ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ : 'କର ବା ମର' ସ୍ଥିତିରେ ବିରାଟ ବାହିନୀ

Published By : Prameya-News7 Bureau | November 29, 2020 IST

ସିଡନୀ ୨୯।୧୧: ରବିବାର ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିତୀୟ ଦିନିକିଆ ଖେଳିବ ବିରାଟ ବାହିନୀ । ପ୍ରଥମ ମ୍ୟାଚରେ ପରାସ୍ତ ହେବା ପରେ ଆଜିର ମ୍ୟାଚ୍ ଭାରତ ପାଇଁ କର ବା ମର ସଦୃଶ । ସେପଟେ ପ୍ରଥମ ମ୍ୟାଚ୍ ଜିତି ଅଷ୍ଟ୍ରେଲିଆର ମନୋବଳ ଦୃଢ ରହିଛି । ଦ୍ୱିତୀୟ ଦିନିକିଆ ଭାରତୀୟ ସମୟାନୁସାରେ ସକାଳ ୯ଟା ୩୦ ଖେଳାଯିବ ।

ଭାରତୀୟ କ୍ରିକେଟ୍‌ ଟିମ୍‌ ସିଡନୀରେ ଖେଳା ଯାଇଥିବା ପ୍ରଥମ ଦିନିକିଆରେ ଆଶାନୁରୂପ ପ୍ରଦର୍ଶନ କରି ପାରିନଥିଲା। ଫଳସ୍ଵରୂପ ଦଳ ୬୬ ରନରେ ପରାଜିତ ହୋଇଥିଲା। ଏବେ ଭାରତ ସିରିଜ୍‌କୁ ପ୍ରତ୍ୟାବର୍ତ୍ତନ କରିବାକୁ ହେଲେ ଦ୍ଵିତୀୟ ଦିନିକିଆ ଜିତିବାକୁ ପଡିବ। ଦ୍ଵିତୀୟ ଦିନିକିଆ ମଧ୍ୟ ସିଡନୀରେ ଖେଳାଯିବ। ପ୍ରଥମ ଦିନିକିଆରେ ଦଳ ଷଷ୍ଠ ବୋଲରଙ୍କ ଅନୁପସ୍ଥିତି ଅନୁଭବ କରିଛି। ଯାହାର ଫାଇଦା ଉଠାଇଥିଲେ କଙ୍ଗାରୁ ବ୍ୟାଟସମ୍ୟାନ। 

ଭାରତୀୟ ବ୍ୟାଟିଂ ବିଭାଗରେ ପରିବର୍ତ୍ତନ ହେବାର ଆଶା ନାହିଁ । ତଥାପି ମୟଙ୍କ ଅଗ୍ରୱାଲଙ୍କ ସ୍ଥାନରେ ଶୁଭମନ ଗିଲଙ୍କୁ ଓପନର ଭାବେ ସୁଯୋଗ ଦେବାକୁ ଟିମ୍‌ ମ୍ୟାନେଜେମେଣ୍ଟ ଚିନ୍ତା କରିବା ଆବଶ୍ୟକ । ସେ ବର୍ତ୍ତମାନ ଫର୍ମରେ ରହିଛନ୍ତି । ସେମିତି ଦେଖିବାକୁ ଗଲେ ମୟଙ୍କ ଟେଷ୍ଟ ସିରିଜ୍‌ରେ ଓପନିଂ କରିବା ସୁନିଶ୍ଚିତ । ତେଣୁ ଯୁବ ବ୍ୟାଟ୍ସମ୍ୟାନଙ୍କୁ ସୁଯୋଗ ଦେବାର ସମୟ ଆସିଛି କହିଲେ ଭୁଲ ହେବ ନାହିଁ। ମଧ୍ୟକ୍ରମରେ କୌଣସି ପରିବର୍ତ୍ତନର ସମ୍ଭାବନା କମ୍ ରହିଛି । ନବଦୀପ ସାଇନିଙ୍କ ସ୍ଥାନରେ ଟି ନଟରାଜନଙ୍କୁ ଖେଳାଇବା ସଠିକ୍‌ ନିଷ୍ପତ୍ତି ହୋଇପାରେ । ଏହି ଯୁବ ବାମ ହାତି ପେସ୍‌ ବୋଲର ୟର୍କର ପକାଇବାରେ ସିଦ୍ଧହସ୍ତ। ତେଣୁ ତାଙ୍କୁ ଏକ ସୁଯୋଗ ମିଳିବା ଆଶା କରାଯାଉଛି ।

ଅପରପକ୍ଷେ ଅଷ୍ଟ୍ରେଲିଆ ଦଳ ବେଶ୍‌ ସନ୍ତୁଳିତ । ଷ୍ଟିଭେନ ସ୍ମିଥ୍‌ ଓ ଆରୋନ ଫିଞ୍ଚ ପ୍ରଥମ ମ୍ୟାଚ୍‌ରେ ଶତକ ଅର୍ଜନ କରି ଫର୍ମରେ ରହିଥିବା ପ୍ରମାଣ କରିଛନ୍ତି । ସେହିପରି ଡେଭିଡ୍‌ ୱାର୍ଣ୍ଣର, ଗ୍ଲେନ୍‌ ମ୍ୟାକ୍ସୱେଲ୍‌ଙ୍କ ବ୍ୟାଟ୍‌ରୁ ମଧ୍ୟ ବିସ୍ଫୋରକ ଇନିଂସ ଦେଖିବାକୁ ମିଳିଛି । ଯୁବ ଅଲ୍‌ରାଉଣ୍ଡର କାମେରନ ଗ୍ରୀନଙ୍କୁ ଏକାଦଶରେ ସୁଯୋଗ ମିଳିପାରେ । ପ୍ରଥମ ଦିନିକିଆରେ ମାର୍କସ ଷ୍ଟଇନିସ୍‌ ଆହତ ହୋଇଥିଲେ । ଫଳରେ ସେ ଆସନ୍ତା କାଲି ଖେଳିପାରିବେ ନାହିଁ । ତାଙ୍କ ସ୍ଥାନରେ ଗ୍ରୀନ୍‌ କିମ୍ବା ସିନ ଆବୋଟଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିବା ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.