ଫରିଦାବାଦ ୨୭।୧୧: ହରିଆଣା ଫରିଦାବାଦରେ ଟ୍ରାଫିକ୍ ପୋଲିସଙ୍କ ଦାୟିତ୍ବହୀନତା ସାମ୍ନାକୁ ଆସିଛି । ଟ୍ରାଫିକ୍ ପୋଲିସ ହେଲମେଟ୍ ପିନ୍ଧିନଥିବା ବାଇକ୍ ଚାଳକଙ୍କୁ ଧରିବା ସହ ତାଙ୍କର ଚାଲାଣ କାଟିଥିଲେ । ମାତ୍ର ଚାଲାଣର ମେସେଜ୍ ଆସିଛି ହୋଣ୍ଡା ସିଟି କାର୍ ମାଲିକଙ୍କ ନିକଟକୁ । ଚାଲାଣର ମେସେଜ୍ ଦେଖିବା କ୍ଷଣି ହୋଣ୍ଡା ସିଟି ମାଲିକଙ୍କ ହୋସ୍ ଉଡିଗଲା । ଏହାକୁ ନେଇ କାର୍ ମାଲିକ ଟ୍ରାଫିକ୍ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ଟ୍ରାଫିକ୍ ବିଭାଗର ଅଧିକାରୀ ତୁରନ୍ତ ଏହାର ସମାଧାନ କରାଯିବ ବୋଲି କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଫରିଦାବାଦର ପାଲି ଗାଁ ନିବାସୀ କିଶନ ଭଡାନା ଗତ ଶନିବାର ଦିନ ନିଜ ବାଇକ୍ ନେଇ ଏନଆଇଟି ଅଞ୍ଚଳକୁ ଯାଇଥିଲେ । ସେହି ସମୟରେ ସେ ହେଲମେଟ୍ ପିନ୍ଧି ନଥିଲେ । ଫଳରେ ଟ୍ରାଫିକ୍ ପୋଲିସ ତାଙ୍କୁ ଧରିବା ସହ ହେଲମେଟ୍ ପିନ୍ଧି ନଥିବା ଅଭିଯୋଗରେ ହଜାରେ ଟଙ୍କାର ଚାଲାଣ କାଟିଥିଲେ । ମାତ୍ର ଯେଉଁ ସମୟରେ ଟ୍ରାଫିକ୍ ପୋଲିସ ମେସିନ ସାହାଯ୍ୟରେ ଚାଲାଣ କାଟୁଥିଲେ ସେହି ସମୟରେ ଭୁଲରେ ଅଲଗା ଏକ ବଟନ ଚିପିହୋଇଯାଇଥିଲା ।
ଫଳରେ ଚାଲାଣର ଏକ ମେସେଜ୍ ଫରିଦାବାଦର ଏନଆଇଟିରେ ରହୁଥିବା ରାଜନ ଭାଟିଆଙ୍କ ନିକଟକୁ ପଳାଇଥିଲା । ଚାଲାଣର ମେସେଜ୍ ଦେଖି ରାଜନଙ୍କ ହୋଶ୍ ଉଡିଯାଇଥିଲା । ତାଙ୍କ କାର୍ ଟି ଘର ବାହାରେ ଛିଡା ହୋଇଥିଲା । ତେବେ ତାଙ୍କର କେମିତି ଚାଲାଣ କଟିଲା ବୋଲି ସେ ଆଶ୍ଟର୍ଯ୍ୟ ହୋଇଯାଇଥିଲେ । ସେ ତୁରନ୍ତ ଟ୍ରାଫିକ୍ ପୋଲିସ ଅଧୀକ୍ଷକଙ୍କ ନିକଟରେ ଏନେଇ ଅଭିଯୋଗ କରିଥିଲେ । ଟ୍ରାଫିକ୍ ପୋଲିସ ଅଧୀକ୍ଷକ ତାଙ୍କୁ ଆଶ୍ବାସନା ଦେଇ କହିଥିଲେ ଯେ, ଏହା ଏକ ଭୁଲ୍ । ଭୁଲବଶତଃ ତାଙ୍କ ନିକଟକୁ ଚାଲାଣ ମେସେଜ୍ ପଳାଇଛି ବୋଲି ଟ୍ରାଫିକ୍ ଅଧୀକ୍ଷକ କହିଥିଲେ । ଯାହାକୁ ଖୁବ୍ ଶୀଘ୍ର ସମାଧାନ କରାଯିବ ବୋଲି ମଧ୍ୟ ସେ ପ୍ରତିଶ୍ରୁତି ଦେଇଥିଲେ ।