ଓଲଟିଲା ବରଯାତ୍ରୀ ଟ୍ରାକ୍ଟର: ବର ସମେତ ୬ ମୃତ, ୧୮ରୁ ଅଧିକ ଗୁରୁତର
3/12/2020 at 10:40 PM

ଖଣ୍ଡଓ୍ବା ୦୩/୧୨: ଓଲଟି ପଡ଼ିଲା ଟ୍ରାକ୍ଟର ଟ୍ରଲି। ଟ୍ରଲିରେ ଥିଲେ ୩୫ ବରଯାତ୍ରୀ। ଦୁର୍ଘଟଣାରେ ବର ସମେତ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ରୁ ଅଧିକ ଗୁରୁତର ହୋଇଛନ୍ତି। ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ମଧ୍ୟପ୍ରଦେଶ ଖଣ୍ଡଓ୍ବା-ବେତୁଲ ରାଜପଥରେ ଘଟିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୁରୁତରଙ୍କୁ ସ୍ଥାନୀୟ ଡାକ୍ତରଖାନା ପଠାଇଛି।
ମିଳିଥିବା ସୂଚନା ଅନୁସାରେ ଟ୍ରାକ୍ଟର ଟ୍ରଲିରେ ୩୫ ବରଯାତ୍ରୀ ଯାତ୍ରା କରୁଥିଲେ। ଦେଖଣାହାରୀଙ୍କ ମତରେ ଦୁର୍ଘଟଣା ଭୀଷଣ ଥିଲା। ତେଣୁ ମୃତକଙ୍କ ସଂଖ୍ୟାରେ ବୃଦ୍ଧି ହୋଇପାରେ। ଟ୍ରାକ୍ଟର ଟ୍ରଲି ଓଲଟି ପଡ଼ିବା ପରେ ସମସ୍ତ ଯାତ୍ରୀ ତଳେ ପଡ଼ିଥିଲେ। ଗୁରୁତରଙ୍କୁ ହସ୍ପିଟାଲ ନେବାକୁ ୫ଟି ଆମ୍ବୁଲାନ୍ସ ଆସିଥିବା ଜଣାପଡ଼ିଛି।
ଦୁର୍ଘଟଣା ଖବର ମିଳିବା ପରେ ଖଣ୍ଡଓ୍ବା ଜିଲ୍ଲାପାଳ ଅନୟ ଦ୍ବିବେଦୀ ଓ ଏସପି ବିବେକ ସିଂହ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଗୁରୁବାର ଦିନ ୨ଟାରେ ଏହି ଦୁର୍ଘଟଣା ଘଟିଛି। ପ୍ରତ୍ୟେକ୍ଷଦର୍ଶୀଙ୍କ ଅନୁସାରେ ବିନା ରେଲିଂ ବ୍ରିଜ୍ ଉପରେ ଦ୍ରୁତ ଗତିରେ ଯାଉଥିବା ଟ୍ରାକ୍ଟର ସନ୍ତୁଳନ ହରାଇଥିଲା। ଫଳରେ ଟ୍ରାକ୍ଟର ଟ୍ରଲି ଓଲଟି ପଡ଼ିଥିଲା।