ପୂଜାରେ ଭିଜିବ ପାର୍ବଣ, ଲଘୁଚାପ ପ୍ରଭାବରେ ୨୬ରୁ ୨୯ ଯାଏ ନିର୍ଦ୍ଧୁମ ଛେଚିବ

Published By : Prameya-News7 Bureau | September 24, 2022 IST

ଭୁବନେଶ୍ୱର ୨୪/୦୯: ପୂଜାରେ ବର୍ଷା ହେବା ଆଶଙ୍କା ଘନେଇଲାଣି । ଅକ୍ଟୋବର ୪ରେ କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ହୋଇପାରେ । ଏହାର ପ୍ରଭାବରେ ଆନ୍ଧରେ ଭାରୀ ବର୍ଷା ହେବ । ଦଶହରାରେ ଦକ୍ଷିଣ ଓଡିଶାରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ଆକଳନ କରିଛନ୍ତି ।

ପୂଜା ପୂର୍ବରୁ ଲାଗ ଲାଗ ଦୁଇଟି ଘୂର୍ଣ୍ଣିବଳୟ ହେବ ବୋଲି ଗତକାଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର(ଆଇଏମ୍‌ଡି) ପୂର୍ବାନୁମାନ କରିଥିଲା । କିନ୍ତୁ ଅକ୍ଟୋବର ୧ରେ ମିଆଁମାର ଉପକୂଳରେ ଯେଉଁ ଘୂର୍ଣ୍ଣିବଳୟ ହେବ ତାହା ଲଘୁଚାପ ରୂପ ନେବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି । କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗର ହେବାକୁ ଥିବା ଏହି ଲଘୁଚାପ ଆନ୍ଧ୍ରରେ ଅଧିକ ବର୍ଷା କରାଇବ । ତେବେ ଓଡ଼ିଶାର କେନ୍ଦ୍ରୀୟ ଓ ଉତ୍ତର ଉପକୂଳରେ ଦଶହରାରେ ସ୍ୱଳ୍ପ ବର୍ଷା ହେବ । ଦକ୍ଷିଣରେ ମଧ୍ୟମ ଧରଣର ବର୍ଷା ହୋଇପାରେ ।

ଦଶହରା ଆଗରୁ ଆସନ୍ତା ୨୫ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ହୋଇପାରେ । ଏହା ୨୯ ତାରିଖ ଯାଏ ଓଡିଶା ଉପକୂଳ ସଂଲଗ୍ନ ବଙ୍ଗୋପସାଗରରେ ରହିପାରେ । ଏହା ପ୍ରଭାବରେ ୨୬ରୁ ୨୯ ଯାଏ ରାଜ୍ୟରେ ବର୍ଷା ହେବ । ଏହି ୫ ଦିନରେ ରାଜଧାନୀ ସମେତ ଉପକୂଳରେ ମୋଟ ବର୍ଷା ପରିମାଣ ୫୦ରୁ ୬୦ ମିଲିମିଟର ରହିବ ।

ଉତ୍ତର ଆଭ୍ୟନ୍ତରୀଣ ସୀମାବର୍ତ୍ତୀ ପଶ୍ଚିମ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ୬୦ରୁ ୭୦ମିମି ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର ବାକି ଅଞ୍ଚଳରେ ୩୦ରୁ ୪୦ମିମି ବର୍ଷା ହୋଇପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି । ୨୯ ବା ୩୦ରେ କେନ୍ଦ୍ରୀୟ ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ଅଛି । କିନ୍ତୁ ଏହାଦ୍ୱାରା ରାଜ୍ୟରେ ବିଶେଷ ବର୍ଷା ନାହିଁ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.