ଭୁବନେଶ୍ୱର ୧୯/୦୭ : ହିନ୍ଦୁ ଧର୍ମରେ ଦେବଶୟନ ଏକାଦଶୀର ବିଶେଷ ମହତ୍ତ୍ୱ ରହିଛି। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଏହି ତିଥିରୁ ଆଗାମୀ ୪ ମାସ ପାଇଁ ଭଗବାନ ବିଷ୍ଣୁ ଯୋଗ ନିଦ୍ରାରେ ରହିବେ। ଏହି ସମୟରେ ଭଗବାନ ଶିବ ସୃଷ୍ଟିର ସଞ୍ଚାଳନ କରନ୍ତି। ଏହି ସମୟରେ ମାଙ୍ଗଳିକ କାର୍ଯ୍ୟ କରାଯାଏନାହିଁ। ଚଳିତ ବର୍ଷ ଦେବଶୟନି ଏକାଦଶୀ ଜୁଲାଇ ୨୦ ତାରିଖ, ମଙ୍ଗଳବାର ଦିନ ପଡୁଛି। ହିନ୍ଦୁ ପାଞ୍ଜି ଅନୁସାରେ ଆଷାଢ଼ ମାସ ଶୁକ୍ଳ ପକ୍ଷ ଏକାଦଶୀକୁ ଦେବଶୟନି ଏକାଦଶୀ କୁହାଯାଏ।
ପୌରାଣିକ ବିଶ୍ୱାସ ଅନୁଯାୟୀ, ଦେବଶୟନି ଏକାଦଶୀ ଠାରୁ ଚତୁର୍ମାସ ଆରମ୍ଭ ହୁଏ। ଏହି ତିଥିରୁ ଭଗବାନ ବିଷ୍ଣୁ ପାତାଳ ଲୋକରେ ବିଶ୍ରାମ ନିଅନ୍ତି। ଭଗବାନ ବିଷ୍ଣୁଙ୍କ ବିଶ୍ରାମ ସମୟ ଦେବଉଠନି ଏକାଦଶୀରେ ସମାପ୍ତ ହୁଏ। ଦେବଶୟନ ଏକାଦଶୀ ଏଥର ମଙ୍ଗଳବାର ଦିନ ପଡୁଛି। ମଙ୍ଗଳବାର ହନୁମାନ ଭଗବାନଙ୍କୁ ସମର୍ପିତ। ମଙ୍ଗଳବାର ଦିନ ଶ୍ରଦ୍ଧାର ସହ ହନୁମାନଙ୍କୁ ପୂଜାର୍ଚ୍ଚନା କଲେ ହନୁମାନ ପ୍ରସନ୍ନ ହୋଇଥାନ୍ତି ଓ ଭକ୍ତଙ୍କ ଉପରେ କୃପା ବର୍ଷା କରିଥାନ୍ତି।
ହନୁମାନଙ୍କ ପୂଜା କଲେ ଶନି ଦୋଷରୁ ମୁକ୍ତି ମିଳିଥାଏ। ଶନି ସାଢେସାତୀ ଓ ଢେୟାରେ ପୀଡିତ ରାଶିର ବ୍ୟକ୍ତି ହନୁମାନଙ୍କୁ ପୂଜା କରିବା ଉଚିତ। ହନୁମାନଙ୍କ ପୂଜା ଦ୍ୱାରା ଶନିଙ୍କ କୋପ ଦୃଷ୍ଟି ପଡ଼ିନଥାଏ। ହନୁମାନଙ୍କ ପୂଜା ଦ୍ୱାରା ମଙ୍ଗଳ ଦୋଷରୁ ମଧ୍ୟ ମୁକ୍ତି ମିଳିଥାଏ। ବର୍ତ୍ତମାନ ଧନୁ, କୁମ୍ଭ ଓ ମକର ରାଶିରେ ଶନିଙ୍କ ସାଢେସାତୀ ଚାଲିଛି। ମିଥୁନ ଓ ତୁଳା ରାଶିରେ ଶନିଙ୍କ ଢେୟା ଚାଲିଛି।
ଦେବଶୟନ ଏକାଦଶୀ ଜୁଲାଇ ୧୯ ତାରିଖ, ସୋମବାର ରାତି ୯ଟା ୫୯ ମିନିଟରୁ ଆରମ୍ଭ ହେବ ଏବଂ ଜୁଲାଇ ୨୦ ତାରିଖ, ମଙ୍ଗଳବାର ସନ୍ଧ୍ୟା ୭ଟା ୧୭ ମିନିଟରେ ସମାପ୍ତ ହେବ। ବ୍ରତ ସମାପନ ସମୟ ୨୧ ତାରିଖ ବୁଧବାର ସକାଳ ୫ଟା ୩୬ ମିନିଟରୁ ୮ଟା ୨୧ ମିନିଟ।