ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା; ରଥ ପଥ ପ୍ରସ୍ତୁତ, ଅପେକ୍ଷା ଦାରୁଦିଅଁଙ୍କୁ, ଭାବଭକ୍ତିରେ ଏକାକାର ହେବେ ଭକ୍ତ ଓ ଭଗବାନ

Published By : Prameya-News7 Bureau | July 07, 2024 IST

ପୁରୀ, ୭/୭: ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଆଜି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ଶ୍ରୀଜିଉ । ଭାଇଭଉଣୀଙ୍କ ସହ ଜନ୍ମବେଦୀକୁ ଯିବେ ମହାପ୍ରଭୁ । ରଥଯାତ୍ରା ପାଇଁ ଧୀରେ ଧୀରେ ଲୋକାରଣ୍ୟ ହେଲାଣି ବଡ଼ଦାଣ୍ଡ । ଚଳିତ ବର୍ଷ ଦୁଇ ଦିନ ରଥ ଟାଣିବାକୁ ସୌଭାଗ୍ୟ ପାଇବେ ଶ୍ରଦ୍ଧାଳୁ । ୫୩ ବର୍ଷ ପରେ ଏହି ବିରଳ ସଂଯୋଗ ଆସିଛି । ଏହା ପୂର୍ବରୁ ୧୯୦୯ ପରେ ୧୯୭୧ ମସିହାରେ ବିରଳ ଶ୍ରୀଗୁଣ୍ଡିଚା ଯାତ୍ରା ପଡ଼ିଥିଲା । ଏକାଦିନକେ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ରଥଯାତ୍ରା । ଏଭଳି ଦିବ୍ୟ ମୁହୂର୍ତ୍ତରେ ସାମିଲ ହୋଇଛନ୍ତି ଅଗଣିତ ଭକ୍ତ । ବଡ଼ଦାଣ୍ଡ ଭାବଭକ୍ତିମୟ । ଉତ୍କଣ୍ଠିତ ଭକ୍ତଙ୍କ ନଜର ସିଂହଦ୍ୱାର ଉପରେ । କେତେବେଳେ ବାଇଶି ପାହାଚରେ ଉଭା ହେବେ କାଳିଆ ସାଆନ୍ତ । ପଲକେ ଦର୍ଶନରେ ଧନ୍ୟ ହୋଇଯିବ ଚର୍ମନେତ୍ର । ଭକ୍ତ ଠାକୁରଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଉ ନାହିଁ । ବରଂ ନିଜ ସଂସାର ତଥା ଶ୍ରୀମନ୍ଦିର ଛାଡ଼ି ଅସଂଖ୍ୟ ଭକ୍ତଙ୍କୁ ଦେଖିବାକୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସୁଛନ୍ତି ମହାପ୍ରଭୁ । ଭାବଭକ୍ତିରେ ଏକାକାର ହୋଇଯିବେ ଭଗବାନ ଓ ଭକ୍ତ ।      

ଘଣ୍ଟାକୁ ଘଣ୍ଟା ବଡ଼ଦାଣ୍ଡରେ ବଢୁଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଭଜନ କୀର୍ତ୍ତନରେ କମ୍ପୁଛି ରଥ ପଥ । ସବୁରି ପ୍ରତୀକ୍ଷା ସେହି ଦିବ୍ୟ କ୍ଷଣକୁ । ସିଂହଦ୍ୱାରରେ ମହାପ୍ରଭୁଙ୍କ ଅପେକ୍ଷାରେ ରହିଛି ରଥତ୍ରୟ । ରଥାରୂଢ଼ ହେବେ ଦାରୁବ୍ରହ୍ମ । ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଗଡ଼ିବ ରଥ । ମହାପ୍ରଭୁଙ୍କୁ ବକ୍ଷରେ ଧାରଣ କରି ଧନ୍ୟ ହୋଇଯିବ ପବିତ୍ର ବଡ଼ଦାଣ୍ଡ । ସେଥିପାଇଁ ଉତ୍କଣ୍ଠିତ ରଥ, ପଥ ଓ ଅଗଣିତ ଭକ୍ତ । ପ୍ରଶାସକ ଓ ସେବକଙ୍କ ଆଖିରେ ନିଦ ନାହିଁ । ପ୍ରସ୍ତୁତି ସତ୍ତ୍ବେ ଏକମାତ୍ର ଆକାଂକ୍ଷା ପ୍ରଭୁକୃପା । କାରଣ କୁହାଯାଏ, ମହାପ୍ରଭୁଙ୍କ ନିର୍ଦ୍ଦେଶ ବିନା ପତ୍ର ବି ହଲେନି । ଏଥର ପୁଣି ତିନି ଦିନର ନୀତିକାନ୍ତି ଗୋଟିଏ ଦିନରେ । ଏଥି ସହ ବହୁଗୁଣରେ ଶ୍ରଦ୍ଧାଳୁଙ୍କ ଆଗମନ । ଅଧିକ ବର୍ଷାର ସମ୍ଭାବନା ସାଙ୍ଗକୁ ଭିଭିଆଇପିଙ୍କ ଉପସ୍ଥିତି ବି ଚ୍ୟାଲେଞ୍ଜ୍‌ । ହେଲେ ଯେ କୌଣସି ସ୍ଥିତିରେ ଠାକୁରଙ୍କ ତିନି ରଥ ଟଣାଯିବା ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ପ୍ରାଧାନ୍ୟ ଦିଆଯାଉଥିବା କହିଛନ୍ତି ସେବକ ଓ ପ୍ରଶାସକ । ଶ୍ରୀବିଗ୍ରହଙ୍କ ପହଣ୍ଡି ଅପରାହ୍ଣ ୧ଟା ୧୦ରେ ଆରମ୍ଭ ହୋଇ ୫ଟାରେ ରଥ ଟଣା ଯିବ ବୋଲି ସମୟ ଧାର୍ଯ୍ୟ ହୋଇଛି ।

ରଥ ଯାତ୍ରା ପାଇଁ ଧାର୍ଯ୍ୟ ନୀତିନିର୍ଘଣ୍ଟ ଅନୁସାରେ ରାତ୍ର ୨ଟାରେ ମଙ୍ଗଳ ଆଳତି ବଢ଼ି ଅଣସର ତାଟି ଫିଟିବ ୩ଟାରେ । ଅନ୍ୟାନ୍ୟ ନୀତି ହୋଇ ନେତ୍ରୋତ୍ସବ ବନ୍ଦାପନା ହେବ ୪ଟାରେ । ଏଥି ସହ ଅନ୍ୟାନ୍ୟ ନୀତି ସହ ଗୋପାଳବଲ୍ଲଭ ଓ ଘଣ୍ଟଛତା ସକାଳ ଧୂପ ଅବସରରେ ଖେଚୁଡ଼ି ଭୋଗ ହେବ ପ୍ରାତଃ ୬ଟାରୁ ୭ଟା ମଧ୍ୟରେ । ସକାଳ ସାଢ଼େ ୭ରୁ ସାଢ଼େ ୧୨ ମଧ୍ୟରେ ଦାରୁଦିଅଁଙ୍କ ସେନାପଟା ଲାଗି ସମ୍ପନ୍ନ ହେବ । ଏହା ହେଉଛି ଶ୍ରୀଜିଉଙ୍କ ପହଣ୍ଡିର ପୂର୍ବ ପ୍ରସ୍ତୁତି । ପୂର୍ବାହ୍ନ ୧୧ଟାରେ ରଥ ପ୍ରତିଷ୍ଠା । ଅପରାହ୍ଣ ୧ଟାରେ ମଙ୍ଗଳାର୍ପଣ ସରି ଦାରୁଦିଅଁଙ୍କ ପହଣ୍ଡି ଆରମ୍ଭ ହେବ ୧ଟା ୧୦ମିନିଟ୍‌ରେ । ସାଢ଼େ ୨ଟା ସୁଦ୍ଧା ପହଣ୍ଡି ସରିବ । ୩ଟାରେ ଶ୍ରୀମଦନମୋହନ ଓ ଶ୍ରୀରାମକୃଷ୍ଣ ରଥରେ ବିଜେ ହେବେ । ରଥାରୂଢ଼ ଠାକୁରଙ୍କୁ ଚିତାଲାଗି କରାଯିବା ପରେ ଅପରାହ୍ଣ ୪ଟାରେ ଗଜପତି ମହାରାଜଙ୍କ ଦ୍ୱାରା ଛେରାପହଁରା ନୀତି ସମ୍ପନ୍ନ ହେବ । ସାଢ଼େ ୪ଟାରେ ଚାରମାଳ ଫିଟା, ଘୋଡ଼ା ଓ ସାରଥି ଲାଗିବ । ଶେଷରେ ଅପରାହ୍ଣ ୫ଟାରେ ରଥଯାତ୍ରାର ବିଶେଷ ପର୍ବ ରଥଟଣା ଆରମ୍ଭ ହେବ । ଅତ୍ୟଧିକ ନୀତି ରହୁଥିବାରୁ କୌଣସି ପ୍ରକାରେ ତିନି ରଥକୁ କିଛି ଦୂର ହେଲେ ମଧ୍ୟ ଟାଣି ନେବାକୁ ସ୍ଥିର ହୋଇଥିବା ସୂଚନା ମିଳିଛି । ରଥ ଟଣା ବନ୍ଦ ହେଲେ ରଥ ଉପରେ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ । ରଥଯାତ୍ରାରେ ସେବା ପ୍ରଦାନ ପାଇଁ ହଜାର ହଜାର ସ୍ୱେଚ୍ଛାସେବୀ ତତ୍ପର । ପୋଲିସ ପ୍ରଶାସନ ପକ୍ଷରୁ ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳା ରକ୍ଷା ନିମନ୍ତେ ମାଜିଷ୍ଟ୍ରେଟ ଓ ଫୋର୍ସଙ୍କୁ ମୁତୟନ କରାଯାଇଛି । ଚଳିତ ବର୍ଷ ରଥଯାତ୍ରାରେ ରଥଟଣା ଦୁଇଦିନ ହେଉଥିବାରୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଶ୍ରୀକ୍ଷେତ୍ରରେ ବଢ଼ିଛି । ରବିବାର ଓ ସୋମବାର ସରକାରୀ ଛୁଟି ଥିବାରୁ ଲୋକେ ଏବେ ଶ୍ରୀକ୍ଷେତ୍ର ମୁହାଁ ହୋଇଛନ୍ତି ।

  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.