ଶୀତଳଷଷ୍ଠୀ ଯାତ୍ରା ଲାଗି ଦୁଲୁକୁଛି ପଶ୍ଚିମ ଓଡ଼ିଶା, ଶୁଭ ମୂହୁର୍ତ୍ତରେ ପଡିବ ଦେବଦମ୍ପତ୍ତିଙ୍କ ହାତଗଣ୍ଠି

Published By : Prameya-News7 Bureau | June 04, 2022 IST

ସମ୍ୱଲପୁର ୦୪/୦୬: ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଦେବ ଦେବ ମହାଦେବଙ୍କ ସହ ମାତା ପାର୍ବତୀଙ୍କ ବିବାହ ପାଇଁ ସମ୍ବଲପୁରରେ ଦେବତା, ଗନ୍ଧର୍ବ, କିନ୍ନରଙ୍କ ସମାଗମ ହୋଇଛି । ଶନିବାର ବର ବେଶରେ ମାତା ପାର୍ବତୀଙ୍କ ଘର ଅଭିମୁଖେ ବାହାରିବେ ସଂହାରକର୍ତ୍ତା ଶିବ । ପ୍ରସିଦ୍ଧ ଶୀତଳଷଷ୍ଠୀ ପାଇଁ ସାରା ସମ୍ବଲପୁର ଉତ୍ସବମୁଖର ହୋଇଉଠିଛି । ଦୀର୍ଘ ୨ ବର୍ଷ ପରେ ହେଉଥିବା ଏହି ଯାତ୍ରା ପାଇଁ ପ୍ରତି କମିଟି ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି ।

ଏହି ଯାତ୍ରା ପାଇଁ ଇତିମଧ୍ୟରେ ପତରପେଣ୍ଡି ଏବଂ ଗୁଣାଗୁଣ୍ଡା ନୀତି ସଂପନ୍ନ ହୋଇସାରିଛି । ଆସନ୍ତାକାଲି ଦିନତମାମ ବିଭିନ୍ନ ବିବାହ ପୂର୍ବ ନୀତି ସଂପନ୍ନ ହେବ। ଗତବର୍ଷର କନ୍ୟାପିତାମାତା ମାନଙ୍କ ଗଣ୍ଠଳି ଫିଟା ପରେ ଏକବର୍ଷର କନ୍ୟା ପିତାମାତାମାନେ ମାତା ପାର୍ବତୀଙ୍କୁ ପାଛୋଟି ନେବେ । ମାଁ ଘରେ ମାତା ପାର୍ବତୀଙ୍କ ବନ୍ଦାପଣା, ଗନ୍ଧଷଣ, ହରିଦ୍ରାଲେପନ ଆଦି ସମସ୍ତ ନୀତି ପରେ ରାତିରେ ମାଁଙ୍କୁ କନ୍ୟା ବେଶରେ ସଜ୍ଜିତ କରାଯିବ ।

ସେପଟେ, ସବୁ ମନ୍ଦିରରେ ମହାଦେବଙ୍କ ରୁଦ୍ରାଭିଷେକ ଅନୁଷ୍ଠିତ ହୋଇ ପ୍ରଭୁଙ୍କ ତୈଳାଭିଷେକ, ଗନ୍ଧଷଣ ଆଦି ସମସ୍ତ ନୀତି ଅନୁଷ୍ଠିତ ହେବ । ଆଉ ରାତିରେ ଆକର୍ଷଣୀୟ ପରଭାରେ ସୁସଜ୍ଜିତ ବିମାନରେ ମହାଦେବ ବିରାଜମାନ କରିବେ । ମଧ୍ୟରାତ୍ରରେ ମହାଆଳତୀ ପରେ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାର ଓ ସାଂସ୍କୃତିକ ଦଳଙ୍କ ସହ ବରଯାତ୍ରୀରେ କନ୍ୟା ଘର ଅଭିମୁଖେ ଯିବାର କାର୍ଯ୍ୟକ୍ରମ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.