ଶ୍ରୀକ୍ଷେତ୍ରରେ ଚାଲିଛି ଧର୍ମମାସ କାର୍ତ୍ତିକ, ଶ୍ରୀଜୀଉଙ୍କ ଦର୍ଶନ ସହ ବ୍ରତ ପାଳୁଛନ୍ତି ହବିଷ୍ୟାଳୀ

Published By : Prameya-News7 Bureau | October 22, 2021 IST

ପୁରୀ ୨୨/୧୦: ଆଜି ଧର୍ମମାସ କାର୍ତ୍ତିକର ଦ୍ବିତୀୟ ଦିନ । କୋଭିଡ ମହାମାରୀର ଭୟାବହତା ସହ ପୁରୀ ପ୍ରଶାସନର ପରାମର୍ଶକୁ ଦୃଷ୍ଟିରେ ରଖି ଶ୍ରୀକ୍ଷେତ୍ରରେ ଏବର୍ଷ ହବିଷ୍ୟାଳୀଙ୍କ ଭିଡ ସେତେ ମାତ୍ରାରେ ନାହିଁ । ତେବେ ନିଜ ଖର୍ଚ୍ଚରେ ପୁରୀରେ ଆସି ହବିଷ୍ୟ ବ୍ରତ ପାଳନ କରୁଥିବା ହବିଷ୍ୟାଳୀ ମାନଙ୍କ ଯୋଗୁଁ ଗତକାଲି ଠାରୁ ଶ୍ରୀକ୍ଷେତ୍ରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି ।

ବ୍ରତଧାରୀ ମାନେ ବଡି ଭୋରରୁ ଉଠି ମହୋଦଧି ତଥା ତୀର୍ଥ ପୁଷ୍କରିଣୀରେ ସ୍ନାନ କରିବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଦର୍ଶନ କରିଥିଲେ । ଆଜି ଭୋର ୫ ଟାରେ ସିଂହଦ୍ବାର ଫିଟା ନୀତି ସରିବା ପରେ ୬ଟା ବେଳେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ସରିବା ପରେ ୬ ଟା ୧୫ରୁ ସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା ।

କୋଭିଡ କଟକଣା ମାନି ଭକ୍ତ ମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ସିଂହଦ୍ବାର ଦେଇ ପ୍ରବେଶ କରୁଥିବା ବେଳେ କେବଳ କାର୍ତ୍ତିକ ମାସରେ ହବିଷ୍ୟାଳୀଙ୍କ ପାଇଁ ଅନ୍ୟ ଦ୍ୱାର ଦେଇ ପ୍ରବେଶ ଓ ପ୍ରସ୍ଥାନର ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାର ତଥା ପ୍ରଶାସନକୁ ହବିଷ୍ୟାଳୀ ମାନେ ଅନୁରୋଧ କରିଛନ୍ତି । କୋଭିଡ ଭୟାବହତାକୁ ଦୃଷ୍ଟିରେ ରଖି ଭକ୍ତଙ୍କ ସୁରକ୍ଷିତ ଦର୍ଶନ ପ୍ରତି ପ୍ରଶାସନ ଯେଉଁ ବ୍ୟବସ୍ଥା ଗ୍ରହଣ କରିଛି ତାକୁ ହବିଷ୍ୟାଳୀ ତଥା ଭକ୍ତ ଶ୍ରଦ୍ଧାଳୁ ମାନେ ସ୍ବାଗତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.