ଗତ ବର୍ଷ ଆଜି ଦିନରେ ଫନିର ମୁକାବିଲା କରୁଥିଲା ଓଡିଶା, ଏବେ ମହାମାରୀ କରୋନା ସହ ଲଢୁଛି
3/05/2020 at 4:54 PM

ଭୁବନେଶ୍ଵର ୦୩।୦୫: ଗତ ବର୍ଷ ଠିକ୍ ଆଜିର ତାରିଖରେ ଓଡିଶାରେ ତାଣ୍ଡବଲୀଳା ମଚାଇଥିଲା ବାତ୍ୟା ଫନି। ଏହାର କରାଳ ରୂପରେ ରାଜ୍ୟର ମୁଖ୍ୟତଃ ତିନୋଟି ଜିଲ୍ଲା ପୁରୀ,ଖୋର୍ଦ୍ଧା ଓ କଟକ ଧ୍ଵସ୍ତ ବିଧ୍ଵସ୍ତ ହୋଇଥିଲା। ପୁରୀର ଉପକୂଳବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡ ଫଲ କରିବା ପରେ ଏହା ଆହୁରି ବିକଟାଳ ରୂପ ଧାରଣ କରିଥିଲା। ସହରଠୁ ନେଇ ଗାଁ ପର୍ଯ୍ୟନ୍ତ ସବୁ ଛାରଖାର ହୋଇ ଯାଇଥିଲା। ସେହି ସମୟର ଏହି କରାଳ ରୂପ ଆଜି ମଧ୍ୟ ଜନ ମାନସରେ ସତେଜ ହୋଇ ରହିଛି। ଗତ ୪୩ ବର୍ଷରେ ପ୍ରଥମ ଥର ଗ୍ରୀଷ୍ମ ସମୟରେ ଓଡିଶାରେ ବାତ୍ୟାର ପ୍ରକୋପ ଦେଖିବାକୁ ମିଳିଥିଲା। ଗୋଟିଏ ବର୍ଷ ତଳେ ଠିକ୍ ଏହି ସମୟରେ ଓଡିଶା ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବେଳେ ବର୍ତ୍ତମାନ ସେହି ସମୟରେ ମହାମାରୀ କରୋନାର ମୁକାବିଲା କରୁଛି।

ପୁରୀରେ ସ୍ଥଳଭାଗ ଛୁଇଁବା ସମୟରେ ବାତ୍ୟା ଫନିର ଘଣ୍ଟା ପ୍ରତି ବେଗ ୨୪୦ କିମି ଥିବା କୁହାଯାଏ। ଏଥିରେ ସାଂସ୍କୃତିକ ସହର ପୁରୀ, ଭୁବନେଶ୍ଵର ଓ ରାଜ୍ୟର ବାଣିଜ୍ୟିକ ରାଜଧାନୀ କଟକ ଜିଲ୍ଲାରେ ଫନି ଅକଥ କ୍ଷୟକ୍ଷତି ଘଟାଇଥିଲା। ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା ଚାଳ ଛପର ଘର, ବିଦ୍ୟୁତ୍ ବିଭାଗ ଏବଂ କୃଷି କ୍ଷେତ୍ର। କିନ୍ତୁ ଫନି ବାତ୍ୟାର ପ୍ରାରମ୍ଭିକ ସୂଚନା ପରଠୁ ଓଡିଶା ସରକାର ସମୁଦ୍ର କୂଳିଆ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ଦ୍ଵାରା ଲୋକଙ୍କ ଜୀବନହାନୀ ରକ୍ଷା କରାଯାଇ ପାରିଥିଲା। ସବୁଠୁ ବଡ କଥା ସଂପ୍ରତି ଆଧୁନିକ ଜ୍ଞାନ କୌଶଳ ଓ ପ୍ରଯୁକ୍ତି ବିଦ୍ୟା ବଳରେ ଧନଜୀବନ କ୍ଷୟକ୍ଷତିର ପରିମାଣକୁ କିଛିକାଂଶରେ ରୋକା ଯାଇ ପାରୁଛି। ସର୍ବଦା ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡିଶା ସରକାର ପୂର୍ବ ଅଭିଜ୍ଞତାକୁ ପୁଞ୍ଜି କରି ଏହାର ସଫଳ ମୁକାବିଲାରେ ସିଦ୍ଧହସ୍ତ। ୧୯୯୯ ପରଠୁ ଓଡିଶା ଫାଇଲିନ, ହୁଡହୁଡ ଓ ତିତଲି ପରି ବାତ୍ୟାର ସମ୍ମୁଖୀନ ହୋଇ ଏହାର ସଫଳ ମୁକାବିଲା କରିଛି। ୧୯୯୯ ମହାବାତ୍ୟାରେ ୧୦ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଥିଲା।
୨୦୧୯ ବାତ୍ୟା ଫନିରେ ଓଡିଶାର ଉପକୂଳବର୍ତ୍ତି ଅନେକ ଜିଲ୍ଲାରେ ବିଦ୍ୟୁତ୍ ସେବା ବିପର୍ଯ୍ୟସ୍ତ ହୋଇ ପଡିଥିଲା। ଅନେକ ଦିନ ଧରି ଏହି ଜିଲ୍ଲାବାସୀଙ୍କୁ ଅନ୍ଧାରରେ ରହିବାକୁ ପଡିଥିଲା। କିନ୍ତୁ ପାଣିପାଗ ବିଭାଗ ଓ ଗଣମାଧ୍ୟମର ଘନ ଘନ ଖବର ପ୍ରସାରଣ, ସତର୍କତା ଓ ସଚେତନତା ବଳରେ ସଂପ୍ରତି ଏବେ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କ୍ଷୟକ୍ଷତି କମ କରାଯାଇ ପାରୁଛି। କିନ୍ତୁ ଏବେ ସମଗ୍ର ବିଶ୍ଵ ସହିତ ଓଡିଶା କରୋନା ଭାଇରସ୍ ମହାମାରୀର ମୁକାବିଲା କରୁଛି।

