କୋଭାକ୍ସିନକୁ ନେଇ BHUର ଅଧ୍ୟୟନ ଉପରେ ପ୍ରଶ୍ନ, ICMR କହିଲା-ଷ୍ଟଡିର ପ୍ରଣାଳୀ ଭୁଲ, ଆମେ ସାମିଲ ନାହୁଁ

Published By : Prameya-News7 Bureau | May 20, 2024 IST

ନୂଆଦିଲ୍ଲୀ: ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର) ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ) ଦ୍ୱାରା ଟୀକା ଉପରେ କରାଯାଇଥିବା ଅଧ୍ୟୟନ ରିପୋର୍ଟକୁ ଖଣ୍ଡନ କରିଛି । ଏହି ଷ୍ଟଡିରେ ଦାବି କରାଯାଇଥିଲା ଯେ କୋଭାକ୍ସିନ ଦ୍ୱାରା ଷ୍ଟ୍ରୋକ୍ ଏବଂ ଗୁଇଲେନ-ବେରେ ସିନଣ୍ଡ୍ରୋମ (ଜିବିଏସ)ର ବିରଳ ବିପଦକୁ ବଢାଇଛି । ଆଇସିଏମଆର ନ୍ୟୁଜିଲାଣ୍ଡ ସ୍ଥିତ ଡ୍ରଗ ସେଫ୍ଟି ଜର୍ନାଲର ସମ୍ପାଦକଙ୍କୁ ଚିଠି ଲେଖିଛି । ଏଥିରେ କୁହାଯାଇଛି ଯେ ସେ ବିଏଚୟୁ ଲେଖକ ଦ୍ୱାରା ନିକଟରେ ପ୍ରକାଶ କରାଯାଇଥିବା କୋଭାକ୍ସିନର ପାର୍ଶ୍ୱ ପ୍ରତିକ୍ରିୟା ଅଧ୍ୟୟନକୁ ହଟାଇ ଦେବେ କାରଣ ପେପରେ ଶୀର୍ଷ ଅନୁସନ୍ଧାନ ସଂସ୍ଥା ନାଁ ଭୁଲ ଏବଂ ଭ୍ରମିତ ରୂପେ ଦିଆଯାଇଛି ।

ଚିଠିରେ ଲେଖାଯାଇଛି ଯେ ଆଇସିଏମଆର ଏହି ଅଧ୍ୟୟନରେ ସାମିଲ ନାହିଁ । ଏହାସହ ଏଥିରେ ତାଙ୍କ ତରଫରୁ କୌଣସି ପ୍ରକାର ଆର୍ଥିକ କିମ୍ୱା ବୈଷୟିକ ସହାୟତା ପ୍ରଦାନ କରାଯାଇ ନାହିଁ । ଏଥିରେ ଆହୁରି କୁହାଯାଇଛି ଯେ ଏହା ବ୍ୟତୀତ ଆପଣ ବିନା କୌଣସି ପୂର୍ବ ମଞ୍ଜୁରୀ କିମ୍ୱା ସୂଚନାରେ କହିଛନ୍ତି ଯେ ଆଇସିଏମଆର ଅନୁସନ୍ଧାନ ପାଇଁ ସମର୍ଥନ ଦେଇଛି, ଯାହା ଅନୁଚିତ ଏବଂ ଗ୍ରହଣୀୟ ନୁହେଁ । ଆଇସିଏମଆର ମହାନିର୍ଦ୍ଦେଶକ ଡ.ରାଜୀବ ବହଲ ଚିଠିରେ ଲେଖିଛନ୍ତି ଯେ ଶୀର୍ଷ ଅନୁସନ୍ଧାନ ସଂସ୍ଥାକୁ ଏହିପରି ଖରାପ ପ୍ରଣାଳୀରେ କରାଯାଇଥିବା ଅଧ୍ୟୟନ ସହ ଯୋଡା ଯାଇପାରିବ ନାହିଁ, ଯାହାର ଉଦ୍ଦେଶ୍ୟ କୋଭାକ୍ସିନର ସେଫ୍ଟି ଆନାଲିସିସକୁ ଭୁଲ ଭାବେ ପ୍ରସ୍ତୁତ କରିବା ।

ଡ.ବହଲ ଅଧ୍ୟୟନର ଲେଖକ ଏବଂ ଜର୍ଣ୍ଣାଲର ସମ୍ପାଦକଙ୍କୁ ଆଇସିଏମରର ସୂଚନା ହଟାଇବା ଏବଂ ତ୍ରୁଟି ସୁଧାରି ସଂଶୋଧିତ ପତ୍ର ପ୍ରକାଶ କରିବା ପାଇଁ କହିଛନ୍ତି । ସେ ଲେଖିଛନ୍ତି ଯେ ଏହା ମଧ୍ୟ ଆମ ନଜରକୁ ଆସିଛି ଯେ ଆପଣ ବିନା ଅନୁମତିରେ ଏହିପରି ପୂର୍ବରୁ ବି ଅନେକ ପ୍ରକାଶନରେ ଆଇସିଏମଆର ନାଁ ନେଇଛନ୍ତି । ଏହାସହ ଅଧ୍ୟୟନର ଲେଖକଙ୍କୁ ସେମାନଙ୍କ ବିରୋଧରେ ଆଇନଗତ ଏବଂ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାଯିବ ନାହିଁ ବୋଲି ସ୍ପଷ୍ଟୀକରଣ ମଧ୍ୟ ମାଗିଛନ୍ତି । ଉଲ୍ଲେଖଯୋଗ୍ୟ କରୋନା ଟୀକା କୋଭାକ୍ସିନକୁ ଭାରତ ବାୟୋଟେକ୍ ପକ୍ଷରୁ ଆଇସିଏମଆର ଏବଂ ଏନଆଇଭି ସଂସ୍ଥା ସହଯୋଗରେ ବିକଶିତ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.