ମଙ୍ଗଳବାର ଶ୍ରୀଲଙ୍କା-ଭାରତ ମୁକାବିଲା, ଟିମ୍‌ ଇଣ୍ଡିଆ ପାଇଁ ‘କର ବା ମର’ ସ୍ଥିତି

Published By : Prameya-News7 Bureau | September 06, 2022 IST

ଦୁବାଇ ୦୬।୦୯ : ଚଳିତ ଏସିଆ କପ୍‌(ସୁପର-୪ ରାଉଣ୍ଡ୍‌)ରେ ଭାରତ ଓ ଶ୍ରୀଲଙ୍କା ପରସ୍ପରକୁ ଭେଟିବେ । ଏହି ରାଉଣ୍ଡ୍‌ରେ ଭାରତ ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ଠାରୁ ପରାଜିତ ହୋଇସାରିଛି । ଫାଇନାଲ୍‌ରେ ସ୍ଥାନ ହାସଲ କରିବାକୁ ହେଲେ ପରବର୍ତ୍ତୀ ୨ଟି ଯାକ ମ୍ୟାଚ୍‌ ଜିତିବା ଜରୁରି । ଅନ୍ୟପଟେ ଶ୍ରୀଲଙ୍କା ପ୍ରଥମ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ହରାଇଥିଲା । ମଙ୍ଗଳବାର ଭାରତକୁ ହରାଇ ଫାଇନାଲ୍‌ରେ ସ୍ଥାନ ପକ୍କା କରିବାକୁ ପ୍ରୟାସ କରିବ । ଫଳରେ ମ୍ୟାଚ୍‌ଟି ସଂଘର୍ଷପୂର୍ଣ୍ଣ ହେବ ।

ପାକିସ୍ତାନ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୮୧ ରନ୍‌ ସଂଗ୍ରହ କରିଥିଲେ ହେଁ ପରାଜୟ ଏଡ଼ାଇପାରିନଥିଲା। ଦ୍ୱିତୀୟ ଭାଗରେ ବୋଲିଂ କରିବା କଷ୍ଟକର ଥିଲେ ହେଁ ଭାରତର ରଣନୀତି ବିଫଳ ରହିଥିଲା । ବୋଲିଂ ବିଭାଗ ଦୁର୍ବଳ ହୋଇଯାଇଥିଲା। ଭାରତ ୪ଜଣ ବୋଲର ନେଇ ଖେଳିଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଚମ ବୋଲର ଦାୟିତ୍ୱ ତୁଲାଇଥିଲେ । ଫଳସ୍ୱରୂପ ଜଣେ ବୋଲର ବ୍ୟୟ ବହୁଳ ସାବ୍ୟସ୍ତ ହେବା ସମୟରେ ବୋଲିଂ ପରିବର୍ତ୍ତନ ପାଇଁ ଭାରତ ନିକଟରେ ସୁଯୋଗ ନଥିଲା। ଉଭୟ ଭୁବନେଶ୍ୱର କୁମାର ଓ ପାଣ୍ଡ୍ୟା ଲୟ ହରାଇଥିଲେ । ତାଙ୍କ ସ୍ଥାନ ପୂରଣ ପାଇଁ ବୋଲର ନଥିଲେ ।

ତେବେ ରବିନ୍ଦ୍ର ଜାଡେଜା ଆହତ ଓ ଅଭେଶ ଖାନ ଅସୁସ୍ଥ ହେବା ଫଳରେ ଭାରତର ବୋଲିଂ ଦୁର୍ବଳ ହୋଇଯାଇଥିଲା । ଜାଡେଜାଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ଦଳରେ ସାମିଲ କରାଯାଇଥିଲେ ହେଁ ଖେଳିବାକୁ ସୁଯୋଗ ମିଳିନଥିଲା । ଦୀପକ ହୁଡ଼ା ଏହି ସ୍ଥାନରେ ଖେଳିଥିଲେ। ଭାରତକୁ ବୋଲିଂ ବିଭାଗ ସୁଦୃଢ କରିବାକୁ ପଡ଼ିବ । ସୁସ୍ଥ ଘୋଷିତ ହେଲେ ଅଭେଶ ଏକାଦଶକୁ ଫେରିବେ । ସେହିପରି ହୁଡ଼ାଙ୍କ ସ୍ଥାନରେ ଅକ୍ଷରଙ୍କୁ ସୁଯୋଗ ମିଳିବା ସମ୍ଭାବନା ରହିଛି ।