ବାତ୍ୟା, ବାନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ଆମକୁ ବହୁ ପୂର୍ବରୁ ସୂଚନା ମିଳୁଛି। କେବେ ଏବଂ କେଉଁଠି ଏହାର ପ୍ରକୋପ ଦେଖିବାକୁ ମିଳିବ ତାହା ଜାଣି ପାରୁଛନ୍ତି। ମାତ୍ର କରୋନା ଭାଇରସ୍ ଏମିତି ଏକ ବିଶ୍ଵ ସମସ୍ୟା ପାଲଟିଛି ଯାହାର ନିରାକରଣ ପାଇଁ ଔଷଧ ବାହାରି ପାରି ନାହିଁ। ସବୁଠୁ ଚକିତକର କଥା ଏହା, ଏହି ରୋଗ ଲକ୍ଷଣ ମଧ୍ୟ ଜଣା ପଡୁନାହିଁ। ପ୍ରାକୃତିକ ବିପର୍ଯ୍ୟୟ ଆସି ଚାଲି ଯାଉଛି ମାତ୍ର କରୋନା କେମିତି ଏବଂ କେବେ ଆସୁଛି ଜଣା ପଡୁନାହିଁ। ଫନି କେବଳ ଓଡିଶାକୁ ପ୍ରଭାବିତ କରିଥିଲା, ମାତ୍ର କରୋନା ଭାଇରସ୍ ସମଗ୍ ଦୁନିଆରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି।

ଫନି ଏକ ପ୍ରାକୃତିକ ବିପର୍ଯ୍ୟୟ। ଏହାର ପୂର୍ବାନୁମାନ ଏବଂ ଭବିଷ୍ୟବାଣୀ କରାଯାଇ ପାରୁଛି। ଏହା କେଉଁ ସମୟରେ ଏବଂ କେଉଁ ସ୍ଥାନରେ ନିଜର ପ୍ରକୋପ ଦେଖାଇବ ସବୁ ଜାଣି ହେଉଛି। ମାତ୍ର କରୋନା ଭାଇରସ୍ କେବେ ଏବଂ କେଉଁଠି ପ୍ରହାର କରିବ ତାହା କହି ହେଉ ନାହିଁ।

ଫନି ପରି ପ୍ରାକୃତିକ ବିପର୍ଯ୍ୟୟ ଆସି ଚାଲି ଯାଉଛି। ଏହାର ମୁକାବିଲା ଲାଗି ସେନାଠୁ ନେଇ ସମସ୍ତ ଶାସନ କଳର ଉପଯୋଗ କରାଯାଉଛି। ମାତ୍ର କରୋନା ଭାଇରସ୍ କେତେ ବେଳେ ଏବଂ କେଉଁଠି ନିଜର କାୟା ବିସ୍ତାର କରୁଛି ତାହା ଜାଣି ହେଉ ନାହିଁ। ଏହା ଏକ ଅଦୃଶ୍ୟ ଶତ୍ରୁ ଏବଂ କେବେ ଆପଣଙ୍କ ଘର ପର୍ଯ୍ୟନ୍ତ ପହଞ୍ଚିବ କହି ହେଉ ନାହିଁ। ଏହା କେବଳ ଓଡିଶା ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟି ନାହିଁ ବରଂ ପୂରା ବିଶ୍ଵ ପାଇଁ କରୋନା ଭାଇରସ୍ ଚିନ୍ତାର କାରଣ ପାଲଟିଛି। ନିକଟରେ ଆମେ ପ୍ରାକୃତିକ ବିପର୍ଯ୍ୟୟକୁ ସପଫଳତା ସହ ମୁକାବିଲା କରିଛେ ଏବଂ ଏଥର ମଧ୍ୟ ଆମେ କରୋନା ବିରୋଧୀ ଲଢେଇରେ ବିଜୟୀ ହେବା।