ଭଦ୍ରକ ୨୨।୮: ଅଭିଯୋଗ କରିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ, କିନ୍ତୁ ମାମଲା ଗଲା ଥାନାକୁ । ଦୁଇ ଦିବ୍ୟାଙ୍ଗଙ୍କ ମଧ୍ୟରେ ମାଡ଼ପିଟ ଲାଗିବା ଘଟଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଥାନା ପର୍ଯ୍ୟନ୍ତ ଯାଇଛି । ଏମିତି ଘଟଣା ଦେଖିବା ପାଇଁ ମିଳିଛି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ।
ସୂଚନାଯୋଗ୍ୟ ଯେ, ସୋମବାର ମିଳିତ ଅଭିଯୋଗ ଶୁଣାଣି ଥିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଅଭିଯୋଗ ନେଇ ଆସିଥିଲେ ଦୁଇ ଜଣ ଦିବ୍ୟାଙ୍ଗ । କିନ୍ତୁ କୌଣସି କଥାକୁ ନେଇ ଦିବ୍ୟାଙ୍ଗ ଯୁବକ ଓ ଦିବ୍ୟାଙ୍ଗ ମହିଳାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏମିତି କି ଯୁବକ ଜଣଙ୍କ ନିଜ ଗୋଡରେ ଲାଗିଥିବା କୁତ୍ରିମ ଗୋଡ଼କୁ କାଢି ମହିଳାଙ୍କୁ ଆକ୍ରମଣ କରିଥିଲେ । ପରେ ସ୍ଥାନୀୟ ଲୋକେ ଯୁବକଙ୍କୁ ମଧ୍ୟ ବାଡେଇବା ସହ ପୋଲିସ ହେପାଜତରେ ଦେଇଥିଲେ । ଦିବ୍ୟାଙ୍ଗ ଯୁବକ ଜଣଙ୍କ ନିଶାଗ୍ରସ୍ତ ଥିବା ସୂଚନା ମିଳିବା ପରେ ତାଙ୍କୁ ମେଡିକାଲ ଟେଷ୍ଟ ପାଇଁ ନେଇଛି ପୋଲିସ । ଅନ୍ୟ ପଟେ ଦିବ୍ୟାଙ୍ଗ ଯୁବତୀ ମଧ୍ୟ ଥାନାରେ ଅଭିଯୋଗ କରିଥିବା ସୂଚନା ମିଳିଛି । ଘଟଣାକୁ ନେଇ ଦିବ୍ୟାଙ୍ଗ ଯୁବକ ଓ ଯୁବତୀଙ୍କ ପ୍ରତିକ୍ରିୟା ମିଳିନାହିଁ ।