ଆସନ୍ତାକାଲି ଭାରତ ବନାମ ଦ. ଆଫ୍ରିକା ପ୍ରଥମ ଦିନିକିଆ, ଭାରତର ଏହି ୫ ଖେଳାଳିଙ୍କ ଉପରେ ସଭିଙ୍କ ନଜର

Published By : Prameya-News7 Bureau | March 11, 2020 IST

ଧର୍ମଶାଳା ୧୧।୦୩- ଗୁରୁବାର ଧର୍ମଶାଳାରେ ଭାରତ ଓ ଦକ୍ଷିଣା ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳାଯିବ। କିଛି ଦିନ ପୂର୍ବେ ଭାରତୀୟ ଦଳ ନ୍ୟୁଜିଲାଣ୍ଡରେ ୩-୦ରେ ଦିନିକିଆ ଶୃଙ୍ଖଳା ହାରି ଦେଶକୁ ଫେରିଛି। ତେଣୁ ଦଳ ଏହି ଶୃଙ୍ଖଳାରେ ବିଜୟ ସହିତ ଦିନିକିଆ ଫର୍ମାଟରେ ବିଜୟ ମାର୍ଗକୁ ଫେରିବାକୁ ଲକ୍ଷ୍ୟ ରଖିଛି। ଅନ୍ୟପଟେ ଦକ୍ଷିଣ ଆଫ୍ରିକା ନିଜ ମାଟିରେ ଅଷ୍ଟ୍ରେଲିଆକୁ ୩-୦ରେ ଦିନିକିଆ ଶୃଙ୍ଖଳା ହରାଇ ଭାରତରେ ପହଞ୍ଚିଛି। ତେଣୁ ଦଳ ନିଜର ଏହି ଲୟକୁ ବଜାୟ ରଖିବାକୁ ଚେଷ୍ଟା କରିବ। ଏହି ଶୃଙ୍ଖଳାରେ ଭାରତ ଏହି ପାଞ୍ଚ ଜଣ ଖେଳାଳିଙ୍କ ଉପରେ ଏବେ ସଭିଙ୍କ ନଜର ରହିଛି।

ଶିଖର ଧାଓ୍ଵନ- ଆହତରୁ ମୁକୁଳି ଦଳକୁ ଫେରିଛନ୍ତି

{"id":236548,"width":754,"height":566,"sizeSlug":"large"}

ଜାନୁଆରୀରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳା ସମୟରେ ଶିଖର ଧାଓ୍ଵନଙ୍କ କାନ୍ଧରେ ଆଘାତ ଲାଗିଥିଲା। ଏହି କାରଣରୁ ସେ ନ୍ୟୁଜିଲାଣ୍ଡ ଗସ୍ତରୁ ବାଦ୍ ପଡିଥିଲେ। ଧାଓ୍ଵନ ଆହତଜନିତ ସମସ୍ୟାରୁ ମୁକୁଳି ଦକ୍ଷିଣ ଆଫ୍ରିକା ଶୃଙ୍ଖଳାରେ ଦଳରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେହି ସମୟରେ ଧାଓ୍ଵନ ଭଲ ଲୟରେ ଥିଲେ। ସେ କ୍ରମାଗତ ତିନୋଟି ଦିନିକିଆରେ ଅର୍ଦ୍ଧଶତକ ହାସଲ କରିଥିଲେ। ଶ୍ରୀଲଙ୍କା ବିପକ୍ଷରେ ଗୋଟିଏ ଥିବା ବେଳେ ଅନ୍ୟ ଦୁଇଟି ଅଷ୍ଟ୍ରେଲିଆ ବିପକ୍ଷରେ ଥିଲା।  ୨୦୧୯ ବିଶ୍ଵକପ ପରଠୁ ଧାଓ୍ଵନ ଏ ପର୍ଯ୍ୟନ୍ତ ତିନି ଥର ଆହତ ହୋଇଛନ୍ତି। ଏହି ଶୃଙ୍ଖଳାରେ ତାଙ୍କର ପ୍ରଦର୍ଶନ ଉପରେ ମଧ୍ୟ ସଭିଙ୍କ ନଜର ରହିବ।

ପୃଥ୍ଵୀ ସ- ନ୍ୟୁଜିଲାଣ୍ଡ ଗସ୍ତରେ ହୋଇଥିଲେ ବିଫଳ

{"id":236549,"width":748,"height":561,"sizeSlug":"large"}

ନ୍ୟୁଜିଲାଣ୍ଡ ମାଟିରେ ଶିଖର ଧାଓ୍ଵନ ଓ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଦଳ ପ୍ରବନ୍ଧକ ଯୁବ ଖେଳାଳି ପୃଥ୍ଵୀ ସଙ୍କୁ ସୁଯୋଗ ଦେଇଥିଲେ। ସ ନ୍ୟୁଜିଲାଣ୍ଡ ବିପକ୍ଷ ୩ ଦିନିକିଆ ମ୍ୟାଚ୍‌ରୁ ୮୪ ରନ କରିଥିଲେ। ତୃତୀୟ ଦିନିକିଆରେ ସେ ୪୦  ରନ କରିଥିଲେ, ମାତ୍ର ସର୍ବମୋଟ୍ ତାଙ୍କର ପ୍ରଦର୍ଶନ ଫିକା ରହିଥିଲା। ଉପ ଅଧିନାୟକ ରୋହିତ ଶର୍ମା ଆହତ କାରଣରୁ ଏହି ଶୃଙ୍ଖଳାରେ ଖେଳୁ ନାହାନ୍ତି। ତେଣୁ ସଙ୍କୁ ପୁଣି ଥରେ ସାବ୍ୟସ୍ତ କରିବାକୁ ଆଉ ଏକ ସୁଯୋଗ ମିଳିଛି। ଦିନିକିଆ ଦଳରେ ନିଜର ଦାବିଦାର ଉପସ୍ଥାପନ ଲାଗି ଘରୋଇ ଶୃଙ୍ଖଳାରେ ଖେଳିବା ତାଙ୍କ ପାଇଁ ଫାଇଦା ହୋଇପାରେ।

