ଏସିଆ କପ୍ : ଆଜି ଭାରତ-ଆଫଗାନିସ୍ତାନ ମୁକାବିଲା, ସେପଟେ ପାକିସ୍ତାନ-ବାଂଲାଦେଶ ଲଢେଇ

Published By : Prameya-News7 Bureau | September 25, 2018 IST

ଦୁବାଇ ୨୫|୯: ଏସିଆ କପ୍ ର ସୁପର-୪ ପର୍ଯ୍ୟାୟର ଶେଷ ମ୍ୟାଚ୍ ଆଜି ଅପରାହ୍ନ ୫ଟାରେ ଭାରତ ଆଫଗାନିସ୍ତାନ ସହ ଖେଳିବ । ଭାରତ ଫାଇନାଲ ଖେଳିବା ପାଇଁ ଯୋଗ୍ୟତା ହାସଲ କରିସାରିଥିବାବେଳେ ଆଫଗାନିସ୍ତାନ ଫାଇନାଲ ଖେଳିବାର ଯୋଗ୍ୟତା ହରାଇ ସାରିଛି । ତେଣୁ ଉଭୟ ଦଳ ପାଇଁ ଏହି ମ୍ୟାଚର ବିଶେଷ ଗୁରୁତ୍ବ ନାହିଁ । ଅପରପକ୍ଷରେ ଏସିଆ କପ୍ ର ସୁପର-୪ ପର୍ଯ୍ୟାୟର ଅନ୍ୟ ଏକ ମ୍ୟାଚ୍ ରେ ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ । ଏହି ମ୍ୟାଚ୍ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ କାରଣ ଏହି ମ୍ୟାଚ୍ ରେ ଯେଉଁଦଳ ବିଜୟୀ ହେବ ସେ ଭାରତ ସହିତ ଫାଇନାଲ ଖେଳିବ । ଆସନ୍ତା ୨୮ତାରିଖ ଦିନ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ । ଆଫଗାନିସ୍ତାନ ବିପକ୍ଷରେ ଭାରତର ମ୍ୟାଚ୍ ଗୁରୁତ୍ବପୂର୍ଣ୍ଣ ନଥିଲେ ମଧ୍ୟ ଫାଇନାଲ ପୂର୍ବରୁ ଦଳକୁ ଅଧିକ ସଜାଡିବା ପାଇଁ ଆଜିର ମ୍ୟାଚ୍ ଭାରତ ଲାଗି ଏକ ମୌକା ବୋଲି କୁହାଯାଇପାରେ । ଆଜି ମ୍ୟାଚ୍ ରେ ଭାରତ ତାର ମଧ୍ୟକ୍ରମକୁ ପରୀକ୍ଷା କରିବା ଲାଗି ଯୋଜନା କରିପାରେ । କାରଣ ଗତ ୪ଟା ଯାକ ମ୍ୟାଚ୍ ରେ ଭାରତୀୟ ମଧ୍ୟକ୍ରମକୁ ଖେଳିବା ଲାଗି ବିଶେଷ ସୁଯୋଗ ମିଲିନାହିଁ । ରୋହିତ ଶର୍ମା, ଶିଖର ଧାଓ୍ବନ ଏବଂ ଅମ୍ବାତି ରାୟୁଡୁ ହିଁ ମୁଖ୍ୟତଃ ବ୍ୟାଟିଂକୁ ସମ୍ଭାଳିଛନ୍ତି । ଫାଇନାଲ ମ୍ୟାଚ୍ ରେ ଯଦି ଆବଶ୍ୟକ ହୁଏ ମଧ୍ୟକ୍ରମ ଖେଳିବା ପାଇଁ ତାହାଲେ ମଧ୍ୟକ୍ରମ କିଭଳି ପ୍ରଦର୍ଶନ କରିବ ସେନେଇ ଏଯାଏଁ କୌଣସି ସୂଚନା