ମୁମ୍ବାଇ ବିମାନ ବନ୍ଦରରୁ ୨.୫ କେଜିରୁ ଅଧିକ ଓଜନର ସୁନା ପେଷ୍ଟ ଜବତ, ୨ ବିଦେଶୀ ଗିରଫ
24/01/2023 at 7:45 PM

ମୁମ୍ବାଇ ୨୪।୧: ମୁମ୍ବାଇ ବିମାନ ବନ୍ଦରରେ ସୀମା ଶୁଳ୍କ ବିଭାଗ (କଷ୍ଟମ) ମଙ୍ଗଳବାର ୨ଟି ପୃଥକ ପୃଥକ ମାମଲାରେ ୨.୫ କେଜିରୁ ଅଧିକ ଓଜନର ସୁନା ପେଷ୍ଟ ଓ ୯୦ ହଜାର ଆମେରିକୀୟ ଡଲାର ଜବତ କରିଛି। ଉଭୟ ମାମଲାରେ ୨ ଜଣ ବିଦେଶୀ ଯାତ୍ରୀଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କୁ ପଚରା ଉଚରା କରାଯାଉଛି।
କଷ୍ଟମ ବିଭାଗ ସୂଚନା ଅନୁସାରେ ଆଜାର ବୈଜାନରୁ ଶାରଜା ଯାଉଥିବା ଜନୈକ ବିଦେଶୀ ଯାତ୍ରୀଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ଅଟକା ଯାଇଥିଲା। ତାଙ୍କଠାରୁ ୯୦ ହଜାର ଆମେରିକୀୟ ଡଲାର ଜବତ ହୋଇଥିଲା। ଅଭିଯୁକ୍ତ ଯାତ୍ରୀ ବିଦେଶୀ ମୁଦ୍ରାକୁ ଏକ ପୁସ୍ତରେ ଲୁଚାଇ ରଖିଥିଲେ।
ସେହିପରି ଅନ୍ୟ ଏକ ମାମଲାରେ ଦୁବାଇରୁ ଆସିଥିବା ପାଲେଷ୍ଟାଇନର ଜନୈକ ଯାତ୍ରୀଙ୍କ ଠାରୁ ୨.୫ କେଜିରୁ ଅଧିକ ଓଜନର ସୁନା ପେଷ୍ଟ ଜବତ ହୋଇଛି। ଜବତ ସୁନା ପେଷ୍ଟର ଅନ୍ତର୍ଜାତୀୟ ବଜାର ମୂଲ୍ୟ ପାଖାପାଖି ୧ କୋଟି ୩୦ ଲକ୍ଷ ଟଙ୍କାରୁ ଅଧିକ ହେବ। ଅଭିଯୁକ୍ତ ଯାତ୍ରୀ ସୁନାର ଲେପକୁ ତାଙ୍କ ଅନ୍ତବସ୍ତ୍ରରେ ଲୁଚାଇ ରଖିଥିଲେ। କଷ୍ଟମ ବିଭାଗ ଅଧିକାରୀମାନେ ଦୁଇ ଯାତ୍ରୀଙ୍କୁ ଅଧିକ ପଚରା ଉଚରା କରୁଛନ୍ତି।