡ଼ାକଡ଼ି ଲାଗୁ ହୋଇଛି ଟ୍ରାଫିକ ନିୟମ । ଆଜି ଗାଡ଼ିମୋଟର ଯାଞ୍ଚ ସମୟରେ ଅନେକ ରୋଚକ ଦୃଶ୍ୟ କଏଦ ହୋଇଛି କ୍ୟାମେରାରେ । କିଏ ଧରାପଡ଼ିବା ପରେ ଭୁଲ ହୋଇଗଲା କହି ଗୁହାରି କରିଛି ତ ଆଉ କିଏ ରାସ୍ତାମଝିରେ ଚିଲ୍ଲାଇଛି । କିଏ ୫୦୦ ଟଙ୍କାର ମାଛ କିଣିବାକୁ ଆସି ହଜାରେ ଟଙ୍କା ଫାଇନ ଗଣିଛି ତ ଆଉକାହାର ଗାଡ଼ି ଦାମ୍ ଠୁ ବଳିଯାଇଛି ଜରିମାନା ।

୬ ମାସ ସମୟ ଦିଆଗଲା, ତଥାପି ବି ଟ୍ରାଫିକ ନିୟମ ମୁଣ୍ଡରେ ପଶିଲାନି। କଣ୍ଟ ସରିବା ପରେ ଆଜି କଡ଼ାକଡ଼ି ଲାଗୁ ହୋଇଛି ଟ୍ରାଫିକ ନିୟମ। ପୁଣି ଆରମ୍ଭ ହୋଇଯାଇଛି ଧରପଗଡ଼ । ଆଜି ପ୍ରଥମ ଦିନରେ ସର୍ବାଧିକ ଲକ୍ଷେ ୧୦ ହଜାର ୮୦୦ ଟଙ୍କାର ଜରିମାନା ପକାଇଛି ରାୟଗଡ଼ା ଆରଟିଓ । ୩୨୬ ନମ୍ଵର ଜାତୀୟ ରାଜପଥର ଖଲିଗୁଡାଠାରେ ଆରଟିଓ ଏବଂ ପୋଲିସ ପକ୍ଷରୁ ଚେକିଂ ଚାଲିଥିବା ବେଳେ ଧରାପଡ଼ିଥିଲା ଆନ୍ଧ୍ରପ୍ରଦେଶରୁ କାଠ ନେଇ ଆସୁଥିବା ଏହି ଟ୍ରକ । ପରମିଟ ନଥିବା ଏବଂ ଟ୍ୟାକ୍ସ ପଇଠ କରି ନଥିବାରୁ ଗାଡ଼ି ଉପରେ ଏହି ଫାଇନ କରାଯାଇଛି ।…

ଛକରେ ଯନ୍ତା ପକାଇ ଛକି ରହିଥିଲେ ଟ୍ରାଫିକ ପୋଲିସ । ଜଣେ ବାଇକ ଚାଳକଙ୍କଠାରୁ ୨୨ ହଜାର ଟଙ୍କାର ଫାଇନ ଆଦାୟ ହୋଇଛି । ବାଇକ ଚାଳକଙ୍କର ଡିଏଲ, ହେଲମେଟ ନଥିବା ସହ ଗାଡ଼ିର ଇନ୍ସୁରାନ୍ସ, ପଲ୍ୟୁସନ, ରେଜିଷ୍ଟ୍ରେସନ ନ ଥିବାରୁ ଏହି ଫାଇନ କଟାଯାଇଛି ।… ଟ୍ରାଫିକ ଚେକିଂ ବେଳେ ରାଜମହଲ ଛକରେ ଘଟିଥିଲା ତୁମୁଳ କାଣ୍ଡ । ରଙ୍ଗ ରୁଟରେ ଆସୁଥିଲେ ମୁଣ୍ଡରେ ହେଲମେଟ ଦେଇନଥିବାରୁ ଜଣେ ମହିଳାଙ୍କୁ ଧରିଥିଲା ପୋଲିସ । ଗାଡି ଜବତ ପରେ କୋର୍ଟ ଚାଲାଣ ପାଇଁ ପୋଲିସ କହିବାରୁ ମହିଳା ଜଣଙ୍କ ରାଗିଯାଇଥିଲେ ।

ଏପଟେ କଟକରେ ମଧ୍ୟ ଆଜି କିଛି ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ମଧୁପାଟଣା ଛକରେ ଅନେକ ଯୁବକ ବିନା ହେଲମେଟ୍ ରେ ଧରା ପଡିବା ପରେ ସିଧା ସିଧା ଭୁଲ୍ ମାଗିଥିଲେ । ରବିବାର ଆଇଁଶ ବାର ଥିବାରୁ କିଛି ଲୋକ ମାର୍କେଟକୁ ଆସି ହଟହଟା ହୋଇଥିଲେ । କିଏ ପାଞ୍ଚ ଶହ ଟଙ୍କାରେ ମାଂସ କିଣି ହଜାରେ ଟଙ୍କା ଫାଇନ ଗଣି ଘରକୁ ଫେରିଥିଲେ ତ ଆଉ କାହାର ଗାଡ଼ି ଦାମଠାରୁ ବଳିଯାଇଥିଲା ଫାଇନ । କିଛି ଲୋକ ତ ଥାନାରେ ଗାଡି ଛାଡି ଚାଲିଯାଇଥିଲେ।…

ରାଉରକେଲାରେ ଯାଞ୍ଚବେଳେ କିଛି ଲୋକ ଅଜବ ଯୁକ୍ତି ରଖିଥିଲେ । ସହର ସାରା ଖାଲଖମାରେ ଭର୍ତ୍ତି, ତେଣୁ ପ୍ରଥମେ ପ୍ରଥମେ ରାସ୍ତା ଠିକ କରାଯାଉ ତାପରେ ଫାଇନ ପକାଯାଉ ବୋଲି ଧରାପଡ଼ିଥିବା ଲୋକ ଯୁକ୍ତି କରିଥିଲେ ।

ଏପଟେ ବ୍ରହ୍ମପୁର ଆରଟିଓ ଅଫିସର ଅସ୍ଥାୟୀ କ୍ୟାମ୍ପରେ ରବିବାର ସତ୍ତ୍ବେ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା । ଲାଇସେନ୍ସ ପାଇଁ ଲୋକେ ଲମ୍ବା ଲାଇନ ଲଗାଇଥିଲେ । ତେବେ ସମ୍ବଲପୁରରେ ଧରାପଡ଼ିଥିବା କିଛି ଲୋକ ବିଭିନ୍ନ ବାହାନା ଦେଖାଇବା ସହ ବିତଣ୍ଡା ଯୁକ୍ତି କରିଥିଲେ। ସେହିପରି ପୁରୀରେ କଟକଣାକୁ ଫୁ କରି ଉଡ଼ାଇଦେଇଛନ୍ତି ଉଲ୍ଲଂଘନକାରୀ । ଅନେକ ବ୍ୟକ୍ତି ବିନା ହେଲମେଟରେ ଗାଡ଼ି ଚଳାଇବା ସହ ଫୋନରେ କଥା ହୋଇଯାଉଥିବା ଦେଖାଯାଇଥିଲା। ପୁଣି ଗୋଟିଏ ବାଇକରେ ତିନି ତିନି ଜଣ ଲେଖାଏଁ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏସବୁ ଭିତରେ ଏଭଳି ଚେକିଂ ଜାରି ରହିବାକୁ ମତ ଦେଇଛନ୍ତି ଲୋକେ।
