ହାଇୱେରେ ବିନା Fastagରେ ଦୌଡିବ ଗାଡି: NHରେ ନଜର ଆସିବନି ଟୋଲ, ଦୂରତା ହିସାବରେ କଟିବ ଟଙ୍କା, ଆରମ୍ଭ ହେବ ANPR ସିଷ୍ଟମ

Published By : Prameya-News7 Bureau | June 27, 2022 IST

ନୂଆଦିଲ୍ଲୀ: ଜାତୀୟ ରାଜପଥରେ ଏଣିକି ଲମ୍ୱା ଲାଇନ ଲଗାଇବାକୁ ପଡିବ ନାହିଁ । ଏହାସହ ୫ କିଲୋମିଟରର ଯାତ୍ରା ପାଇଁ ପୂରା ଟୋଲ ଦେବା ପାଇଁ ଆପଣଙ୍କୁ ଚିନ୍ତା କରିବାକୁ ପଡିବ ନାହିଁ । କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରଣାଳୟ ଏକ ହାଇଟେକ୍ ସିଷ୍ଟମ ଆଣିବାକୁ ଯାଉଛନ୍ତି । ଖୁବଶୀଘ୍ର ଦେଶର ହାଇୱେ ଗୁଡିକ ହାଇଟେକ୍ ହେବାକୁ ଯାଉଛି । ଜାତୀୟ ରାଜପଥ ଗୁଡିକରେ ଏଣିକି ANPR( ଅଟୋମେଟିକ୍ ନମ୍ୱର ପେଲ୍ଟ ରିଡର) ସିଷ୍ଟମ ଲାଗୁ କରାଯିବ।

କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରଣାଳୟ ଏହି ନୂଆ ପ୍ରଣାଳୀ ଆରମ୍ଭ କରିବାକୁ ଯାଉଛି । ରାଜସ୍ଥାନରେ ଏନଏଚଏଆଇ ଏହିପରି ଏକ ଗ୍ରୀନ ଫିଲ୍ଡ ଏକ୍ସପ୍ରେସ ୱେ ନିର୍ମାଣ କରୁଛି । ଏଥିରେ ଗୋଟିଏ ବି ଟୋଲ ବୁଥ ରହିବ ନାହିଁ । ଏହାର ସବୁଠୁ ବଡ଼ ଲାଭ ହେଉଛି ଗାଡି ମାଲିକ ହାଇୱେରେ ଯେକିତି ଦୂର ଯାଇଥିବେ ସେତିକି ହିଁ ଟଙ୍କା ଦେବେ । ରାଜସ୍ଥାନରେ ନିର୍ମାଣ ହେଉଥିବା ଏହି ଗ୍ରୀନ ଫିଲ୍ଡ ଏକ୍ସପ୍ରେସରୁ ଏହାର ଆରମ୍ଭ ହେବ ।

ପଞ୍ଜାବର ଅମୃତସରରୁ ଆରମ୍ଭ ହୋଇ ଗୁଜରାଟର ଜାମନଗର ଯାଏଁ ନିର୍ମାଣ ହେଉଥିବା ଏହି ଗ୍ରୀନ ଫିଲ୍ଡ ଏକ୍ସପ୍ରେସ ୱେ ରାଜସ୍ଥାନ ସହ ଯୋଡି ହେବ । ପଞ୍ଜାବ, ହରିୟାଣା ଏବଂ ଆରବ ସାଗରର ବନ୍ଦର ସହ ଏହା ଯୋଡି ହେବ । ଭାରତ ମାଲା ପ୍ରକଳ୍ପ ଅଧିନରେ ନିର୍ମାଣ ହେଉଥିବା ଏହି ଗ୍ରୀନ ଫିଲ୍ଡ ଏକ୍ସପ୍ରେସ ୱେ ରାଜସ୍ଥାନରେ ୬୩୭ କିଲୋମିଟର ରହିଛି । ଅନ୍ୟପଟେ ପଞ୍ଜାବ, ହରିୟାଣା, ରାଜସ୍ଥାନ ଏବଂ ଗୁଜରାଟରେ ଏହି ପୂରା ପ୍ରକଳ୍ପର ମୋଟ ଲମ୍ୱ ୧,୨୨୪ କିଲୋମିଟର । ଏହି ପ୍ରୋଜେକ୍ଟ ଉପରେ ପ୍ରାୟ ୧୪, ୭୦୭ କୋଟି ଟଙ୍କା ଖର୍ଚ୍ଚ ହେବାର ଅନୁମାନ ରହିଛି ଏବଂ ୨୦୨୩ ସେପ୍ଟେମ୍ୱର ସୁଦ୍ଧା ଏହାକୁ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.