ଧୋକା ଦେଇ ଦେଲା ଗୁଗଲ୍ ମ୍ୟାପ୍, ନଦୀକୁ ଖସିଲା ପର୍ଯ୍ୟଟକଙ୍କ ଗାଡ଼ି

Published By : Prameya-News7 Bureau | May 25, 2024 IST

ନୂଆଦିଲ୍ଲୀ: ଅଜଣା ରାସ୍ତାରେ ବାଟ ଜାଣିବା ପାଇଁ ଗୁଗଲ୍ ମ୍ୟାପ୍ ବେଶ ସହାୟକ ହୋଇଥାଏ । ତେବେ ହାଇଦ୍ରାବାଦର କିଛି ପର୍ଯ୍ୟଟକଙ୍କୁ ଗୁଗଲ ମ୍ୟାପ୍ ରାସ୍ତାରେ ଚାଲିବା ମହଙ୍ଗା ପଡ଼ିଛି । ସେମାନଙ୍କ ଏସୟୁଭି ନଦୀରେ ପଡ଼ିଛି । ଏହି ଘଟଣା କେରଳର କୋଟ୍ଟାୟମ ଜିଲ୍ଲାର କୁରୁପ୍ପନଥରା ଅଞ୍ଚଳରେ ଶନିବାର ସକାଳେ ଘଟିଛି । ଏହି କାରରେ ତିନି ଜଣ ପୁରୁଷ ଏବଂ ଜଣେ ମହିଳା ବସିଥିଲେ ଏବଂ ଅଲ୍ଲାପ୍ପୁଝା ଯାଉଥିଲେ ।

ଦୁର୍ଘଟଣାରେ ପର୍ଯ୍ୟଟକଙ୍କୁ କୌଣସି କ୍ଷତି ପହଞ୍ଚି ନଥିବା ଜଣାପଡ଼ିଛି । ଠିକ୍ ସମୟରେ ପୋଲିସ କର୍ମୀ ଏବଂ ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରିଛନ୍ତି । ତେବେ କାରଟି ସପୂର୍ଣ୍ଣ ରୂପେ ନଦୀରେ ବୁଡ଼ି ଯାଇଛି ଏବଂ ତାକୁ ବାହାର କରିବା ପାଇଁ ଉଦ୍ୟମ ଜାରି ରହିଛି । 

କଡୁଥୁରୁଥି ପୋଲିସ ଥାନାର ଜଣେ ଅଧିକାରୀ କହିଛନ୍ତି, ଗାଡ଼ିକୁ ବାହାର କରିବା ପାଇଁ ପ୍ରୟାସ ଜାରି ରହିଛି । ଉଲ୍ଲେଖଯୋଗ୍ୟ ଯେ କେରଳରେ ଏହିପରି ଘଟଣା ନୂଆ ନୁହେଁ । ଗତ ବର୍ଷ ଅକ୍ଟୋବରରେ କେରଳର କୋଚିରେ ବି ଗୋଟିଏ କାର ନଦୀରେ ଖସିବା ଯୋଗୁଁ ଦୁଇ ଯୁବ ଡାକ୍ତରଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ଅନ୍ୟ ତିନି ଜଣ ଆହତ ହୋଇଥିଲେ । କୁହାଯାଇଥିଲା ଯେ କାର ଡ୍ରାଇଭର ଗୁଗଲ ମ୍ୟାପକୁ ଦେଖି ଡ୍ରାଇଭ୍ କରୁଥିଲେ । କିନ୍ତୁ ଭୁଲ ରାସ୍ତା ଯୋଗୁଁ ନଦୀକୁ କାର ଖସିଥିଲା । ଘଟଣା ପରେ କେରଳ ପୋଲିସ ମୌସୁମୀ ସମୟରେ ଗୁଗଲ୍ ମ୍ୟାପ୍ ବ୍ୟବହାର ବେଳେ ସତର୍କ ରହିବା ପାଇଁ ମାର୍ଗଦର୍ଶିକା ଜାରି କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.