ଆସନ୍ତାକାଲି ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ, କୃଷକଙ୍କ ଆନ୍ଦୋଳନ ଉପରେ ହେବ ଆଲୋଚନା

Published By : Prameya-News7 Bureau | December 02, 2020 IST

ନୂଆଦିଲ୍ଲୀ ୦୨।୧୨: କୃଷି ଆଇନ ଓ କୃଷକ ଆନ୍ଦୋଳନ ପ୍ରସଙ୍ଗରେ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଗୁରୁବାର କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ସାକ୍ଷାତ କରିବେ। ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଓ ଅମିତ୍ ଶାହାଙ୍କ ମଧ୍ୟରେ ଏହି ଭେଟ ସକାଳ ୯ଟା ୩୦ରୁ ୧୦ଟା ମଧ୍ୟରେ ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ସକାଳ ୮ଟାରେ ଚଣ୍ଡିଗଡରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ୍ ବିରୋଧରେ କୃଷକଙ୍କ ତୀବ୍ର ଆନ୍ଦୋଳନ ଜାରି ରହିଛି। ଦିଲ୍ଲୀ ବର୍ଡରରେ ଗତ ସାତ ଦିନ ହେବ କୃଷକଙ୍କ ଆନ୍ଦୋଳନ ଜାରି ରଖିଛି। ସେମାନେ କୃଷି ଆଇନ ପ୍ରତ୍ୟାହାର ଦାବିରେ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। କୃଷକ କେନ୍ଦ୍ର ସରକାରଙ୍କ ଏହି ଆଇନକୁ କଳା କାନୁନ ଅବିଭିତ କରିଛନ୍ତି।

ସରକାର କୃଷକଙ୍କୁ ମନାଇବାକୁ ଚେଷ୍ଟା ଚଳାଇଛନ୍ତି। ଲମ୍ବା ଟଣା ଓଟରା ପରେ ମଙ୍ଗଳବାର ସରକାର ଓ କୃଷକ ସଂଗଠନ ମଧ୍ୟରେ ଆଲୋଚନା ହୋଇଥିଲା। କିନ୍ତୁ ଏହି ଆଲୋଚନା ଫଳାଫଳଶୂନ୍ୟ ରହିଥିଲା। ପୁଣି ଥରେ ଗୁରୁବାର କେନ୍ଦ୍ର ସରକାର ଓ କୃଷକ ସଂଗଠନ ମଧ୍ୟରେ ଆଲୋଚନା ହେବାକୁ ଯାଉଛି। ଏହା ଉଭୟ ପକ୍ଷ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା। ସଭିଙ୍କ ନଜର ଆସନ୍ତାକାଲି ହେବାକୁ ଥିବା ଏହି ଆଲୋଚନା ଉପରେ ରହିଛି।  

ମଙ୍ଗଳବାର  ବିଜ୍ଞାନ ଭବନରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ସହିତ ତିନି ମନ୍ତ୍ରୀ ଓ କୃଷକ ସଂଗଠନର ୩୦ରୁ ଅଧିକ ପ୍ରତିନିଧିଙ୍କ ମଧ୍ୟରେ ବିଚାର ବିମର୍ଶ ପରେ କେବଳ ଏତିକି ସ୍ଥିର ହୋଇ ପାରିଛି ଯେ, ଉଭୟ ପକ୍ଷ ମଧ୍ୟରେ ପୁଣି ଥରେ ଡିସେମ୍ବର ୩ରେ ଆଲୋଚନା ହେବ। କୃଷକ ନେତା ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଦାବି ନେଇ ଧାରଣା ଜାରି ରହିବ। ସରକାର କୃଷକଙ୍କ ପ୍ରସଙ୍ଗ ଉପରେ ବିଚାର କରିବା ଲାଗି ଏକ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.