ରାଜ୍ୟରେ ଏଥର କମିବ ଶୀତ, ଫେବୃଆରୀ ଯାଏଁ ସ୍ୱାଭାବିକ ରହିବ ତାପମାତ୍ରା

Published By : Prameya-News7 Bureau | October 26, 2022 IST

ଭୁବନେଶ୍ୱର,୨୬/୧୦: ଏଥର ରାଜ୍ୟରେ କମ୍‌ ଶୀତ ହୋଇପାରେ । ଶୀତ ଋତୁରେ ବିଶ୍ୱ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। ଫେବ୍ରୁଆରୀ ଯାଏ ତାପମାତ୍ରା ଅଧିକ ରହିବ । ଓଡ଼ିଶା ସମେତ ଦେଶର ପୂର୍ବ ଉପକୂଳରେ ତାପମାତ୍ରା ଅଧିକ ରହିବା ଯୋଗୁ ଶୀତ କମ୍‌ ହେବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

ଡ. ପଶୁପାଳକ କହିଛନ୍ତି, ରାଜ୍ୟରେ ନଭେମ୍ବର ମାସରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିପାରେ । ଡିସେମ୍ବରରେ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ଶୀତ କମ୍‌ ହେବ । ଜାନୁୟାରୀ ଓ ଫେବ୍ରୁଆରୀରେ ପୂରା ଉପକୂଳରେ ଶୀତ କମ୍‌ ରହିବ । ନଭେମ୍ବର ଓ ଜାନୁୟାରୀରେ ସ୍ୱାଭାବିକଠାରୁ କମ୍‌ ବର୍ଷା ହେବ ବୋଲି ସେ ଆକଳନ କରିଛନ୍ତି ।

ସେପଟେ ବାଂଲାଦେଶ ଉପକୂଳରେ ଲ୍ୟାଣ୍ଡଫଲ କରିଥିବା ବାତ୍ୟା ସି-ତ୍ରଙ୍ଗ୍‌ ଧୀରେ ଧୀରେ ଦୁର୍ବଳ ହୋଇଛି । ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଏହା ତୀବ୍ର ଅବପାତକୁ ଖସିଆସିଛି । ଏହା କ୍ରମଶଃ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବ ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି ।

ଅକ୍ଟୋବର ୨୩ରେ ଗ୍ରୀଷ୍ମ ମଣ୍ଡଳୀୟ ପ୍ରଶାନ୍ତ ମହାସାଗର ଓ ଏହାର ଉପରିସ୍ଥ ବାୟୁମଣ୍ଡଳ ସ୍ଥିତି(ଇଏନ୍‌ଏସଓ)ରୁ ଜଣାପଡୁଛି, ଗତ ୩ ବର୍ଷ ହେଲା ଚାଲୁ ରହିଥିବା ଲାଲ୍‌ ନିନା ଜାନୁୟାରୀ ୨୩ ଯାଏ ଜାରି ରହିବ । ତା ପରେ ଏହା ନିଉଟ୍ରାଲ୍‌କୁ ସ୍ଥିତିକୁ ଫେରିପାରେ ବୋଲି ଡ. ପଶୁପାଳକ କହିଛନ୍ତି ।

ସେ କହିଛନ୍ତି, ଗତ ଜୁନ୍‌ରୁ ଭାରତ ମହାସାଗର ଡାଏପୋଲ୍‌(ଆଇଓଡି) ଇଣ୍ଡେକ୍ସ ନେଗେଟିଭ୍‌ ରହିଛି । ଏହା ଡିସେମ୍ବର ଯାଏ ଚାଲୁ ରହିବ । ପୁଣି ମେଡେନ ଜୁଲିଏନ୍‌ ଓସିଲେସନ୍‌ ପଶ୍ଚିମ ପ୍ରଶାନ୍ତ ମହାସାଗରରେ ରହିଛି । ଏହା ପୂର୍ବକୁ ମୁହାଁଇ ୧୫ଦିନରେ ଅଧିକ ଶକ୍ତିଶାଳୀ ହୋଇପାରେ । ଏମଜିଓ ଏବଂ ଆଇଓଡି ଆକାଳନକୁ ଦେଖିଲେ ବଙ୍ଗୋପସାଗରରେ ବାତ୍ୟା ପାଇଁ ସ୍ଥିତି ଅନୁକୂଳ ରହୁଛି । ନଭେମ୍ବରରେ ଦକ୍ଷିଣ ଚାଇନା ସମୁଦ୍ରରେ ଝଡ଼ ସୃଷ୍ଟିର ସମ୍ଭାବନା ରହିଛି । ଏହାର ଶେଷ ଅଂଶ ଥାଇଲାଣ୍ଡ ଦେଇ ବଙ୍ଗୋପସାଗରରେ ପ୍ରବେଶ କରିପାରେ । ମଡେଲକୁ ବିଶ୍ଲେଷଣ କରି ସେ କହିଛନ୍ତି, ଯଦି ନଭେମ୍ବରରେ ସିଷ୍ଟମ୍‌ ହୁଏ ଏହା ଆଣ୍ଡାମାନରେ ପ୍ରଭାବିତ ହୋଇ ବାଂଲାଦେଶ ଦକ୍ଷିଣ ଉପକୂଳକୁ ଯାଇପାରେ । ଦେଶର ପୂର୍ବ ଉପକୂଳରେ କମ୍‌ ବର୍ଷା ଆକଳନ ଯୋଗୁ ବାତ୍ୟା ଓଡ଼ିଶା ଆସିବାର ସମ୍ଭାବନା କମ୍‌ ବୋଲି ଡ. ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.