ଆଜି ‘ପ୍ରମେୟ’, ‘ନ୍ୟୁଜ୍‌-୭’ର ଜନ୍ମ ଉତ୍ସବ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ

Published By : Prameya-News7 Bureau | December 10, 2019 IST

ଭୁବନେଶ୍ୱର ୧୦।୧୨: ଆଜି ଓଡ଼ିଆ ଦୈନିକ ‘ପ୍ରମେୟ’ ଓ ଚ୍ୟାନେଲ ‘ନ୍ୟୁଜ୍‌୭’ର ଜନ୍ମ ଉତ୍ସବ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ପିଆଇବିର ପୂର୍ବତନ ପ୍ରମୁଖ ମହାନିର୍ଦ୍ଦେଶକ ସୀତାଂଶୁ ରଞ୍ଜନ କର ସମ୍ମାନିତ ଅତିଥି ଏବଂ ବିଶିଷ୍ଟ ଲେଖକ, ସ୍ତମ୍ଭକାର ତଥା ପ୍ରେରଣାଦାୟୀ ବକ୍ତା ଚେତନ ଭଗତ ମୁଖ୍ୟ ବକ୍ତା ରହିବେ ।

ମଙ୍ଗଳବାର ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ଅଡିଟୋରିୟମ୍‌ କ୍ୟାମ୍ପସ୍‌-୨ରେ ପୂର୍ବାହ୍ନ ସାଢ଼େ ୧୧ଟାରେ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏଥିରେ ଶିଳ୍ପ କ୍ଷେତ୍ରଠାରୁ ଆରମ୍ଭ କରି ନେତା, ରାଜନେତା, ସାହିତ୍ୟିକ ଓ ପ୍ରଶାସକଙ୍କ ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିବିଶେଷ ସାମିଲ ହେବେ ।

ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ପ୍ରମେୟ ଓ ନ୍ୟୁଜ୍‌୭ ଜନ୍ମ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବେ । ଲୋକପ୍ରିୟତାର ଶୀର୍ଷକୁ ଉଠି ପଞ୍ଚମ ପାଳିର ଶାସନ ସମ୍ଭାଳିବା ପରେ ଶ୍ରୀ ପଟ୍ଟନାୟକଙ୍କ ଏହା ହେବ ପ୍ରମେୟ ଓ ନ୍ୟୁଜ୍‌୭ ପରିବାରକୁ ପ୍ରଥମ ଗସ୍ତ ।

ସମ୍ମାନିତ ଅତିଥି ତଥା ୧୯୮୩ ବ୍ୟାଚ୍‌ର ଆଇଆଇଏସ୍‌ ଅଫିସର ଶ୍ରୀ କର ନିକଟରେ ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ ତଥା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରଧାନ ମୁଖପାତ୍ର ପଦରୁ ଅବସର ନେଇଛନ୍ତି । ଓଡ଼ିଶାରେ ଜନ୍ମିତ ଶ୍ରୀ କର ଭୁବନେଶ୍ୱରସ୍ଥିତ ବିଜେବି କଲେଜରୁ ସ୍ନାତକ ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ହାସଲ କରିଛନ୍ତି । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଚାଇନିଜ୍‌ ଓ ଜାପାନିଜ୍‌ ଷ୍ଟଡିଜ୍‌ରେ ଏମ୍‌ଫିଲ୍‌ କରିଛନ୍ତି । ଜଣେ ଓଡ଼ିଆ ହିସାବରେ ସେ ପ୍ରଥମ ବ୍ୟକ୍ତି, ଯିଏ ଏହି ପଦବିରେ ପହଞ୍ଚିଛନ୍ତି । ପ୍ରମେୟ ଓ ନ୍ୟୁଜ୍‌୭ ଜନ୍ମ ଉତ୍ସବର ମୁଖ୍ୟ ବକ୍ତା ଶ୍ରୀ ଭଗତ୍‌ ନିଜର ଲେଖା ଓ ପ୍ରେରଣାଦାୟୀ ଅଭିଭାଷଣ ପାଇଁ କେବଳ ଭାରତ ନୁହେଁ ସାରା ବିଶ୍ୱରେ ଖ୍ୟାତି ଅର୍ଜନ କରିଛନ୍ତି । ମୁଖ୍ୟତଃ ଭାରତର ମଧ୍ୟବିତ୍ତ ଯୁବଗୋଷ୍ଠୀଙ୍କ ଉପରେ ଲେଖିଥିବା ପୁସ୍ତକ ଚହଳ ପକାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.