ଆଜି ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା
11/08/2018 at 4:19 PM

ପୁରୀ ୧୧/ ୮ :- ଶ୍ରାବଣ ଅମାବାସ୍ୟା ଅର୍ଥାତ୍ ଆଜି ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା। ଏହି ଦିନ ମହାପ୍ରଭୁଙ୍କ ମସ୍ତକରେ ସୁବର୍ଣ୍ଣ ଚିତା ଲାଗି ହେବାର ପରମ୍ପରା ରହିଛି । ଶ୍ରୀଜଗନ୍ନାଥ ଶ୍ୱେତ ହୀରାଚିତା, ପ୍ରଭୁ ବଳଭଦ୍ର ନୀଳ ମର୍କତମଣି ଚିତା ଏବଂ ଦେବୀ ସୁଭଦ୍ରା ନାଲିମାଣିକ୍ୟ ଚିତା ଧାରଣ କରିଥାନ୍ତି। ଦେବସ୍ନାନପୁର୍ଣ୍ଣମୀ ଦିନ ମହାପ୍ରଭୁ ସ୍ନାନବେଦୀରୁ ଅଣସର ପିଣ୍ଡିକୁ ଫେରିବା ପରେ ଦଇତାପତି ଚିତାଗୁଡ଼ିକୁ ବାହାର କରି ଦେଉଳକରଣଙ୍କୁ ଦେଇଥାନ୍ତି। ମହାପ୍ରଭୁଙ୍କ ମସ୍ତକରୁ ଓଲାଗି ହୋଇଥିବା ହୀରା ଖଚିତ ଚିତା ସକାଳଧୂପ ଓ ଭୋଗମଣ୍ତପ ସରିବା ପରେ ମହାପ୍ରଭୁଙ୍କୁ ପୁନଶ୍ଚ ଲାଗି ହୋଇଥାଏ। ଆଜି ଶ୍ରୀମନ୍ଦିରରେ ସକାଳଧୂପ ସମୟରେ ଭଣ୍ତାରମେକାପ ଚିତାଗୁଡ଼ିକୁ ଆଣି ଦେଉଳକରଣକୁ ଦେଇଥାନ୍ତି। ବଣିଆଙ୍କ ଦ୍ୱାରା ଚିତା ଗୁଡ଼ିକ ସଫା କରାଯାଇଥାଏ। କିମ୍ୱଦନ୍ତୀ ଅନୁଯାୟୀ ଯଯାତି କେଶରୀ ଶ୍ରୀବିଗ୍ରହଙ୍କୁ ଆଣିବା ପରେ ଶଙ୍କରାଚାର୍ଯ୍ୟଙ୍କ ନିର୍ଦ୍ଦେଶକ୍ରମେ ରତ୍ନବେଦୀରେ ସ୍ଥାପନ କରି ଶ୍ରାବଣ ଅମାବାସ୍ୟାରେ ଚିତାଲାଗି କରାଇଥିଲେ। ଚିତା ଲାଗି ନୀତି ପାଇଁ ଶ୍ରୀମନ୍ଦିରରେ ପ୍ରଥମ ଭୋଗମଣ୍ଡପ ସରିବା ପରେ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଅପରାହ୍ନ ଗୋଟାଏରୁ ୫ ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ|