ଖରା କମ୍, କାଳବୈଶାଖୀ ଦେବ ଆଶ୍ବସ୍ତି, ଶୁକ୍ରବାର ପାଇଁ ୬ ଜିଲ୍ଲାରେ ପ୍ରବଳ ବର୍ଷା !

Published By : Prameya-News7 Bureau | May 10, 2024 IST

ଭୁବନେଶ୍ୱର,୧୦/୦୫: ଶୁକ୍ରବାର ଗରମ ନୁହେଁ ନରମ ରହିବ ପାଗ । ବେଶି ଖରା କି ଗୁଳୁଗୁଳି ହେବ ନାହିଁ । ଏମିତି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ବଡ଼ କଥା ହେଲା, ପ୍ରଥମ ପର୍ଯ୍ୟାୟରେ ଭୋଟ ହେବାକୁ ଥିବା ୪ ଲୋକସଭା କ୍ଷେତ୍ରରେ ଗୁରୁବାର ପାଗ ଲୋକଙ୍କୁ ସୁହାଇଲା ଭଳି ଥିଲା । କୋରାପୁଟ ତାପମାତ୍ରା ୩୨.୫ ଡିଗ୍ରୀ ସେଲସିୟସ୍‌ ଥିବାବେଳେ ସନ୍ଧ୍ୟା ସୁଦ୍ଧା ୨୬.୨ ମିଲିମିଟର ବର୍ଷା ହୋଇଛି । ରାୟଗଡ଼ା ତାପମାତ୍ରା ୩୬ ଡିଗ୍ରୀ ଥିବାବେଳେ ହାଲୁକା ବର୍ଷା ହୋଇଛି । ଗୋପାଳପୁରରେ ବି ହାଲୁକା ବର୍ଷା ରେକର୍ଡ ହୋଇଛି । ସେହିପରି ଅନ୍ୟ ଅଞ୍ଚଳ ମଧ୍ୟରେ ଖୋର୍ଦ୍ଧାରେ ୧୧ ମି.ମି, ତାଳଚେରରେ ୧୩ ମି.ମି ଝାରସୁଗୁଡ଼ାରେ ୧୧.୪, କେନ୍ଦୁଝରରେ ୯.୨ ମି.ମି ବର୍ଷା ସହ ନୟାଗଡ଼, ଦାରିଙ୍ଗିବାଡ଼ି, ସୋନପୁର, ଅନୁଗୁଳ, ଭଦ୍ରକରେ ହାଲୁକା ବର୍ଷା ହୋଇଛି ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ ଆସନ୍ତା ୧୮ରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗରେ ବଡ଼ ପରିବର୍ତ୍ତନ ସମ୍ଭାବନା କମ୍‌ । ତାତି କମ୍‌ ରହିବ । ମଝିରେ ମଝିରେ ଗରମ ବଢ଼ିଲେ ବି ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବାଧିକ ୪୧ ଡିଗ୍ରୀ ସେଲସିୟସ୍‌ ଓ ଉପକୂଳରେ ୩୬ରୁ ୩୭ ଡିଗ୍ରୀ ଭିତରେ ରହିବ ତାପମାତ୍ରା । ପ୍ରତିଦିନ କିଛି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ଅଛି । ୧୨/୧୩ ତାରିଖବେଳକୁ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ଅଧିକ ରହିଛି । 

ପାଣିପାଗ ବିଭାଗର ଆକଳନ ହେଲା, ୧୦ ତାରିଖରେ ଉପକୂଳ ଓଡ଼ିଶାର ଅଳ୍ପ କେତେକ ସ୍ଥାନରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଉତ୍ତର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଆଭ୍ୟନ୍ତରୀଣର ସ୍ଥାନେ ସ୍ଥାନେ ବି ବର୍ଷା ସମ୍ଭାବନା ଅଛି । ମୟୂରଭଞ୍ଜ, ବାଲେଶ୍ୱରରେ କିଛି ସ୍ଥାନରେ ପ୍ରବଳ ବର୍ଷା ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ସହ ଧୂଳିଝଡ଼ ଏବଂ ବଜ୍ରପାତ ଆଶଙ୍କା ରହିଛି । ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ବୌଦ୍ଧ ଏବଂ କନ୍ଧମାଳରେ କାଳବୈଶାଖୀ ପ୍ରଭାବରେ ୩୦ରୁ ୪୦ କିଲୋମିଟର ପବନ ହୋଇପାରେ । 

୧୧ ତାରିଖରେ ଉପକୂଳ, ଉତ୍ତର ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣରେ ବର୍ଷା ସମ୍ଭାବନା ଅଛି । ମୁଖ୍ୟତଃ ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଗଞ୍ଜାମ, ଗଜପତିରେ ପ୍ରବଳ ବର୍ଷା ଓ ୪୦ରୁ ୫୦ କିମି ବେଗରେ ପବନ ମାଡ଼ ହୋଇପାରେ । କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼ରେ ୩୦ରୁ ୪୦ କିମି ପବନ ଆଶଙ୍କା ଅଛି । 

୧୨ରେ ଉପକୂଳ ଓଡ଼ିଶାର ଅନେକ ସ୍ଥାନ ସହ ଦକ୍ଷିଣ ଆଭ୍ୟନ୍ତରୀଣର ଅଳ୍ପ କିଛି ଜାଗା ଏବଂ ଉତ୍ତର ଆଭ୍ୟନ୍ତରୀଣର ସ୍ଥାନେ ସ୍ଥାନେ ବର୍ଷା ହେବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତିରେ କାଳବୈଶାଖୀ ହୋଇପାରେ । ୧୩ ତାରିଖରେ ଅଳ୍ପ କେତେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତିରେ ଘଡ଼ଘଡ଼ି ସହ କାଳବୈଶାଖୀ ଆଶଙ୍କା ରହିଛି । ୧୪ ଓ ୧୫ ତାରିଖରେ ଉପକୂଳ, ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉତ୍ତରର କିଛି ସ୍ଥାନରେ ବର୍ଷା ହୋଇପାରେ । 

 

  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.