ଟେଷ୍ଟ କ୍ରିକେଟ୍ : ଜାଣିଛନ୍ତି କି ସବୁଠୁ ସଫଳ ଅଧିନାୟକ କିଏ ?
14/06/2023 at 2:49 PM

ମୁମ୍ବାଇ ୧୪।୦୬ : ଟେଷ୍ଟ କ୍ରିକେଟ୍ । ଯେତିକି ମଜାଦାର, ସେତିକି ଚ୍ୟାଲେଞ୍ଜିଂ । ଅଧିନାୟକଙ୍କ ଉପରେ ଥାଏ ସବୁଠୁ ଅଧିକ ଚାପ । ଯିଏ ପୁରା ଟିମ୍ର ରଣନୀତିକୁ ସଠିକ୍ ଭାବେ ଦର୍ଶାଇଥାଏ । ଦେଶ ଏବଂ ବିଦେଶରେ ଟିମ୍କୁ ଭଲ ପ୍ରଦର୍ଶନ ପାଇଁ କରିଥାଏ ପ୍ରୋତ୍ସାହିତ । ତେବେ ଜାଣିଛନ୍ତି କି ବିଶ୍ୱ କ୍ରିକେଟ୍ର ସବୁଠୁ ସଫଳ ଟେଷ୍ଟ ଅଧିନାୟକ କିଏ । ଆସନ୍ତୁ ଜାଣିବା ଟପ୍-୫ ଟେଷ୍ଟ ଅଧିନାୟକଙ୍କ ବିଷୟରେ…
ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ୍ ଓ୍ୱ । ୧୯୯୯ , ଫେବୃଆରୀରେ ମାର୍କ ଟେଲରଙ୍କ ଅବସର ପରେ ଷ୍ଟିଭ୍ ଓ୍ୱଙ୍କୁ ଅଧିନାୟକ ଦାୟିତ୍ୱ ମିଳିଥିଲା । ଓ୍ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ ଥିଲା ଷ୍ଟିଭ୍ଙ୍କ ପ୍ରଥମ ସିରିଜ । ଏହି ସିରିଜ୍ ୨-୨ରେ ବରାବର ରହିଥିଲା । ଏହାପରେ ଆରମ୍ଭ ହୋଇଥିଲା ଷ୍ଟିଭ୍ଙ୍କ ଅସଲି ଅଧିନାୟକତ୍ୱ । ଷ୍ଟିଭ୍ ଓ୍ୱ ସମୟରେ କଙ୍ଗାରୁ ଦଳ ନାଁରେ ଲଗାତର ୧୬ଟି ଟେଷ୍ଟ ଜିତିବାରେ ରେକର୍ଡ ରହିଛି । ଷ୍ଟିଭ୍ ଓ୍ୱ ମୋଟ ୫୭ଟି ଟେଷ୍ଟର ଅଧିନାୟକତ୍ୱ କରିଥିବା ବେଳେ ୪୧ଟି ମ୍ୟାଚ୍ରେ ବିଜୟୀ ହୋଇଛନ୍ତି । ଯାହା ତାଙ୍କର ବିଜୟ ପ୍ରତିଶତ ରହିଛି ୭୧.୯୨ ।
୨ୟ ସ୍ଥାନରେ ରହିଛନ୍ତି ଆଉ ଜଣେ ଅଷ୍ଟ୍ରେଲିଆ ଖେଳାଳି । ୨୦୦୪ରେ ଷ୍ଟିଭ୍ ଓ୍ୱଙ୍କ ସନ୍ୟାସ ପରେ ରିକି ପଣ୍ଟିଂଙ୍କୁ ଅଧିନାୟକ ଦାୟିତ୍ୱ ମିଳିଥିଲା । ଅଧିନାୟକ ବଦଳିଥିଲେ କିନ୍ତୁ ଟିମ୍ ପୂର୍ବଠାରୁ ଅଧିକ ଶକ୍ତିଶାଳୀ ହୋଇଥିଲା । ପଣ୍ଟିଂ ମୋଟ ୭୭ଟି ଟେଷ୍ଟରେ ଅଧିନାୟକତ୍ୱ କରିଥିବା ବେଳେ ୪୪ଟି ମ୍ୟାଚରେ ବିଜୟୀ ହୋଇଛନ୍ତି । ଯାହା ତାଙ୍କର ବିଜୟ ପ୍ରତିଶତ ୬୨.୩୩ ରହିଛି । ୨୦୦୪ ସମୟ ଅଷ୍ଟ୍ରେଲିଆ ବିଶ୍ୱ କ୍ରିକେଟର ସବୁଠାରୁ ଶକ୍ତିଶାଳୀ ଟିମ୍ ବୋଲି କୁହାଯାଏ । ଏହି ଟିମ୍ ନାଁରେ ଅନେକ ବିଶ୍ୱ ରେକର୍ଡ ରହିଛି ।