ମିଳିପାରିନାହିଁ । ତେଣୁ ଆଜିର ମ୍ୟାଚ୍ ରେ ଯଦି ଭାରତ ଟସ୍ ଜିତେ ତାହାଲେ ପ୍ରଥମେ ବ୍ୟାଟିଂ ନେଇ ପୁରା ୫୦ଓଭର ଖେଳିବ । ଫଳରେ ମଧ୍ୟକ୍ରମର ପ୍ରଦର୍ଶନ ନେଇ ଆଗୁଆ ଚିତ୍ର ମିଳିପାରିବ । ସେହିଭଳି କିଛି ଭଲ ପ୍ରଦର୍ଶନ କରୁଥିବା ଖେଳାଳୀଙ୍କୁ ଭାରତ ଆଜି ବିଶ୍ରାମ ଦେବାକୁ ଚାହିଁପାରେ । ବ୍ୟାଟ୍ସମ୍ୟାନ୍ ମାନଙ୍କ ମଧ୍ୟରୁ ଶିଖର ଧାଓ୍ବନ ଏବଂ ବୋଲିଂ ବିଭାଗରୁ ଭୁବନେଶ୍ବର କୁମାରଙ୍କୁ ବିଶ୍ରାମ ଦେଇ ଦଳ ବାହାରେ ଥିବା କିଛି ଖେଳାଳୀଙ୍କୁ ଖେଳିବାର ସୁଯୋଗ ମଧ୍ୟ ଦିଆଯାଇପାରେ । ସୂଚନା ଯୋଗ୍ୟ ଯେ, ଭାରତୀୟ ବୋଲିଂ ଗତ ୪ଟା ଯାକ ମ୍ୟାଚ୍ ରେ ବେଶ୍ ଭଲ ପ୍ରଦର୍ଶନ କରିଆସିଛି । ଦୁବାଇର ମନ୍ଥର ପିଚ୍ ରେ ଭାରତୀୟ ବୋଲରଙ୍କ ବଲ୍ ଭଲ କାମକରୁଥିବା ମଧ୍ୟ ଜଣାପଡିଛି । ଭାରତୀୟ ବୋଲରମାନଙ୍କର ରନ୍ ପ୍ରଦାନ ହାର ମଧ୍ୟ ୫ତଳକୁ ରହିଛି । ଅପରପକ୍ଷରେ ଆଫଗାନିସ୍ତାନର ଖେଳାଳୀମାନେ ମଧ୍ୟ ବେଶ୍ ଭଲ ଖେଳ ପ୍ରଦର୍ଶନ କରି ଦର୍ଶକଙ୍କ ମନ ଜିତିଛନ୍ତି । କେବଳ ଅଭିଜ୍ଞତା ଅଭାବରୁ ଦଳ ବାଂଲାଦେଶ ଏବଂ ପାକିସ୍ତାନଠାରୁ ପରାଜିତ ହୋଇ ଫାଇନାଲ ଖେଳିବାର ଯୋଗ୍ୟତା ହରାଇଛି । ଆଫଗାନିସ୍ତାନର ଲଢୁଆ ଖେଳ ଆଜିର ମ୍ୟାଚ୍ କୁ ରୋମାଞ୍ଚକର କରିବ ବୋଲି ଆଶାକରାଯାଉଛି । ତେବେ ଆଜି ଖେଳାଯାଉଥିବା ଟୁର୍ଣ୍ଣାମେଣ୍ଟର ଅନ୍ୟ ମ୍ୟାଚ୍ ଟି ଉପରେ ସମସ୍ତଙ୍କ ନଜର ରହିବ । ଫାଇନାଲ ମ୍ୟାଚ୍ ରେ ଭାରତ ତାର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ସହ ମୁକାବିଲା କରିବ ନା ବାଂଲାଦେଶ ସହ ତାହା ସ୍ଥିର ହେବ । ପାକିସ୍ତାନର ବ୍ୟାଟିଂ ଅର୍ଡର ଏପର୍ଯ୍ୟନ୍ତ ଲୟକୁ ଫେରିନଥିବାବେଳେ ବାଂଲାଦେଶ ମଧ୍ୟ ସନ୍ତୋଷଜନକ ପ୍ରଦର୍ଶନ କରିପାରୁନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.