ଆଜି ଧନତେରସ୍: କିଣାକିଣି ପାଇଁ ଶୁଭ ମୁହୂର୍ତ୍ତ ମାତ୍ର ୧ଘଣ୍ଟା ୫୭ମିନିଟ୍: ଜାଣନ୍ତୁ କଣ କିଣିବେ ଓ କଣ କିଣିବେ ନାହିଁ ଏହି ସମୟରେ

Published By : Prameya-News7 Bureau | November 05, 2018 IST

ଆଜି ଧନତେରାସ୍। ଧନତେରାସର ଶୁଭ ମୁହୂର୍ତ୍ତରେ ଦ୍ରବ୍ୟ ଖରିଦ କଲେ ଶୁଭ ଓ ଲାଭ ହୋଇଥାଏ ବୋଲି ବିଶ୍ବାସ ରହିଛି। ତେବେ ଧନତେରାସର ଖରିଦ ପାଇଁ ଶୁଭ ମୁହୂର୍ତ୍ତର ସୀମା ମାତ୍ର ୧ଘଣ୍ଟା ୫୭ମିନିଟ ରହିଛି। ଆଜି ସନ୍ଧ୍ୟା ୬ଟା ୨୦ମିନିଟରୁ ଏହି ଶୁଭ ମୁହୂର୍ତ୍ତ ଆରମ୍ଭ ହୋଇ ରାତି ୮ଟା ୧୭ମିନିଟରେ ସମାପ୍ତ ହେଉଛି। ସୂଚନାଯୋଗ୍ୟ ଯେ, ପୈାରାଣିକ ବିଶ୍ବାସ ଅନୁସାରେ ଧନତେରାସରେ କ୍ଷୀର ସାଗର ମନ୍ଥନ ହୋଇଥିଲା। ଏହି ଶୁଭ ତିଥିରେ ମା ଲକ୍ଷ୍ମୀ ଏବଂ ଧନପତି କୁବେର ସମୁଦ୍ର ମନ୍ଥନରୁ ଉଦଗତ ହୋଇଥିଲେ। ସାଧାରଣତଃ କାର୍ତ୍ତିକ ମାସ ତ୍ରୟୋଦଶ (୧୩) ଦିନ ଏବଂ ଦୀପାବଳୀର ଦୁଇଦିନ ପୂର୍ବରୁ ଧନତେରାସ୍ ହୋଇଥାଏ। ମା ଲକ୍ଷ୍ମୀ ଓ ମହାରାଜା କୁବେରଙ୍କ ଆର୍ବିଭାବ ତିଥି ଧନତେରାସ ହୋଇଥିବାରୁ ଏହି ଦିନ ସୁନା,ରୂପା,ବାସନ କ୍ରୟ କରିବା ଶୁଭ ହୋଇଥାଏ। ଧନତେରାସରେ କଣ କିଣିବା ଅନୁଚିତ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଧନତେରାସରେ ନୂଆ ଗାଡ଼ି କ୍ରୟ କରିବା ଅନୁଚିତ। ଏହି ଦିନ ରାହୁକାଳ ରହୁଥିବାରୁ ବାହନ କ୍ରୟ ଅଶୁଭ ବୋଲି ବିବେଚନା କରାଯାଏ। ସେହିଭଳି ଧନତେରାସରେ ଚାକୁ,ଛୁରୀ,କଇଁଚି ଭଳି ଧାରୁଆ ଜିନିଷ କିଣିବା ମଧ୍ୟ ଅଶୁଭ ହୋଇଥାଏ। ସେହିଭଳି ସାଧାରଣତଃ ମାଙ୍ଗଳିକ କାର୍ଯ୍ୟ ଓ ପର୍ବପର୍ବାଣିରେ ଆମେ କଳାରଙ୍ଗ ବ୍ୟବହାର କରିନଥାଉ। ତେଣୁ ଧନତେରାସରେ ମଧ୍ୟ କଳାରଙ୍ଗର କୈାଣସି ଜିନିଷ ନକିଣିବା ଭଲ। ଧନତେରାସରେ କଣ କିଣିବା ଶୁଭ: ଧନତେରାସକୁ ଧନ୍ବନ୍ତରୀ ତ୍ରୟୋଦଶୀ ମଧ୍ୟ କୁହାଯାଏ। ବିଶ୍ବାସ ରହିଛି ଯେ,ସାଗର ମନ୍ଥନ ବେଳେ ଧନ୍ବନ୍ତରୀ ଦେବ ହାତରେ କଳସ ଧରି ଆବିର୍ଭୁତ ହୋଇଥିଲେ। ଏଥିପାଇଁ ଧନତେରାସରେ ବାସନ ଖରିଦ କରିବା ଶୁଭ ବୋଲି ବିଚାର କରାଯାଇଥାଏ। ପ୍ରାଚୀନ କାଳରେ ଏହିଦିନ ଲୋକମାନେ ନୂତନ ପାତ୍ରରେ କ୍ଷୀରୀ ରଖି ଭଗବାନ ଧନ୍ବନ୍ତରୀକୁ ଭୋଗ କରୁଥିଲେ। ଉତ୍ତମ ସ୍ବାସ୍ଥ୍ୟ କାମନାରେ ଏହି ପ୍ରସାଦକୁ ନିଜେ ସେବନ କରିବା ସହ ଲୋକଙ୍କ ମଧ୍ୟରେ ମଧ୍ୟ ଆବଣ୍ଟନ କରୁଥିଲେ। ବିଶ୍ବାସ ରହିଛି ନିଷ୍ଠାର ସହ ପ୍ରଭୁ ଧନ୍ବନ୍ତରୀଙ୍କ ପୂଜା କଲେ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ। ଧନ୍ବନ୍ତରୀ ଦେବଙ୍କୁ ପିତ୍ତଳ ଅତ୍ୟନ୍ତ ପସନ୍ଦ। ସେଥିପାଇଁ ଏହି ଦିନ ପିତ୍ତଳର ବାସନ କ୍ରୟ କରିବା ଶୁଭ ହୋଇଥାଏ। ସେହିଭଳି ଭଗବାନ କୁବେରଙ୍କ ପ୍ରିୟ ଧାତୁ ହେଉଛି ରୂପା। ତେଣୁ ରୈାପ୍ୟ ପାତ୍ର ଖରିଦ ବା ରୈାପ୍ୟ ଦ୍ରବ୍ୟ କ୍ରୟ କଲେ ବିଶେଷ ଲାଭ ପ୍ରାପ୍ତ ହୋଇଥାଏ। ବିଶ୍ବାସ ରହିଛି ଯେ, ଏହି ଦିନ ରୈାପ୍ୟ ଦ୍ରବ୍ୟ କ୍ରୟ କଲେ ଯଶ,କୀର୍ତ୍ତି ଓ ଐଶ୍ବର୍ଯ୍ୟ ପ୍ରାପ୍ତ ହୋଇଥାଏ। ମାତା ଲକ୍ଷ୍ମୀଙ୍କ ପ୍ରିୟ କଉଡ଼ି। ତେଣୁ ଏହି ଦିନ କଉଡ଼ି କ୍ରୟ କରିବା ସହ ଦୀପାବଳିରେ ଏହାକୁ ପୂଜା କରି ଟଙ୍କାବାକ୍ସରେ ରଖିଲେ ଧନାଗମ ହୋଇଥାଏ। ଏଥିସହ ଏହି ଦିନ ଧନିଆ ମଞ୍ଜି କ୍ରୟ କରି ଦୀପାବଳି ଦିନ ଏକ କୁଣ୍ଡରେ ଏହାକୁ ବପନ କଲେ ଅତ୍ୟନ୍ତ ଶୁଭ ହୋଇଥାଏ। ଧନହାନିର ଆଶଙ୍କା ଦୂର ହୋଇଥାଏ। ପରିଷ୍କାର ପରିଛ୍ଛନ୍ନ ମାତା ଲକ୍ଷ୍ମୀଙ୍କର ଅତି ପସନ୍ଦ ହୋଇଥାଏ। ତେଣୁ ଏହି ଦିନ ଘର ଦ୍ବାର ପରିଷ୍କାର ପରିଛ୍ଛନ୍ନ ରଖିବା ବାଞ୍ଛନୀୟ। ଏପରିକି ଏହି ଦିନ ଝାଡ଼ୁ ଖରିଦ କଲେ ଶୁଭଫଳ ପ୍ରାପ୍ତ ହୋଇଥାଏ।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.