ତାଲିକାର ୩ୟରେ ରହିଛନ୍ତି ବିରାଟ କୋହଲି । ୨୦୧୪ରୁ ୨୦୨୨ ପର୍ଯ୍ୟନ୍ତ ବିରାଟ କୋହଲି ଭାରତୀୟ ଟେଷ୍ଟ ଟିମ୍ ଅଧିନାୟକ ଦାୟିତ୍ୱ ସମ୍ଭାଳିଥିଲେ । ଏହି ସମୟରେ ଟିମ୍ ଦମଦାର ପ୍ରଦର୍ଶନ କରିଥିଲା । ୨୦୧୫ରେ ଶ୍ରୀଲଙ୍କା ଗସ୍ତରେ ଭାରତ ୩ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ ଜିତି ନେଇଥିଲା । ଏହାପରେ ୨୦୧୮-୧୯ରେ ଟିମ୍ ଇଣ୍ଡିଆ ଏପରି ଏକ ଦଳ ଥିଲା । ଯିଏକି ପ୍ରଥମ ଏସିଆ ଟିମ୍ ଭାବେ ଅଷ୍ଟ୍ରେଲିଆକୁ ଅଷ୍ଟ୍ରେଲିଆରେ କରିଥିଲା ପରାସ୍ତ । କୋହଲି ମୋଟ ୬୮ଟି ଟେଷ୍ଟର ଅଧିନାୟକତ୍ୱ କରିଥିବା ବେଳେ ୪୦ଟିରେ ବିଜୟୀ ହୋଇଛନ୍ତି । ବିଜୟ ପ୍ରତିଶତ ୫୮.୮୨ ରହିଛି ।
୪ର୍ଥ ସ୍ଥାନରେ ରହିଛନ୍ତି ଓ୍ୱେଷ୍ଟଇଣ୍ଡିଜ୍ର କ୍ଲାଇବ୍ ଲଏଡ଼ । ୧୯୭୪ରୁ ୧୯୮୫ ପର୍ଯ୍ୟନ୍ତ ବିଶ୍ୱ କ୍ରିକେଟର ସବୁଠୁ ଶକ୍ତିଶାଳୀ ଟିମ୍ ଥିଲା ଓ୍ୱେଷ୍ଟଇଣ୍ଡିଜ୍ । ଏହି ସମୟରେ ଅଧିନାୟକ ଥିଲେ କ୍ଲାଇବ୍ ଲଏଡ୍ । ଅଧିନାୟକ ଥିବା ସମୟରେ ଅନେକ ସିରିଜ୍ ବିଜୟୀ ହୋଇଛନ୍ତି । କ୍ଲାଇବ ଲଏଡ୍ଙ୍କ ଅଧିନାୟକତ୍ୱରେ ଓ୍ୱେଷ୍ଟଇଣ୍ଡିଜ୍ ୭୪ଟି ଟେଷ୍ଟ ଖେଳିଥିବା ବେଳେ ୩୬ଟିରେ ବିଜୟୀ ହୋଇଛନ୍ତି । ବିଜୟ ପ୍ରତିଶତ ରହିଛି ୪୮.୬୪ । ଲଏଡଙ୍କ ଅଧିନାୟକତ୍ୱ ସମୟରେ ଓ୍ୱେଷ୍ଟଇଣ୍ଡିଜ୍ ମାତ୍ର ୩ଟି ଟେଷ୍ଟ ସିରିଜ୍ ହାରିଛି ।
୫ମ ସ୍ଥାନରେ ରହିଛନ୍ତି ଦକ୍ଷିଣ ଆଫ୍ରିକାର ଗ୍ରେମ୍ ସ୍ମିଥ୍ । ୨୦୦୩ରୁ ୨୦୧୪ ପର୍ଯ୍ୟନ୍ତ ସ୍ମିଥ୍ ଦକ୍ଷିଣ ଆଫ୍ରିକାର ଅଧିନାୟକ ଭାର ସମ୍ଭାଳିଥିଲେ । ଏହି ସମୟରେ ଦକ୍ଷିଣ ଆଫ୍ରିକା ନିଜର ଦମଦାର ପ୍ରଦର୍ଶନ ବଳୟରେ ବିରୋଧୀ ଟିମକୁ ଚକମା ଦେଉଥିଲା । ଆଉ ବିଶ୍ୱ କ୍ରିକେଟରେ ନିଜର ଦବଦବା ଜାହିର କରିଥିଲା । ସ୍ମିଥ୍ ବି ଜଣେ ଉଚ୍ଚକୋଟିର ବ୍ୟାଟସମ୍ୟାନ୍ ଥିଲେ । ଏହି ସମୟରେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଭାରତ, ଇଂଲଣ୍ଡ, ଓ୍ୱେଷ୍ଟଇଣ୍ଡିଜ୍ ପରି ଶକ୍ତିଶାଳୀ ଟିମକୁ ପରାସ୍ତ କରିଥିଲା ସ୍ମିଥ୍ ବାହିନୀ। ଗ୍ରେମ୍ ସ୍ମିଥ ଦକ୍ଷିଣ ଆଫ୍ରିକା ପାଇଁ ୧୦୯ଟି ଟେଷ୍ଟରେ ଅଧିନାୟକତ୍ୱ କରିଥିବା ବେଳେ ୫୩ଟିରେ ହୋଇଛନ୍ତି ବିଜୟୀ । ଏହି ସମୟରେ ଟିମର ବିଜୟ ପ୍ରତିଶତ ରହିଥିଲା ୪୬.୮୨ ।
You Can Read :