ବିରାଟ କୋହଲି- ଗତ ୨୨ଟି ଇନିଂସରେ କେବଳ ଗୋଟିଏ ଅର୍ଦ୍ଧଶତକ

{"id":236550,"width":748,"height":561,"sizeSlug":"large"}

ଭାରତୀୟ ଦଳର ଅଧିନାୟକ ତଥା ରନ୍ ମେସିନ ବିରାଟ କୋହଲି ସଂପ୍ରତି ଭଲ ଫର୍ମରେ ନାହାନ୍ତି। ଭାରତର ପ୍ରଥମ ଦିବାରାତ୍ର ଟେଷ୍ଟରେ ଶତକ ହାସଲ ପରେ ଅଧିନାୟକ କୋହଲି ତିନୋଟି ଫର୍ମାଟରେ ଅଦ୍ୟାବଧି ମୋଟ୍ ୨୨ଟି ଇନିଂସ ଖେଳିଛନ୍ତି। ମାତ୍ର ଏଥିରୁ କୋହଲିଙ୍କ ବ୍ୟାଟରୁ ଗୋଟିଏ ହେଲେ ଶତକ ଦେଖିବାକୁ ମିଳିନାହିଁ। ଏହି ୨୨ଟି ଇନିଂସରୁ ସେ କେବଳ ଥରୁଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି। ୭୦ ଅନ୍ତରାଷ୍ଟ୍ରୀୟ ଶତକ ଅର୍ଜନ କରିଥିବା ବିରାଟଙ୍କଠୁ ଏମିତି ରନ ସୁଖା କେବେ  ବି ଆଶା କରାଯାଇ ପାରିବ ନାହିଁ। ତେଣୁ ଧର୍ମଶାଳା ଦିନିକିଆରେ ତାଙ୍କଠୁ ଏକ ଖାସ୍ ଇନିଂସର ଆଶା କରାଯାଉଛି।

ଭୁବନେଶ୍ଵର କୁମାର- ଆହତ କାରଣରୁ ବାହାରେ ଥିଲେ ସୁଇଙ୍ଗ ମାଷ୍ଟର

{"id":236551,"width":749,"height":562,"sizeSlug":"large"}

ଏହି ଦ୍ରୁତ ବୋଲର ବାରମ୍ବାର ଆହତ କାରଣରୁ ଦଳରେ ନିୟମିତ ଖେଳି ପାରୁ ନାହାନ୍ତି। ଏହି କାରଣରୁ ଭୁବି ଗତ ତିନି ମାସ ହେବ ଦଳର ଅଂଶ ହୋଇ ପାରୁନଥିଲେ। ଆଘାତଜନିତ ସମସ୍ୟାରୁ ମୁକୁଳି ଏବେ ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ଭାରତର ଦିନିକିଆ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଭୁବନେଶ୍ଵରଙ୍କୁ ନିଜର ସୁଇଙ୍ଗ ବୋଲର ଧାରକୁ ପୁଣି ଥରେ ସାବ୍ୟସ୍ତ କରିବାକୁ ପାହାଡିଆ ଅଞ୍ଚଳରେ ଥିବା  ଏହି ଷ୍ଟାଡିୟମରେ ଭରପୂର ସାହାଯ୍ୟ ମିଳିପାରେ। ଭୁବନେଶ୍ଵର  ବଲକୁ ଉଭୟ ପଟେ ସୁଇଙ୍ଗ କରିବାରେ ସିଦ୍ଧହସ୍ତ। ତେଣୁ ଭୁବନେଶ୍ଵରଙ୍କଠୁ ଦଳ ଅନେକ ଆଶା ରଖିଛି।

ହାର୍ଦ୍ଦିକ ପାଣ୍ଡ୍ୟା- ଅଣ୍ଟା ସର୍ଜରୀ ପରେ ଦଳକୁ ପ୍ରତ୍ୟାବର୍ତ୍ତନ

{"id":236552,"width":746,"height":560,"sizeSlug":"large"}

ଏହି ଅଲରାଉଣ୍ଡର ଖେଳାଳି ନିଜର ଶେଷ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଦକ୍ଷିଣ ଆଫ୍ରିକା  ବିପକ୍ଷରେ ୨୦୧୯ ଅକ୍ଟୋବରରେ ଖେଳିଥିଲେ। ଏହା ପରେ ହାର୍ଦ୍ଦିକଙ୍କ ଅଣ୍ଟାର ନିମ୍ନ ଭାଗରେ ଆଘାତ ଲାଗିଥିଲା। ତାଙ୍କୁ ଲଣ୍ଡନରେ ନିଜର ସର୍ଜରୀ କରିବାକୁ ପଡିଥିଲା। ପାଣ୍ଡ୍ୟା ଏବେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ନିଜର ଫିଟନେସ୍ ସାବ୍ୟସ୍ତ କରିବାକୁ ସେ କିଛି କର୍ପୋରେଟ୍ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଏଥିରୁ ଗୋଟିଏ ମ୍ୟାଚରେ ସେ ୩୭ ବଲରୁ ଶତକ ହାସଲ କରିଥିଲେ ଏବଂ ୫ ଓ୍ଵିକେଟ୍ ମଧ୍ୟ ନେଇଥିଲେ। ଖବର ମୁତାବକ ପାଣ୍ଡ୍ୟା ଏଥର ୭ କିଲୋ ଓଜନ ବୃଦ୍ଧି କରି ଫେରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.