ଆଜି ମୁମ୍ବାଇ,ସୁରତ ଏବଂ ସିଲଭାସା ଯିବେ ମୋଦୀ : ଉଦଘାଟନ କରିବେ ଭାରତୀୟ ସିନେମାର ରାଷ୍ଟ୍ରୀୟ ସଂଗ୍ରହାଳୟ

Published By : Prameya-News7 Bureau | January 19, 2019 IST

ନୂଆଦିଲ୍ଲୀ୧୯|୧: ପଶ୍ଚିମ ଭାରତ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦି ଆଜି ଗୁଜୁରାଟର ସୁରତ,ମହାରାଷ୍ଟ୍ରର ମୁମ୍ବାଇ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ଦାଦ୍ରା ନଗର ହାବେଳୀର ରାଜଧାନୀ ସିଲଭାସାକୁ ଯିବେ। ପ୍ରଧାନମନ୍ତ୍ରୀ ଆଜି ସର୍ବ ପ୍ରଥମେ ସୁରତ ନିକଟସ୍ଥ ହଜୀରାକୁ ଯିବେ। ଏଠାରେ ସେ ଏଲଏଣ୍ଡଟି ଆର୍ମଡ୍ ସିଷ୍ଟମ୍ କମ୍ପ୍ଲେକ୍ସ୍ ଗସ୍ତ କରିବେ। ଏଠାରେ ପ୍ରଧାନମନ୍ତ୍ରୀ ବହୁମୁଖୀ କେ-୯ ବଜ୍ର ଟ୍ୟାଙ୍କକୁ ସେନାବାହିନୀକୁ ଅର୍ପଣ କରିବେ। ଏହି ବଜ୍ର ଟ୍ୟାଙ୍କକୁ କେନ୍ଦ୍ରର ମହତ୍ତ୍ବାକାଂକ୍ଷୀ ଯୋଜନା ‘ମେକ ଇନ୍ ଇଣ୍ଡିଆ’ ଆନୁକୂଲ୍ୟରେ ସୁରତ ଏଲଏଣ୍ଡଟି ପ୍ଲାଣ୍ଟରେ ବିକଶିତ କରାଯିବ। ୨୩୦୧୮ମସିହାରେ ଏଲଏଣ୍ଡଟି ସାଉଥ କୋରିଆର କମ୍ପାନୀ ହାନବ୍ୟା ଟେକବିନ୍ ସହ କେ-୯ ବଜ୍ର ଟ୍ୟାଙ୍କକୁ ନିର୍ମାଣ କରିବା ନିମନ୍ତେ ଚୁକ୍ତି  କରିଥିଲା। ଏହି ଲଢୁଆ ଟ୍ୟାଙ୍କକୁ ବିଶ୍ବର ସବୁଠୁ ଉତ୍ତମ ଆଗ୍ନେୟାସ୍ତ୍ର କୁହାଯାଏ।

ମୋଦି ସୁରତ ଗସ୍ତ ଅବସରରେ ସୁରତ ନିକଟସ୍ଥ ନବସାରୀଠାରେ  ନିରାଲୀ  କ୍ୟାନସର ହସ୍ପିଟାଲର ଶିଳାନ୍ୟାସ କରିବେ। ଏହି ଅତ୍ୟାଧୁନିକ ନିରାଲୀ  କ୍ୟାନସର ହସ୍ପିଟାଲ ନବସାରୀର ପ୍ରଥମ ସମ୍ପୂର୍ଣ୍ଣ କ୍ୟାନସର ହସ୍ପିଟାଲ ହେବ। ଏହା ଦ୍ବାରା ଦକ୍ଷିଣ ଗୁଜରାଟ ସହ ଅନ୍ୟ ପଡ଼ୋଶୀ ରାଜ୍ୟର ରୋଗୀମାନଙ୍କୁ ଲାଭ ମିଳିବ।

ଏହା ପରେ ପ୍ରଧାନମନ୍ତ୍ରୀ ଦାଦ୍ରା ନଗର ହାବେଳୀର ରାଜଧାନୀ ସିଲଭାସାକୁ ଯିବେ। ଏଠାରେ ସାୟଲୀରେ ପ୍ରଧାନମନ୍ତ୍ରୀ ମେଡିକାଲ କଲେଜର ଶିଳାନ୍ୟାସ କରିବେ। ଏହି ହସ୍ପିଟାଲ୍ ଦାଦ୍ରା ନଗର ହାବେଳୀ ବ୍ୟତୀତ ଡାମନ ଡିଉର ସ୍ବାସ୍ଥ୍ୟ ସୁବିଧାକୁ ମଧ୍ୟ ବୃଦ୍ଧି କରିବ। ଏହା ସହିତ  ସେ ଦାଦ୍ରା ନଗର ହାବେଳୀର ବିଭିନ୍ନ ବିକାଶ ପରିଯୋଜନାର ଶୁଭାରମ୍ଭ କରିବେ।

ସିଲଭାସା ପରେ ପ୍ରଧାନମନ୍ତ୍ରୀ ମୁମ୍ବାଇରେ ଭାରତୀୟ ସିନେମାରେ ହୋଇଥିବା ରାଷ୍ଟ୍ରୀୟ ସଂଗ୍ରହାଳୟର ଉଦଘାଟନ କରିବେ। ଏହା ସହିତ ଏକ ଜନସଭାକୁ ସମ୍ବୋଧିତ କରିବେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.