ଚୀନ ସହ ବିବାଦ ମଧ୍ୟରେ ୪୯ ପ୍ରତିଶତ ବ୍ୟବସାୟ ବୃଦ୍ଧି, ରାହୁଲ ଗାନ୍ଧୀ କହିଲେ- ‘ମେକ୍‌ ଇନ ଇଣ୍ଡିଆ’ ନାଁରେ ଭୁଆଁ ବୁଲାଉଛନ୍ତି ସରକାର

Published By : Prameya-News7 Bureau | October 22, 2021 IST

ନୂଆଦିଲ୍ଳୀ ୨୨/୧୦: ଭାରତ ଏବଂ ଚୀନ ମଧ୍ୟରେ ସୀମା ବିବାଦ ଯଦିଓ ଉଗ୍ର ରୂପ ନେଇଛି କିନ୍ତୁ ଗୋଟିଏ ବର୍ଷରେ ୪୯ ପ୍ରତିଶତ ବୃଦ୍ଧି ପାଇଛି ବ୍ୟବସାୟ। ଜାନୁଆରୀ ୨୦୨୧ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ହେଉଥିବା ବ୍ୟବସାୟରେ ୪୯ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି। ଏହାକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେନ୍ଦ୍ର ଉପରେ ବର୍ଷିବା ସହ ଏହାକୁ ସରକାରଙ୍କ ଦୋମୁହାଁ ନୀତି ବୋଲି କହିଛନ୍ତି ।

ରାହୁଲ ଗାନ୍ଧୀ ଟ୍ବିଟ୍‌ କରି କେନ୍ଦ୍ର ସରକାରଙ୍କ ‘ମେଡ୍‌ ଇନ୍‌ ଇଣ୍ଡିଆ’କୁ ନକଲି ଆଖ୍ୟା ଦେଇଛନ୍ତି। ଅକ୍ଟୋବର ୨୨ରେ ମେଡ ଇନ୍‌ ଇଣ୍ଡିଆକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଭାଷଣ ପରେ ରାହୁଲ ଗାନ୍ଧୀଙ୍କ ଏହି ଟ୍ବିଟ୍‌ ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ମୋଦୀ ଶୁକ୍ରବାର କହିଥିଲେ, ‘ପ୍ରତିଟି ଛୋଟ ଜିନିଷ ଯାହା ଭାରତରେ ତିଆରି ହେଉଛି ସେସବୁକୁ କ୍ରୟ କରିବା ଉପରେ ଜୋର ଦେବା ଦରକାର। ଏହା ସମସ୍ତଙ୍କ ପ୍ରୟାସରୁ ହିଁ ସମ୍ଭବ ହୋଇପାରିବ। ଭାରତୀୟଙ୍କ ଦ୍ବାରା ତିଆରି ଜିନିଷ କିଣି, ଭୋକାଲ ଫର ଲୋକାଲ ହେବା ନୀତିରେ ଅଭ୍ୟସ୍ତ ହେବାକୁ ପଡ଼ିବ।’

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଅପିଲ୍‌ ପରେ ରାହୁଲ ଗାନ୍ଧୀ ଜୋରଦାର ବର୍ଷିଛନ୍ତି। ମୋଦୀ ସରକାର ମେକ୍‌ ଇଣ୍ଡିଆ ନାଁରେ ଭୁଆଁ ବୁଲାଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ପ୍ରକୃତରେ ଭାରତ-ଚୀନ ମଧ୍ୟରେ ଏଲଏସିରେ ବିବାଦ ପରେ ମଧ୍ୟ ବ୍ୟବସାୟ ୯୦ ଆରବ ଡଲାରରେ ପହଞ୍ଚିଛି।

ଏହାକୁ ନେଇ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଲା ସୂଚନା ଦେଇଥିଲେ, ଗତବର୍ଷ ଭାରତ-ଚୀନ ମଧ୍ୟରେ ବ୍ୟବସାୟ ୮୮ ବିଲିୟନ ଡଲାର ହୋଇଥିଲା। ଚଳିତବର୍ଷ ୯ ମାସରେ ଦ୍ବିପାକ୍ଷିକ ବ୍ୟବସାୟ ୯୦ ବିଲିୟନ୍‌ ଡଲାର ହୋଇସାରିଛି। ଯାହାକି ଗତବର୍ଷ ତୁଳନାରେ ୪୯ ପ୍ରତିଶତ ଅଧିକ ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.