ଆଜି ମହା ସପ୍ତମୀ : ମା କାଳରାତ୍ରି ସ୍ୱରୂପା, ରାତିରେ ହୁଏ ତନ୍ତ୍ର ପୂଜା

Published By : Prameya-News7 Bureau | October 16, 2018 IST

ଭୁବନେଶ୍ୱର ୧୬/୧୦ : ନବରାତ୍ର ପୂଜାରେ ଆଜି ମା' ଦୁର୍ଗାଙ୍କୁ 'କାଳରାତ୍ରି' ରୂପେ ଆରାଧନା କରାଯାଏ | କାଳରାତ୍ରି ହେଉଛନ୍ତି ମା'ଙ୍କ ଅତି ଭୟାବହ ଏବଂ ଉଗ୍ର ରୂପ | ନବରାତ୍ରୀରେ ମା'ଙ୍କ ଏହି ସ୍ୱରୂପକୁ ଆରାଧନା କଲେ ରିଦ୍ଧି ଓ ସିଦ୍ଧି ପ୍ରାପ୍ତ ହୋଇଥାଏ | କ୍ରୋଧର ବିନାଶ ପାଇଁ ମା'ଙ୍କ କାଳରାତ୍ରି ସ୍ୱରୂପର ଉପାସନା କରାଯାଏ | ସପ୍ତମୀ ତିଥିରେ ସାର୍ବଜନୀନ ଦୁର୍ଗାପୂଜା ସମୟରେ ମା'ଙ୍କ ନେତ୍ର ଉନ୍ମୀଳିତ ହୋଇଥାଏ ବା ଖୋଲିଥାଏ | କଲତାରୀଙ୍କ ସ୍ୱରୂପ ଭୟଙ୍କର ହୋଇଥିଲେ ମଧ୍ୟ ମା ସନ୍ତାନ ବତ୍ସଳା | ତାଙ୍କ ତ୍ରିନେତ୍ରରୁ ଅଗ୍ନି ସ୍ଫୁଲିଙ୍ଗ ନିର୍ଗତ ହେଉଥିଲେ ମଧ୍ୟ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ କରୁଣା ଓ ସ୍ନେହ ବର୍ଷା ହୋଇଥାଏ | ମା କାଳରାତ୍ରିଙ୍କର ଦିବସ ପୂଜା ରହିଛି | କିନ୍ତୁ ତାଙ୍କର ବିଶେଷ ପୂଜା ରାତିରେ ଅନୁଷ୍ଠିତ ହୋଇଥାଏ | ତନ୍ତ୍ର ସାଧକଙ୍କ ପାଇଁ କାଳରାତ୍ରି ଉପାସନାର ମହତ୍ୱ ସବୁଠୁ ଅଧିକ | ସପ୍ତମୀ ତିଥିରେ ବାମାଚାର ପୂଜା ବିଧି ମଧ୍ୟ ରହିଛି | ମା ଏହି ସ୍ୱରୂପା ହୋଇ ରକ୍ତବୀର୍ଯ୍ୟ, ଚଣ୍ଡ ଓ ମୁଣ୍ଡ ଭଳି ଦୈତ୍ୟ ସଂହାରକରିଥିଲେ ବୋଲି ଦେବୀ ଭାଗବତ ପୁରାଣରେ ବର୍ଣିତ | ମତ ପାର୍ବତୀଙ୍କ ଏକ ସ୍ୱରୂପ ହେଉଛନ୍ତି କାଳରାତ୍ରି | ଦୀର୍ଘ ତପସ୍ୟା କାରଣରୁ ମା ପାର୍ବତୀଙ୍କ ଶରୀର ଶ୍ୟାମଳ ବର୍ଣ ହୋଇଯାଇଥିଲା | ଶ୍ୟାମଳାଙ୍ଗୀ ପାର୍ବତୀଙ୍କୁ ଭଗବାନ ଶଙ୍କର କାଳି ବୋଲି ସମ୍ବୋଧନ କରିଥିଲେ | ଫଳରେ ପୁନଶ୍ଚ ରୁଷ୍ଟ ହୋଇ ପାର୍ବତୀ ତପମଗ୍ନ ହୋଇଥିଲେ | ତପସ୍ୟା ସାରିବା ପରେ ସେ ଗଙ୍ଗା ନଦୀରେ ସ୍ନାନ କରିଥିଲେ | ସ୍ନାନ ପରେ ପରେ ମା ପାର୍ବତୀଙ୍କ ଶରୀର ଗୌର ବର୍ଣ ଓ ଉଜ୍ଜ୍ୱଳ ହୋଇଉଠିଥିଲା | ତାପରେ ମା ପାର୍ବତୀ 'ଗୌରୀ' ନାମରେ ବିଦିତ ହୋଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.