ରାଜଧାନୀରେ ୭୦ ଛୁଇଁଲା ଟମାଟୋ କିଲୋ, ସେପଟେ ବିଲ୍ ମୁଣ୍ଡରେ ଅଧା ଦରରେ ବିକୁଛି ଚାଷୀ

Published By : Prameya-News7 Bureau | May 04, 2022 IST

ଭୁବନେଶ୍ଵର:  ରାଜଧାନୀରେ ଟମାଟୋ କିଲୋ ୭୦ ଛୁଇଁଲାଣି । ବେଙ୍ଗାଳୁରୁ ଓ ନାସିକରୁ ଟମାଟୋ ଆସୁଥିବା ବେଳେ ଆମଦାନୀ କମ୍ ଥିବାରୁ ରେଟ୍ ବଢ଼ୁଛି ବୋଲି କହିଛନ୍ତି ବ୍ୟବସାୟୀ । ଗୋଦାମରୁ ୫୦ରୁ ୫୫ଟଙ୍କାରେ କିଣି ଗ୍ରାହକଙ୍କୁ ୬୦ରୁ ୭୦ଟଙ୍କାରେ ବିକୁଛନ୍ତି ଦୋକାନୀ । ସେପଟେ କିନ୍ତୁ ରାଜ୍ୟର ବିଭିନ୍ନ ସ୍ଥାନରେ ଟମାଟୋ ଉତ୍ପାଦନ କରୁଥିବା ଚାଷୀ ବିଲ ମୁଣ୍ଡରେ ଅଧା ଦାମ୍‌ରେ ଅର୍ଥାତ୍ ୩୦ରୁ ୩୫ଟଙ୍କାରେ ଟମାଟୋ ବିକ୍ରି କରୁଥିବା ଜଣାପଡ଼ିଛି । ଯାହା ରାଜଧାନୀକୁ ଆସିଲା ବେଳକୁ ପ୍ରାୟ ଡବଲ ରେଟ୍ କେମିତି ହୋଇଯାଉଛି ତାକୁ ନେଇ ଉଠିଛି ପ୍ରଶ୍ନ।

{"id":623903,"sizeSlug":"full","linkDestination":"none"}

ଟମାଟୋ @ 70  । ୮ଦିନ ତଳେ ୨୦ଟଙ୍କାରେ ବିକ୍ରି ହେଉଥିବା ଟମାଟୋ କିଲୋ ଆଜି ୭୦ଟଙ୍କା ଛୁଇଁଛି । ରାଜଧାନୀ ଭୁବନେଶ୍ବରର ୧ ନମ୍ବର ହାଟରେ ଟମାଟୋ ୬୦ରୁ ୭୦ଟଙ୍କାରେ ବିକ୍ରି ହେଉଥିବା ବେଳେ ଗୋଦାମରୁ ୫୦ରୁ ୫୫ଟଙ୍କାରେ କିଣୁଛନ୍ତି ବୋଲି କହୁଛନ୍ତି ଦୋକାନୀ । ସେପଟେ ବେଙ୍ଗାଲୁରୁ ଓ ନାସିକ୍‌ରୁ ଟମୋଟୋ ଆସୁଥିବା ବେଳେ ଆମଦାନୀ କମ୍ ଥିବାରୁ ଟମୋଟୋ ରେଟ୍ ବଢ଼ୁଥିବା କହିଛନ୍ତି ବ୍ୟବସାୟୀ । ହଠାତ୍ କାହିଁକି ମାର୍କେଟ୍‌ରେ ଟମାଟୋ ରେଟ୍ ଏତେ ବଢ଼ିଗଲା ତାକୁ ନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି ଗ୍ରାହକ । ଘରେ ଘରେ ଟମାଟୋର ଚାହିଦା ଥିବାରୁ ଏବେ ସାଧାରଣ ଲୋକଙ୍କ ପକେଟ୍ ଉପରେ ଦରବୃଦ୍ଧି ପ୍ରଭାବ ପକାଇଛି । କିଲେ କିଣିବା ଜାଗାରେ ଅଧକିଲେ ନେଇ କାମ ଚଳାଇବାକୁ ଚେଷ୍ଟା କରୁଛନ୍ତି ଖାଉଟୀ ।

ରାଜଧାନୀ ମାର୍କେଟ୍‌ରେ ଟମାଟୋ ଦର ଆକାଶ ଛୁଆଁ ହୋଇଥିବା ବେଳେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଟମାଟୋ ଚାଷ କରିଥିବା ଚାଷୀ କିନ୍ତୁ ନିରାଶ ହୋଇଛି। ବିଲ ମୁଣ୍ଡରେ ଚାଷୀ  କିଲୋ ପିଛା ୩୦ରୁ ୩୫ଟଙ୍କାରେ ଟମାଟ ବିକ୍ରି କରୁଥିବା ବେଳେ ରାଜଧାନୀରେ ଟମାଟୋ  ପ୍ରାୟ ଡବଲ ଅର୍ଥାତ୍ ୭୦ଟଙ୍କାରେ ବିକ୍ରି ହେଉଛି ।

{"id":623904,"sizeSlug":"full","linkDestination":"none"}

୮ ଦିନ ତଳେ ଟମାଟୋ କିଲୋ ୨୦ ଟଙ୍କା ଏମିତିକି କେଉଁଠି କେଉଁଠି ୧୦ଟଙ୍କାରେ ମଧ୍ୟ ବିକ୍ରି ହୋଇଛି । କୋଲଡ୍ ଷ୍ଟୋରେଜ୍ ନଥିବାରୁ ଓଡ଼ିଶାରେ ଚାଷୀ ଉତ୍ପାଦନ କରୁଥିବା ଟମାଟୋକୁ ଗଚ୍ଛିତ କରି ରଖିପାରୁ ନାହାନ୍ତି। ଫଳରେ ସେମାନଙ୍କୁ କମ୍ ଦାମରେ ବିକ୍ରି କରିବାକୁ ପଡ଼ୁଛି । ଏମିତିକି ଚାଷ ଖର୍ଚ୍ଚ ଉଠୁ ନଥିଲେ ମଧ୍ୟ ଫସଲ ନଷ୍ଟ ଭୟରେ ସେମାନେ କମ୍ ଦାମରେ ଟମାଟୋ ବିକିବାକୁ ବାଧ୍ୟ ହେଉଛନ୍ତି । କିନ୍ତୁ ଏବେ ଯେତେବେଳେ ଟମାଟୋ କିଲୋ ୭୦ ଛୁଇଁଛି ସେତେବେଳେ ଆମ ଚାଷୀଙ୍କ ପାଖରେ ଟମାଟୋ ନାହିଁ । ବାହାର ରାଜ୍ୟରୁ ଆସୁଥିବା ଟମାଟୋର ଦର ବୃଦ୍ଧି ଦେଖି ଆମ ରାଜ୍ୟର ଚାଷୀ କେବଳ ଆଖିରୁ ଲୁହ ଗଡ଼ାଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.