T-20 World Cup : ଭାରତ-ଜିମ୍ବାଓ୍ୱେ ମୁକାବିଲା, ସେମିରେ ଏଣ୍ଟ୍ରି ପାଇଁ ଟିମ୍‌ ଇଣ୍ଡିଆକୁ ବିଜୟ ଜରୁରୀ

Published By : Prameya-News7 Bureau | November 06, 2022 IST

ମେଲବର୍ଣ୍ଣ ୦୬।୧୧ : ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଶେଷ ଲିଗ୍‌ ମ୍ୟାଚ୍‌ । ଏହାପରେ ଆରମ୍ଭ ହେବ ସେମି ଲଢେଇ । ଗ୍ରୁପ୍‌-୨ର ୩ଟି ଯାକ ମ୍ୟାଚ୍‌ ଖେଳାଯିବା ସହ ସେମି ଫାଇନାଲ୍‌ ଲାଇନ୍‌ ଅପ୍‌ ଚୂଡ଼ାନ୍ତ ହେବ । ଶେଷ ମ୍ୟାଚ୍‌ରେ ଭାରତ ଓ ଜିମ୍ବାୱେ ପରସ୍ପରକୁ ଭେଟିବେ । ୩ଟି ବିଜୟ ସହ ୬ ପଏଣ୍ଟ ହାସଲ କରିସାରିଥିବା ଭାରତ ବିଜୟ ହାସଲ କରି ଗ୍ରୁପ୍‌-୨ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ ସହ ସେମିରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି । ଜିମ୍ବାୱେ ମଧ୍ୟ ବିପର୍ଯ୍ୟୟ ଘଟାଇବାକୁ ପ୍ରସ୍ତୁତ । ଏହି ମ୍ୟାଚ୍‌କୁ ନେଇ ଉଭୟ ଦେଶର ସମର୍ଥକଙ୍କ ସହ ପାକିସ୍ତାନ କ୍ରିକେଟ୍‌ ପ୍ରେମୀ ମଧ୍ୟ ଉତ୍ସୁକତାର ସହ ଅପେକ୍ଷା କରିଥିବେ ।

ଭାରତ ତୁଳନାରେ ଜିମ୍ବାୱେ ଅପେକ୍ଷାକୃତ ଦୁର୍ବଳ ହେଲେ ମଧ୍ୟ ବିପର୍ଯ୍ୟୟ ଘଟାଇବାର କ୍ଷମତା ରହିଛି । ପୂର୍ବରୁ ଲିଗ୍‌ ପର୍ଯ୍ୟାୟରେ ପାକିସ୍ତାନକୁ ହରାଇ ସାରିଛି ଜିମ୍ବାୱେ । ଶୃଙ୍ଖଳିତ ପ୍ରଦର୍ଶନ ଓ ଚମତ୍କାର ଫିଲ୍ଡିଂ ଦକ୍ଷତାକୁ ନେଇ ଜିମ୍ବାୱେ ଏଥର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ପ୍ରତି ମ୍ୟାଚ୍‌ରେ ଲଢୁଆ ଖେଳ ପ୍ରଦର୍ଶନ କରିଛି । ଅବଶ୍ୟ ସେମି ଫାଇନାଲ୍‌ ଆଶା ନଥିଲେ ବି ଭାରତ ପାଇଁ ଚିନ୍ତା ସୃଷ୍ଟି କରିବାକୁ ଜିମ୍ବାୱେ ମନୋବଳ ଏକଜୁଟ କରିଛି ।

ଭାରତୀୟ ଦଳ ଶକ୍ତିଶାଳୀ ଓ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି । ତଥାପି ଦୁର୍ବଳ ଦଳ ବିପକ୍ଷରେ ଆଧିପତ୍ୟ ଜାହିର କରିନପାରିବା ଟିମ୍‌ ଇଣ୍ଡିଆ ପାଇଁ ଚିନ୍ତାର କାରଣ ହୋଇଛି । ନେଦରଲାଣ୍ଡ୍‌ସ ଓ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଭାରତକୁ ସଂଘର୍ଷ କରିବାକୁ ପଡ଼ିଥିଲା । ୪ଟି ମ୍ୟାଚ୍‌ରୁ ୩ଟି ବିଜୟ ସତ୍ତେ୍ୱ ଦଳରେ ଛୋଟ ମୋଟ ତ୍ରୁଟି ରହିଯାଉଛି । ଜିମ୍ବାୱେ ବିପକ୍ଷରେ ପୂର୍ଣ୍ଣ ଆଧିପତ୍ୟ ସହ ବିଜୟ ହାସଲ କଲେ ସମର୍ଥକ ଆଶ୍ୱସ୍ତ ହୋଇପାରିବେ ।

ତେବେ ପଏଣ୍ଟ ତାଲିକାକୁ ଦେଖିଲେ ସେମି ଫାଇନାଲ୍‌ ପାଇଁ କେବଳ ବିଜୟ ଆବଶ୍ୟକ । ବଡ ବ୍ୟବଧାନ ବିଜୟର ଆବଶ୍ୟକତା ନାହିଁ । ତଥାପି ଆଜିର ମ୍ୟାଚ୍‌ରେ ଓପନିଂ ବିଫଳତା ଦୂର କରିବା ମୁଖ୍ୟ କାର୍ଯ୍ୟ ହେବ । କେଏଲ ରାହୁଲ ଓ ରୋହିତ ଶର୍ମାଙ୍କ ନିକଟରୁ ଅର୍ଦ୍ଧଶତକୀୟ ଭାଗିଦାରୀ ଆବଶ୍ୟକ । ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଦର୍ଶନ ଚର୍ଚ୍ଚାର ବିଷୟ ରହିଥିଲେ ହେଁ ନିମ୍ନ ଭାଗ ବ୍ୟାଟରମାନେ ଏପର୍ଯ୍ୟନ୍ତ ଦକ୍ଷତା ଦେଖାଇନାହାନ୍ତି । ସେମିରେ ପହଞ୍ଚିବା ପୂର୍ବରୁ ଭାରତକୁ ଏସବୁ ତ୍ରୁଟି ସୁଧାରିବାକୁ ହେବ ।

ଭାରତ: କେଏଲ୍‌ ରାହୁଲ, ରୋହିତ ଶର୍ମା(ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ଅକ୍ଷର ପଟେଲ, ଆର ଅଶ୍ୱିନ, ଭୁବନେଶ୍ୱର କୁମାର, ମହମ୍ମଦ ସାମି, ଅର୍ଶଦୀପ ସିଂହ ।

ଜିମ୍ବାୱେ: ୱେସଲି ମଧେବିରେ, କ୍ରେଗ ଇରୱିନ(ଅଧିନାୟକ), ରେଗିସ ଚକଭା, ସିନ ୱିଲିୟମ୍ସ, ସିକନ୍ଦର ରାଜା, ମିଲଟନ ସୁମ୍ଭା, ର‌୍ୟାନ ବର୍ଲ, ଲ୍ୟୁକ ଜୋଙ୍ଗୱେ, ରିଚାର୍ଡ ନଗରଭା, ତେଣ୍ଡାଇ ଚତାରା, ବ୍ଲେସିଂ ମୁଜରବାନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.