ପ୍ରଥମ ଲିଗ୍‌ ମ୍ୟାଚ୍‌ରେ ଆଫଗାନିସ୍ତାନଠୁ ପରାଜିତ ହେବା ପରେ ଶ୍ରୀଲଙ୍କା ଲଢୁଆ ପ୍ରଦର୍ଶନ କରି ବିଜୟକୁ ଫେରିଥିଲା । ବାଂଲାଦେଶ(ଲିଗ୍‌ ପର୍ଯ୍ୟାୟ) ଓ ଆଫଗାନିସ୍ତାନ(ସୁପର-୪)କୁ ହରାଇ ଶ୍ରୀଲଙ୍କା ମନୋବଳ ଦୃଢ କରିଛି । କେବଳ ଅନ୍ୟ ସମସ୍ତ ବ୍ୟାଟର ଦକ୍ଷତା ପ୍ରମାଣିତ କରିଛନ୍ତି । ଭାରତକୁ ହରାଇବା କଷ୍ଟକର ରହିଥିଲେ ହେଁ ବିପର୍ଯ୍ୟୟ ଘଟାଇବାର କ୍ଷମତା ଶ୍ରୀଲଙ୍କ ନିକଟରେ ରହିଛି ।

ଟସ୍‌ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଆସିଛି । ବିଶେଷ କରି ଦୁବାଇରେ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେବାକୁ ଉଭୟ ଦଳ ମନସ୍ଥ କରିଥିବେ । ପ୍ରଥମେ ବ୍ୟାଟିଂ ସୁଯୋଗ ମିଳିଲେ ଉଭୟ ଦଳ ପ୍ରତିପକ୍ଷ ପାଇଁ ବିଶାଳ ସ୍କୋର ଛିଡ଼ା କରିବାକୁ ଲକ୍ଷ୍ୟ ରଖିବେ ।

ଚଳିତ ବର୍ଷ ଫେବ୍ରୁଆରୀରେ ଉଭୟ ଦଳ ମଧ୍ୟରେ ୩ଟି ଟି-ଟ୍ୱେଣ୍ଟି ଖେଳାଯାଇଥିଲା । ଭାରତ ୩ଟି ଯାକ ମ୍ୟାଚ୍‌ ଜିତିଥିଲା । କିନ୍ତୁ ଗତ ୬ମାସ ମଧ୍ୟରେ ଶ୍ରୀଲଙ୍କା ଦଳରେ ଅନେକ ପରିବର୍ତ୍ତନ ଘଟିଛି । ବିଶେଷ କରି କୁଶଲ ମେଣ୍ଡିସ୍‌ ଫର୍ମକୁ ଫେରିବା ଫଳରେ ଦଳର ଶକ୍ତି ବୃଦ୍ଧି ପାଇଛି ।

ଭାରତ: ରୋହିତ ଶର୍ମା(ଅଧିନାୟକ), କେ ଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ/ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀପକ ହୁଡ଼ା/ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ଅଭେଶ ଖାନ/ଅର୍ଶଦୀପ ସିଂହ, ରବି ବିଷ୍ଣୋଇ, ୟୁଝବେନ୍ଦ୍ର ଚହଲ ।

ଶ୍ରୀଲଙ୍କା: ପଥୁମ ନିଶଙ୍କା, କୁଶଳ ମେଣ୍ଡିସ, ଚରିଥ ଆଶାଲଙ୍କା, ଦନୁଷ୍କା ଗୁଣତିଳକ, ଡାସୁନ ଶଣକା(ଅଧିନାୟକ), ଭାନୁକା ରାଜାପାକ୍ସା, ୱାନିଣ୍ଡୁ ହସରଙ୍ଗା, ଚାମିକା କରୁଣାରତ୍ନେ, ମହୀଶ ତିକ୍ଷଣା, ଅସିଥା ଫର୍ଣ୍ଣାଣ୍ଡୋ, ଦିଲସାନ ମଡୁଶଙ୍କା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.